ହାଇଦ୍ରାବାଦ: କେନ୍ଦ୍ରରେ ମୋଦି ସରକାରର ଦ୍ବିତୀୟ ଇନିଂସକୁ 6 ମାସ ପୁରିଛି । ଏ ନେଇ ମୋଦି ଟ୍ବିଟ କରି ଦେଶବାସୀଙ୍କୁ ଧନ୍ୟବାଦ ଜଣାଇଛନ୍ତି । 130 କୋଟି ଭାରତୀୟଙ୍କ ଆଶୀର୍ବାଦ ସହ ଏନଡିଏ ସରକାର ଭାରତର ବିକାଶ ପାଇଁ ଜନତାଙ୍କ ଜୀବନକୁ ସଶକ୍ତ କରିବା ଦିଗରେ କାର୍ଯ୍ୟ ଜାରି ରଖିଛି ବୋଲି ପିଏମ ମୋଦି ଲେଖିଛନ୍ତି।
6 ମାସର କାର୍ଯ୍ୟକାଳକୁ ଯଦି ସମୀକ୍ଷା କରାଯାଏ, ତେବେ ଟ୍ରିପଲ ତଲାକକୁ ସମାପ୍ତ କରିବା, ଜାମ୍ମୁ-କାଶ୍ମୀରରୁ 370 ଧାରା ଉଚ୍ଛେଦ ଭଳି ବଡ ନିଷ୍ପତ୍ତି ନେଇ ଇତିହାସ ରଚିଛି ମୋଦି ସରକାର। ଅଯୋଧ୍ୟାରେ ରାମ ମନ୍ଦିର ଭଳି ପୁରୁଣା ମାମଲାର ସମାଧାନ ସୁପ୍ରିମକୋର୍ଟଙ୍କ ଆଦେଶ କ୍ରମେ ମୋଦି ସରକାରଙ୍କ ଦ୍ବୀତିୟ କାର୍ଯ୍ୟକାଳରେ ହିଁ ହୋଇଛି। ଅନ୍ୟପକ୍ଷରେ ଆର୍ଥିକ କ୍ଷେତ୍ରରେ ମଧ୍ୟ ମୋଦି ସରକାରକୁ ଅନେକ ଆଲୋଚନାର ସାମ୍ନା କରିବାକୁ ପଡିଛି ।
ନିର୍ବାଚନୀ ସଫଳତା ହିସାବରୁ ଏହି 6 ମାସ କ୍ଷମତାସୀନ ସରକାର ପାଇଁ ଏତେ ଶୁଭ ରହି ନାହିଁ । ମହାରାଷ୍ଟ୍ରରେ ମହାରାଷ୍ଟ୍ର ବିଜେପିର ହାତରୁ ଯାଇ ସାରିଥିବା ବେଳେ ଅନେକ ପୁରୁଣା ସାଥି ହାତ ଛାଡି ଦେଇଛନ୍ତି।
ଟ୍ରିପଲ ତଲାକ ବିରୁଦ୍ଧରେ ଆଇନ:
ମହାରାଷ୍ଟ୍ରରେ ବିଜେପିକୁ ମହା ଝଟକା ଲାଗିବାର ଟିକିଏ ପଛକୁ ଯଦି ଫେରିବା ତେବେ ସରକାରର ଏହି 6 ମାସ ଅନେକ ବଡ ନିଷ୍ପତ୍ତିର ସାକ୍ଷୀ ରହିଛି । ଦ୍ବିତୀୟ ଥର ପାଇଁ କ୍ଷମତାକୁ ଆସିବା କ୍ଷଣି ମୋଦି ସରକାର ସର୍ବ ପ୍ରଥମେ ଟ୍ରିପଲ ତଲାକରୁ ମୁସଲିମ ମହିଳାଙ୍କୁ ମୁକ୍ତି ଦେବା କ୍ଷେତ୍ରରେ ପଦକ୍ଷେପ ନେଇଥିଲେ। ମୁସଲିମ ମହିଳା ବିବାହ ଅଧକାର ସଂରକ୍ଷଣ ଆଇନ-2019କୁ ସଂସଦର ଉଭୟ ଗୃହରେ ପାରିତ କରାଯାଇଥଲା। ରାଜ୍ୟସଭାରେ ବହୁମତ ନଥିବା ସତ୍ତ୍ବେ ମୋଦି ସରକାର ଏହି ଆଇନକୁ ପାରିତ କରିବାରେ ସଫଳ ହୋଇଥିଲେ।
ଜାମ୍ମୁ ଓ କାଶ୍ମୀରରେ ଧାରା 370 ଉଚ୍ଛେଦ:
ଧାରା 370 ମାମଲା ସବୁବେଳେ ବିଜେପିର ନିର୍ବାଚନୀ ଘୋଷଣା ପତ୍ରର ଅଂଶ ବିଶେଷ ରହି ଆସିଥିଲା । ଏହାକୁ ଉଚ୍ଛେଦ କରିବାକୁ ବର୍ଷ ବର୍ଷ ଧରି ଦାବି ଉଠି ଆସୁଥିଲା । 2014ରୁ 2019 ପର୍ଯ୍ୟନ୍ତ ସରକାର ଚଳାଇବା ପରେ ଯେବେ ଦ୍ବିତୀୟ ଥର ଆହୁରି ଅଧିକ ବହୁମତ ସହ ମୋଦି ସରକାରର ପ୍ରତ୍ୟାବର୍ତ୍ତନ ହେଲେ ସେବେ ଏହି ଧାରାର ସମାଧନ ପାଇଁ ନିଷ୍ପତ୍ତିର ରାସ୍ତା ଖୋଲି ଗଲା । ସଂସଦରେ ଧାରା 370 ଉଚ୍ଛେଦ ସହ ଦେଶକୁ ଆଉ ଦୁଇଟି କେନ୍ଦ୍ର ଶାସିତ ଅଞ୍ଚଳ ମଧ୍ୟ ମିଳିଗଲା।
ଆସାମରେ ଏନଆରସି ଲାଗୁ:
ଆସାମରେ ଏନଆରସି ଲାଗୁ ବି ମୋଦି ସରକାରର ଦ୍ବିତୀୟ କାର୍ଯ୍ୟକାଳର ଏକ ବଡ ନିଷ୍ପତ୍ତି । କେବଳ ଏତିକି ନୁହେଁ ପୁରା ଦେଶରେ ବି ଏନଆରସି ଲାଗୁ କରିବା ପାଇଁ ସରକାର ପ୍ରସ୍ତୁତ ହେଉଛି ।
ଅର୍ଥନୀତିକୁ ନେଇ ବିରୋଧିଙ୍କ ଟାର୍ଗେଟରେ ବିଜେପି:
ହୁଏତ ଅନେକ ବଡ ନିଷ୍ପତ୍ତି ସରକାର ଆତ୍ମବିଶ୍ବାସ ବଢାଇଛି ହେଲେ ଦେଶର ଅର୍ଥନୀତି ଅଭିବୃଦ୍ଧି ହାର ଧିମେଇବା ଯୋଗୁଁ ସରକାର ବିରୋଧୀଙ୍କ ଆଲୋଚନାର ସାମ୍ନା କରିଛି । ଏପରି ସ୍ଥିତିରେ ଆଗାମୀ ଦିନରେ ମୋଦି ସରକାର ବିରୋଧୀଙ୍କ ଏହି ଆଲୋଚନାର କିପରି ସାମ୍ନା କରୁଛି ତାହା ଦେଖିବାକୁ ବାକି ରହିଲା।