ମୁମ୍ବାଇ: ଲୋକସଭା ନିର୍ବାଚନ ପାଖେଇ ଆସୁଥିବାବେଳେ ମହାରାଷ୍ଟ୍ର ନିର୍ବାଚନରେ ଦେଖାଦେଇଛି ଟ୍ୱିଷ୍ଟ । ମହାରାଷ୍ଟ୍ର ନବନିର୍ମାଣ ସେନା (ଏମଏନଏସ) ଆଗାମୀ ଲୋକସଭା ନିର୍ବାଚନ ନଲଢିବାକୁ ନିଷ୍ପତ୍ତି ନେଇଛି । ଏମଏନଏସର ମୁଖପାତ୍ର ଶିରୀଷ ସାୱନ୍ତ ଏ ସମ୍ପର୍କରେ ଏକ ବୟାନ ଜାରି କରି ସୂଚନା ଦେଇଛନ୍ତି ।
ଏହା ଅନୁସାରେ ଏମଏନଏସର ମୁଖ୍ୟ ରାଜ ଠାକରେ କହିଛନ୍ତି ଯେ ଦଳ ଏଥର ନିର୍ବାଚନ ଲଢିବ ନାହିଁ । ଭୋଟ ହାର ହ୍ରାସ ପାଉଥିବାରୁ ଏଭଳି ନିଷ୍ପତ୍ତି ନେଇଥିବା ଚର୍ଚ୍ଚା ହେଉଛି । ୨୦୦୯ ଲୋକସଭା ନିର୍ବାଚନରେ ଏମଏନଏସକୁ ରାଜ୍ୟରେ ୪.୦୭ ପ୍ରତିଶତ ଭୋଟ ହାସଲ ମିଳିଥିଲା । ତେବେ ୨୦୧୪ ଲୋକସଭା ନିର୍ବାଚନରେ ପାର୍ଟି ଗୋଟିଏ ବି ଲୋକସଭା ଆସନରୁ ବିଜୟୀ ହୋଇନଥିଲା । ଅନ୍ୟପକ୍ଷରେ ବିଧାନସଭା ନିର୍ବାଚନରେ ଏମଏନଏସ ୨୫୦ ଆସନରୁ ମାତ୍ର ଗୋଟିଏ ଆସନରୁ ବିଜୟୀ ହୋଇଥିଲା । ହେଲେ ଏହାର ଏକମାତ୍ର ବିଧାୟକ ଥିବା ନେତା ମଧ୍ୟ ଏଥର ଦଳ ଛାଡିଛନ୍ତି ।
ମହାରାଷ୍ଟ୍ରରେ ଲୋକେ ଏମଏନଏସକୁ ପସନ୍ଦ କରୁନଥିବା ଜଣାପଡିଛି । ବିଶେଷ କରି ଏହାର କର୍ମୀଙ୍କ ହିଂସାତ୍ମକ କାର୍ଯ୍ୟ ଲୋକଙ୍କୁ ପସନ୍ଦ ନାହିଁ । ଅନେକ ଘଟଣାରେ ଏମାନଙ୍କ ସିଧାସଳଖ ସମ୍ପୃକ୍ତି ଏବଂ ବେବାକ୍ ବୟାନବାଜି ପାଇଁ ଜନତାଙ୍କ ସମର୍ଥନ ହାସଲ କରିବାରେ ଏମାନେ ବିଫଳ ହୋଇଛନ୍ତି ବୋଲି କୁହାଯାଉଛି । ଏହାର କର୍ମୀ ହିଂସାବାଦୀ ପନ୍ଥା ଆପଣାଇଥାନ୍ତି ଯେଉଁଥିପାଇଁ ଅନେକ ସମୟରେ ଏମାନେ ସମାଲୋଚନାର ଶିକାର ହୁଅନ୍ତି ।
ତେବେ ଦଳ ଶରଦ ପାୱାରଙ୍କ ନେତୃତ୍ୱଧୀନ ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି(ଏନସିପି)କୁ ସମର୍ଥନ ଦେବ ବୋଲି କୁହାଯାଉଛି । ସୂଚନାନୁସାରେ ଆସନ୍ତାକାଲି ଅର୍ଥାତ ମଙ୍ଗଳବାର ରାଜ ଠାକରେ ଏକ ରାଲିର ଆୟୋଜନ କରିବେ, ଯେଉଁଥିରେ ସେ ଏନସିପିକୁ ସମର୍ଥନ ଦେବେ ବୋଲି କୁହାଯାଉଛି । ହେଲେ ଏନେଇ ରାଜ କୌଣସି ସ୍ପଷ୍ଟ ସୂଚନା ଦେଇନାହାନ୍ତି ।