ଡେରାଡୁନ: କିଛିଦିନ ତଳେ ଖବର ଆସିଥିଲା କି ଅଟୋ ଚଳାଇବା ସମୟରେ ହେଲମେଟ ପିନ୍ଧି ନଥିଲେ ଚାଳକ । ସେଥିପାଇଁ ପୋଲିସ ତାଙ୍କ ଠାରୁ ଚାଲାଣ କାଟିବା ସହିତ ଜୋରିମାନା ମଧ୍ୟ ଆଦାୟ କରିଥିଲା । ଏହାପରେ ହେଲମେଟ ପିନ୍ଧି ନଥିବାରୁ ଫାଇନ ଦେଇଥିଲେ କାର ଚାଳକ । ଏବେ ଏକ ଅଜବ ଘଟଣା ଓ ବିଚିତ୍ର ଭାବରେ ଚାଲାଣ କଟିଛି । ଚାଲାଣ କାଟିବାରେ ଏତେ ବ୍ୟସ୍ତ ଥିଲେ ପୋଲିସ ବାବୁ ଯେ, ଶଗଡର ଚାଲାଣ କାଟି ଦେଇଛନ୍ତି । ଉତ୍ତରାଖଣ୍ଡର ଡେରାଡୁନ ଅଞ୍ଚଳରୁ ଆସିଛି ଏହିଭଳି ଆଶ୍ଚର୍ଯ୍ୟକର ଘଟଣା ।
ନ୍ୟୁ ମୋଟର ଭେଇକିଲ୍ ଆକ୍ଟ-2019 ଲାଗୁ ହେବା ପରେ ଅତି ବିଚିତ୍ର ଓ ଅଭାବନୀୟ ଘଟଣା ସବୁଦିନ ସାମନାକୁ ଆସୁଛି । ଶନିବାର ଡେରାଡୁନର ବିକାଶ ନଗରର ସହସପୁର ଅଞ୍ଚଳରେ ପୋଲିସ ଏକ ଶଗଡର ଏମଭି୍ ଆକ୍ଟରେ ଚାଲାଣ କାଟି ଦେଇଛି । ଶଗଡ ଉପରେ ୧ ହଜାର ଟଙ୍କାର ଚାଲାଣ କଟା ହୋଇଛି । ସୂଚନା ଯୋଗ୍ୟ, ଯେ ନୂଆ ମୋଟର ଯାନ ଆଇନରେ କେଉଁଠି ବି ଶଗଡର ଚାଲାଣ କାଟିବାର କୌଣସି ପ୍ରକାର ନିୟମ ଉଲ୍ଲେଖ ନାହିଁ । ଅନ୍ୟପଟେ ଚାଲାଣ କଟାଯାଇଥିବା ଚାଷୀ ଜଣକ ଏନେଇ ବ୍ୟତିବ୍ୟସ୍ତ ରହିଛନ୍ତି ।
ସମ୍ପୂର୍ଣ୍ଣ ଘଟଣା ଏହିପରି । ପୋଲିସ ଚେକିଂ କରୁଥିବା ସମୟରେ ନଦୀ ପାଖରେ ପୋଲିସକୁ ଏକ ଶଗଡ ଗାଡି ଠିଆ ହୋଇଥିବା ଦେଖିବାକୁ ମିଳିଲା । ସେହି ସମୟରେ ଚାଷୀ ଜଣକ ଶଗଡ ପାଖରେ ଉପସ୍ଥିତ ନଥିଲା । ଏହାପରେ ପୋଲିସ ଶଗଡର ଏମଭି ଆକ୍ଟ ଅନୁସାରେ ଚାଲାଣ କାଟି ଦେଇଥିଲା । ଚାଷୀଙ୍କ ଅନୁପସ୍ଥିତିରେ ତାଙ୍କ ଶଗଡ ଉପରେ ରଖା ଯାଇଥିବା ଜିନିଷପତ୍ରକୁ ପୋଲିସ ଫୋପାଡି ଦେଇଥିବା ଅଭିଯୋଗ କରିଛନ୍ତି ଚାଷୀ ।
ଏହି ଘଟଣା ପରେ ଅନ୍ୟପଟେ ଥାନାଧିକାରୀ ପିଡୀ ଭଟ୍ଟ କହିଛନ୍ତି ଯେ, ସହସପୁର ଅଞ୍ଚଳରେ ଅନେକ ଲୋକ ଶଗଡକୁ ଖଣି କାମରେ ବ୍ୟବହାର କରୁଛନ୍ତି । ଏହି କାରଣ ଯୋଗୁଁ ସେଠାରେ ଛିଡା ହୋଇଥିବା ଶଗଡର ଚାଲାଣ ଖଣିରେ କାମ କରୁଥିବା ଅନୁଯାୟୀ କଟାଯାଇଛି । ଶଗଡ ଉପରେ ଆକ୍ଟ 81 ଲାଗୁ କରାଯାଇ ଚାଲାଣ କଟାଯାଇଛି । କିନ୍ତୁ ପୋଲିସଙ୍କ ଭୁଲ୍ ଯୋଗୁଁ ଏହାକୁ ଏମଭି ଆକ୍ଟ ଲେଖା ହୋଇଯାଇଥିଲା । ତେବେ ଚାଷୀଙ୍କ ଅଭିଯୋଗ ପରେ ୨ ଘଣ୍ଟାପରେ ତାଙ୍କ ଚାଲାଣ ରଦ୍ଦ କରି ଦିଆଯାଇଛି ।
ତେବେ ଯାହା ବି ହେଉ ଶଗଡ ଗାଡି ଉପରେ ଏମଭି ଆକ୍ଟ ଲାଗିବା ପରେ ଏହି ଘଟଣା ଏବେ ସାରା ଗାଁରେ ଚର୍ଚ୍ଚାର ବିଷୟ ପାଲଟିଥିବା ବେଳେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲଗିଛି ।