ପାନାଜୀ: ଦୀର୍ଘଦିନରୁ ଅସୁସ୍ଥ ଥିବା ଗୋଆ ମୁଖ୍ୟମନ୍ତ୍ରୀ ମନୋହର ପାରିକରଙ୍କ ସ୍ବାସ୍ଥ୍ୟବସ୍ଥା ଗୁରୁତର ହୋଇପଡିଛି । ଏମରଜେନ୍ସୀ ୱାର୍ଡରେ ଭର୍ତ୍ତି ହୋଇଛନ୍ତି ପାରିକର । ତେବେ ବିଶେଷଜ୍ଞ ଡାକ୍ତରୀ ଦଳ ତାଙ୍କ ଚିକିତ୍ସାରେ ଲାଗିଛନ୍ତି । ଗୋଆ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଏହି ସୂଚନା ମିଳିଛି । ଦୀର୍ଘଦିନରୁ ପାନକ୍ରିୟାଟିକ କ୍ୟାନସରରେ ପୀଡିତ ରହି ଚିକିତ୍ସିତ ହେଉଛନ୍ତି ସେ ।
ବିଗତ ଦିନରେ ସେ ନିଜ ଚିକିତ୍ସା ପାଇଁ ଆମେରିକା ମଧ୍ୟ ଯାଇଥିଲେ । ଏହାସହ ସେ ବହୁଦିନ ଧରି ଦିଲ୍ଲୀ ଏମ୍ସରେ ଭର୍ତ୍ତି ଥିଲେ । ଅନ୍ୟପକ୍ଷେ ଗୋଆ ଉପମୁଖ୍ୟମନ୍ତ୍ରୀ ଫ୍ରାନ୍ସିସ ଡିସୁଜାଙ୍କ ନିଧନ ପରେ ସରକାର ସଂଖ୍ୟା ଗରିଷ୍ଠତା ହରାଇଛନ୍ତି ବୋଲି କଂଗ୍ରେସ ଅଭିଯୋଗ ଆଣିଛି । ଏହାସହ କଂଗ୍ରେସ ରାଜ୍ୟରେ ସରକାର ଗଢିବା ପାଇଁ ରାଜ୍ୟପାଳଙ୍କୁ ଚିଠି ଲେଖିଛି ।
୪୦ ଜଣ ସଦସ୍ୟ ବିଶିଷ୍ଟ ଗୋଆ ବିଧାନସଭାରେ କଂଗ୍ରେସ ସବୁଠାରୁ ବଡ ଦଳ । କଂଗ୍ରେସ ପାଖରେ ୧୪ ଜଣ ବିଧାୟକ ଅଛନ୍ତି । ଅନ୍ୟପକ୍ଷେ ବିଜେପି ପାଖରେ ୧୩ ଜଣ ବିଧାୟକ ଅଛନ୍ତି । ଏହାସହ ମହାରାଷ୍ଟ୍ରବାଦୀ ଗୋମନ୍ତକ ପାର୍ଟିର ୩, ଗୋଆ ଫର୍ୱାଡ ପାର୍ଟିର ୩ ଓ ୩ ସ୍ବାଧୀନ ବିଧାୟକ ଅଛନ୍ତି ।