ନୂଆଦିଲ୍ଲୀ: କୋଭିଡ-19 ସଙ୍କଟ ମଧ୍ୟରେ ନିଜର ଗ୍ରାହକଙ୍କ ରୋଗ ପ୍ରତିରୋଧକ ଶକ୍ତି ବଢାଇବା ଉଦ୍ଦେଶ୍ୟରେ ଦୁଗ୍ଧ କମ୍ପାନୀ ମଦର ଡାଏରୀ ବଜାରକୁ ଏକ ନୂଆ ସ୍ବାଦର କ୍ଷୀର ଆଣିଛି । ସୋମବାର ଦିନ କମ୍ପାନୀ ପକ୍ଷରୁ ବଟରସ୍କଟ ସ୍ୱାଦରେ ହଳଦୀ କ୍ଷୀର ବା ହଳଦୀ ମିଶ୍ରିତ କ୍ଷୀରର ଲୋକାର୍ପଣ କରାଯାଇଛି ।
ଏହି କ୍ଷୀରର ଲୋକାର୍ପଣ ଅବସରରେ ମଦର ଡାଏରୀ ପରିଚାଳନା ନିର୍ଦ୍ଦେଶକ ସଂଗ୍ରାମ ଚୌଧୁରୀ କହିଛନ୍ତି ଯେ, କୋରୋନା ଭୂତାଣୁକୁ ଦୃଷ୍ଟିରେ ରଖି ଲୋକଙ୍କ ରୋଗ ପ୍ରତିରୋଧକ ଶକ୍ତି ବଢାଇବା ଅତ୍ୟନ୍ତ ଆବଶ୍ୟକ ହୋଇପଡିଛି । ଏହାକୁ ଦୃଷ୍ଟିରେ ରଖି ଦୁଗ୍ଧ ଏବଂ ଦୁଗ୍ଧଜାତ ଦ୍ରବ୍ୟ ଏବଂ ଏନଡିଡିବିର ସହାୟତାରେ କମ୍ପାନୀ ପକ୍ଷରୁ ଏହି କ୍ଷୀରର ଉତ୍ପାଦନ କରାଯାଇଛି । ହଦଳୀରେ ପରିପୂର୍ଣ୍ଣ ଏହି କ୍ଷୀରର ପ୍ରତିଟି ବୋତଲ ଏକ ଚାମଚ ହଦଳୀର ଲାଭ ଦେଇଥାଏ ।
ସେ କହିଛନ୍ତି, ହଳଦୀ ଏବଂ କ୍ଷୀରର ମିଶ୍ରଣକୁ ଆଜି ବିଶ୍ୱରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବାରେ ଗୁରୁତ୍ୱପୂର୍ଣ୍ଣ ମନେ କରାଯାଉଛି । ଆଗକାଳରେ ହଳଦୀକୁ ରୋଗ ଭଲ କରିବା ପାଇଁ ବ୍ୟବହାର କରାଯାଉଥିଲା । ହଳଦୀର ଗୁଣ ହଜାରେ ବର୍ଷ ପୁରୁଣା ଭାରତୀୟ ଆୟୁର୍ବେଦିକ ବିଜ୍ଞାନରେ ଉଲ୍ଲେଖ କରାଯାଇଛି । ହଳଦୀ ରୋଗର ମୁକାବିଲା ପାଇଁ ଶକ୍ତି ପ୍ରଦାନ କରିବା ସହ ସଂକ୍ରମଣରୁ ସୁରକ୍ଷା ଦେଇଥାଏ । ତେଣୁ କୋରୋନା ଭାଇରସ୍ ମହାମାରୀ ମଧ୍ୟରେ ରୋଗ ପ୍ରତିରୋଧକ ଶକ୍ତି ବଢାଇବା ପାଇଁ ଆୟୁଷ ମନ୍ତ୍ରଣାଳୟ ଦ୍ବାରା ଦିଆଯାଇଥିବା ନିର୍ଦ୍ଦେଶ ଏବଂ ପରାମର୍ଶକୁ ଦୃଷ୍ଟିରେ ରଖି ମଦର ଡାଏରୀ ଏହି ନୂତନ ଉତ୍ପାଦ ପ୍ରସ୍ତୁତ କରିଛି ।
ଏହି ନୂତନ ଉତ୍ପାଦ ମଦର ଡାଏରୀର ସମସ୍ତ ବୁଥ ଏବଂ ଭାଗୀଦାରୀ ନେଇଥିବା ଦୋକାନରେ 25 ଟଙ୍କାରେ ଉପଲବ୍ଧ ହେବ । ଏହାକୁ ଥଣ୍ଡା ଏବଂ ଗରମ କରି ମଧ୍ୟ ପିଇପାରିବେ ।