ନୂଆଦିଲ୍ଲୀ: ରାଜ୍ୟରେ ଦ୍ବିତୀୟ ପର୍ଯ୍ୟାୟ ଲକଡାଉନ ଜାରି ରହିଛି । ଏହି ପରିପ୍ରେକ୍ଷୀରେ ସୋମବାର ପ୍ରଧାନମନ୍ତ୍ରୀ ମୋଦି ଭିଡିଓ କନଫରେନ୍ସିଂ ମାଧ୍ୟମରେ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଆଗାମୀ ରଣନୀତି ନେଇ ଆଲୋଚନା କରିଛନ୍ତି । ବୈଠକ ଶେଷ ପରେ ପୁଡୁଚେରୀ ମୁଖ୍ୟମନ୍ତ୍ରୀ ବେଲୁ ନାରାୟଣସ୍ବାମୀ ନିଜ ପ୍ରତିକ୍ରିୟା ଦେଇଛନ୍ତି ।
ସେ କହିଛନ୍ତି ବୈଠକରେ ଏକାଧିକ ରାଜ୍ୟ ଲକଡାଉନ କଟକଣା ଜାରି ରଖିବା ସହ ପ୍ରଭାବିତ ଅଞ୍ଚଳରେ ପର୍ଯ୍ୟାୟକ୍ରମେ ତାଲାବନ୍ଦ କଟକଣା ଲାଗୁ ଏବଂ କୋହଳ କରିବାକୁ ପ୍ରସ୍ତାବ ଦେଇଛନ୍ତି । ଏଥିପାଇଁ କେନ୍ଦ୍ର ନିଷ୍ପତ୍ତି ନେବାକୁ ଆଗ୍ରହ ପ୍ରକାଶ କରିଛନ୍ତି ।
ସେ ଆହୁରି ମଧ୍ୟ କହିଥିଲେ ଯେ, ରାଜ୍ୟରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା କ୍ରମାଗତ ଭାବେ ବୃଦ୍ଧି ପାଉଛି । ଏଥିପାଇଁ ସତର୍କ ରହିବା ସହ ଆର୍ଥିକ ଗତିବିଧିକୁ ଧୀରେ ଧୀରେ ଆରମ୍ଭ କରିବା ଆବଶ୍ୟକ ରହିଛି ବୋଲି ଅନେକ ରାଜ୍ୟର ମୁଖ୍ୟମନ୍ତ୍ରୀ ମତବ୍ୟକ୍ତ କରିଥିଲେ । ସେ ଏହା ମଧ୍ୟ କହିଛନ୍ତି କି, ଯେତେବେଳେ ବୈଠକରେ ଆର୍ଥିକ ପ୍ୟାକେଜ କଥା ଉଠିଥିଲା ସେତେବେଳେ ପ୍ରଧାନମନ୍ତ୍ରୀଙ୍କ ପକ୍ଷରୁ କୌଣସି ସକରାତ୍ମକ ଉତ୍ତର ଆସିନଥିଲା । ହେଲେ କୋରୋନା ପ୍ରତିହତ ପାଇଁ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ପ୍ରୟାସର ପ୍ରଶଂସା କରିଥିଲେ ।
ସେହିପରି ପ୍ରବାସୀମାନଙ୍କ କେନ୍ଦ୍ର ସରକାରଙ୍କ ଦ୍ବାରା ନିଜ ନିଜ ରାଜ୍ୟକୁ ପଠାଇବା ପାଇଁ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର କହିଥିଲେ । ତେବେ ବିଦେଶରେ ଫସିଥିବା ଭାରତୀୟ ଛାତ୍ରଙ୍କୁ ଫେରାଇ ଆଣିବା ବିଷୟରେ ମଧ୍ୟ ପ୍ରଧାନମନ୍ତ୍ରୀ କୌଣସି ପ୍ରତିକ୍ରିୟା ରଖିନଥିଲେ ।
ଏଯାବ୍ତ କେନ୍ଦ୍ରଶାସିତ ଅଞ୍ଚଳରେ କୋଭିଡ 19ର 3ଟି ମାମଲା ସାମ୍ନାକୁ ଆସିଥିବା ବେଳେ 2 ହଜାରରୁ ଅଧିକ ଲୋକ ସେଲ୍ଫ କ୍ବାରେନଣ୍ଟାଇନରେ ଥିବା ମୁଖ୍ୟମନ୍ତ୍ରୀ ନାରାୟଣସ୍ବାମୀ କହିଛନ୍ତି ।