ହାଇଦ୍ରାବାଦ: ହସ୍ପିଟାଲରୁ ହଠାତ ନିଖୋଜ ହୋଇଯାଇଥିବା ଜଣେ କୋରୋନା ସନ୍ଦିଗ୍ଧଙ୍କଙ୍କ ମୃତଦେହ ଉଦ୍ଧାର ହୋଇଛି । ତେବେ ଆଶ୍ଚର୍ଯ୍ୟର କଥା ହେଉଛି ରୋଗୀଙ୍କ ମୃତଦେହ ଉକ୍ତ ହସ୍ପିଟାଲର ଶବଗୃହରୁ ଠାବ ହୋଇଛି । ହାଇଦ୍ରାବାଦର ଗାନ୍ଧୀ ହସ୍ପିଟାଲରେ ଦେଖିବାକୁ ମିଳିଛି ଏଭଳି ଅଭାବନୀୟ ଘଟଣା ।
ପୋଲିସ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, 39 ବର୍ଷିୟ ନରେନ୍ଦ୍ର ସିଂହଙ୍କର ସ୍ବାଶକ୍ରିୟାରେ ବାଧା ସୃଷ୍ଟି ହେବା ସହ ଜ୍ବର ପରିଲକ୍ଷିତ ହେବାରୁ ତାଙ୍କୁ ମେ 31 ତାରିଖରେ ହାଇଦ୍ରାବାଦର ଗାନ୍ଧୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଏହାପରେ ସେ ହସ୍ପିଟାଲରୁ ହଠାତ ନିଖୋଜ ହୋଇଯାଇଥିବା ତାଙ୍କ ପରିବାର ପକ୍ଷରୁ ଅଭିଯୋଗ କରାଯାଇଥିଲା । ଜୁନ 6 ତାରିଖରେ ସେମାନେ ପୋଲିସ ନିକଟରେ ଅଭିଯୋଗ କରିବା ପରେ ପୋଲିସର ତଦନ୍ତ ଆରମ୍ଭ ହୋଇଥିଲା ।
ତେବେ ଗାନ୍ଧୀ ହସ୍ପିଟାଲରେ ଭର୍ତ୍ତି କରିବା ପୂର୍ବରୁ ନରେନ୍ଦ୍ର ସିଂହଙ୍କର ଉସମାନିଆ ଏବଂ କିଙ୍ଗ କୋଟି ହସ୍ପିଟାଲରେ ଚିକିତ୍ସା କରାଯାଇଥିଲା । ସିଂହଙ୍କର ଜୁନ 31 ତାରିଖରେ ହିଁ ମୃତ୍ୟୁ ଘଟିଥିବା ପୋଲିସ ତଦନ୍ତରୁ ଜଣାପଡିଛି । ହେଲେ ହସ୍ପିଟାଲ କର୍ତ୍ତୃପକ୍ଷ ତାଙ୍କ ନାଁରେ ଜଣେ 65 ବର୍ଷିୟ ଅଜଣା ମୃତଦେହ ପରିବାର ଲୋକଙ୍କୁ ହସ୍ତାନର କରିଥିଲେ । ତେଣୁ ପରିବାର ଲୋକେ ସିଂହ ନିଖୋଜ ହେବା ନେଇ ପୋଲିସରେ ଏତଲା ଦେଇଥିଲେ ।
ଏହାପରେ ଜୁନ 19 ତାରିଖରେ ହସ୍ପିଟାଲ ଶବଗୃହରେ ପଡିରହିଥିବା ଏକ ଅଜ୍ଞାତ ମୃତଦେହର ଚିହ୍ନଟ ପାଇଁ ସିଂହଙ୍କ ପରିବାରକୁ ଡାକ୍ତରଖାନାକୁ ଡକାଯାଇଥିଲା । ଏହି ଅଜ୍ଞାତ ମୃତଦେହ ସିଂହଙ୍କର ବୋଲି ଜଣାପଡିଥିଲା ।