ନୂଆଦିଲ୍ଲୀ: ପଦାରେ ପଡିଲା ପାକିସ୍ତାନର ମିଛ । ନିଖୋଜ ନୁହେଁ ବରଂ ପାକିସ୍ତାନର ବହାବଲପୁରରେ ଲୁଚି ରହିଛି କୁଖ୍ୟାତ ଆତଙ୍କବାଦୀ ମସୁଦ ଅଜହର । ପାକିସ୍ତାନ ସରକାରଙ୍କ ପକ୍ଷରୁ ତାକୁ ଆଉ ତା ପରିବାରକୁ ଦିଆଯାଉଛି ସୁରକ୍ଷା । ଫାଇନାନ୍ସସିଆଲ ଆକ୍ସନ ଟାକ୍ସ ଫୋର୍ସ (FATF) ଯାଞ୍ଚରୁ ବଞ୍ଚିବା ପାଇଁ ପାକିସ୍ତାନ କହିଥିଲା ମିଛ ।
ଗୁଇନ୍ଦା ରିପୋର୍ଟରେ ଏହି ତଥ୍ୟ ସାମ୍ନାକୁ ଆସିଛି । ମିଳିଥିବା ସୂଚନା ମୁତାବକ, ବହାବଲପୁରର ମରକଜ-ଏ-ଉସ୍ମାନରେ କଡା ସୁରକ୍ଷା ମଧ୍ୟରେ ମସୁଦକୁ ରଖାଯାଇଛି । ଗତ କିଛି ଦିନ ତଳେ ଇମ୍ରାନ ସରକାରଙ୍କ ଜଣେ ମନ୍ତ୍ରୀ କହିଥିଲେ କି, ମସୁଦ ନିଖୋଜ ହୋଇଯାଇଛି ।
ପ୍ରକାଶ ଯେ, ଫ୍ରାନ୍ସର ରାଜଧାନୀ ପାରିସରେ FATFର ବୈଠକ ଚାଲୁ ରହିଛି । ଏଥିରେ ପାକିସ୍ତାନ ବିରୋଧରେ ଆଲୋଚନା ଜାରି ରହିଛି । ଏପଟେ ଇମ୍ରାନ ସରକାର ଆତଙ୍କବାଦୀଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପରିବର୍ତ୍ତେ ଆତଙ୍କବାଦୀଙ୍କୁ ସୁରକ୍ଷା ଯୋଗାଇ ଦେଉଛନ୍ତି ।