ନୂଆଦିଲ୍ଲୀ: ଦେଶରେ ଟ୍ରକ ଚଳାଚଳକୁ ସ୍ବାଭାବିକ କରିବାକୁ ଗୃହ ମନ୍ତ୍ରଣାଳୟ କହିଛି । ଏନେଇ ଗୁରୁବାର ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ନିର୍ଦ୍ଦେଶ ଜାରି କରିଛି ମନ୍ତ୍ରଣାଳୟ । ଲକଡାଉନରେ ସମସ୍ତ ପ୍ରକାର ସାମଗ୍ରୀର ଯୋଗାଣ ଜାରି ରଖିବାକୁ ଏପରି ନିଷ୍ପତ୍ତି ନିଆଯାଇଛି ।
କେତେକ ରାଜ୍ୟର ସୀମାରେ ଟ୍ରକଙ୍କୁ ପ୍ରବେଶ ଅନୁମତି ମିଳୁନଥିବାର ଦେଖାଯାଇଛି । ଏଠାରେ ସ୍ଥାନୀୟ କର୍ତ୍ତୃପକ୍ଷ ପୃଥକ ପାସ ମାଗୁଥିବାର ସୂଚନା ମିଳିଛି । ଯାହାକୁ ଦୃଷ୍ଟିରେ ରଖି ଏପରି ନିର୍ଦ୍ଦେଶ ଜାରି ହୋଇଛି । ଏନେଇ ପୂର୍ବରୁ ସ୍ପଷ୍ଟ କରାଯାଇଥିଲା ଏବଂ ଏବେ ମଧ୍ୟ ସମାନ କଥା ଦୋହରାଯାଉଛି । ସମସ୍ତ ପ୍ରକାର ଯୋଗାଣ ତଥା ଅତ୍ୟାବଶ୍ୟକୀୟ ସାମଗ୍ରୀ ନେଉଥିବା ଟ୍ରକ ଏପରିକି ଖାଲି ଟ୍ରକକୁ ମଧ୍ୟ ମାଗଣାରେ ଯିବାର ଅନୁମତି ଦିଆଯିବ । ଟ୍ରକ ଚଳାଚଳରେ କୌଣସି ପ୍ରକାର ବାଧା ସୃଷ୍ଟି ନହେଉ । ଦେଶବ୍ୟାପୀ ସାମଗ୍ରୀ ଯୋଗାଣ ପାଇଁ ଏହା ଅତ୍ୟାବଶ୍ୟକୀୟ ବୋଲି ମନ୍ତ୍ରଣାଳୟ ପକ୍ଷରୁ ପ୍ରକାଶିତ ନିର୍ଦ୍ଦେଶାନାମାରେ କୁହାଯାଇଛି ।
ଏହାସହ ସମସ୍ତ ଜିଲ୍ଲା ଅଧିକାରୀ ଏବଂ ସ୍ଥାନୀୟ କର୍ତ୍ତୃପକ୍ଷଙ୍କୁ ଏହି ବିଷୟରେ ସଚେତନ କରିଦେବାକୁ ଏଥିରେ କୁହାଯାଇଛି । ପୂର୍ବରୁ ଏପ୍ରିଲ 28ରେ କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀ ଏନେଇ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ସହ ଜରୁରୀ ବୈଠକ ଡାକିଥିଲେ । ଲକଡାଉନରେ ଏପରି ସମସ୍ୟା ଦୂର କରିବାକୁ ଯଥାଶିଘ୍ର ପଦକ୍ଷେପ ନେବା ପାଇଁ ସେ ଅନୁରୋଧ କରିଥିଲେ ।