ନୂଆଦିଲ୍ଲୀ: ସପ୍ତଦଶ ଲୋକସଭାର ପ୍ରଥମ ଅଧିବେଶନ ଜୁନ 17ରୁ ଆରମ୍ଭ ହେବ । ପ୍ରଧାନମନ୍ତ୍ରୀ ମୋଦିଙ୍କ ଦ୍ବିତୀୟପାଳିରେ ଏହା ହେବ ପ୍ରଥମ ଅଧିବେଶନ । ତେଣୁ ଆସନ୍ତା 19ରେ ବାଚସ୍ପତି ନିର୍ବାଚନ ହେବେ । ସଂଖ୍ୟା ଗରିଷ୍ଠତା ହାସଲ କରିଥିବା ଦଳରୁ ବାଚସ୍ପତି ପ୍ରାର୍ଥୀ ନିର୍ବାଚିତ ହୋଇଥାନ୍ତି । ଏହି ରେସରେ ପୂର୍ବ କେନ୍ଦ୍ରମନ୍ତ୍ରୀ ମେନକା ଗାନ୍ଧୀ, ରାଧାମୋହନ ଓ ବୀରେନ୍ଦ୍ର କୁମାର ନାମ ଚର୍ଚ୍ଚା ହେଉଛି । ଏଥିସହ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ ଓ ଏସ.ଏସ. ଆହ୍ଲୁଓ୍ବାଲିଆ ମଧ୍ୟ ସାମିଲ ଅଛନ୍ତି ।
ତେବେ ଏହି ରେସରେ ଆଗରେ ଅଛନ୍ତି ମେନକା ଗାନ୍ଧୀ । 8 ଥର ସାଂସଦ ହୋଇଥିବା ବେଳେ ଲୋକସଭାର ବହୁ ପୁରୁଣା ସଦସ୍ୟ ମେନକା । ତେବେ ବର୍ତ୍ତମାନ ମେନକାଙ୍କୁ କାମଚଳା ବାଚସ୍ପତି ଦାୟିତ୍ବ ଦିଆଯାଇଛି ।
ସେହିପରି 6ଥର ସାଂସଦ ହୋଇଥିବା ରାଧାମୋହନ ମଧ୍ୟ ବାଚସ୍ପତି ପାଇଁ ପ୍ରମୁଖ ଦାବିଦାର କୁହାଯାଉଛି । ଦଳୀୟ ସଙ୍ଗଠନରେ ତାଙ୍କର କାର୍ଯ୍ୟଶୈଳୀକୁ ବେଶ ପ୍ରଭାବ ପକାଇଛି ।
ବୀରେନ୍ଦ୍ର କୁମାର ମଧ୍ୟ 6ଥର ସାଂସଦ ହୋଇଥିବା ବେଳେ ଦଳିତ ନେତା ହୋଇଥିବାରୁ ତାଙ୍କ ନାମ ନିଆଯାଉଛି । ଆହ୍ଲୁଓ୍ବାଲିଆ ପୂର୍ବରୁ ସଂସଦୀୟ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ରହିସାରିଛନ୍ତି । ତେଣୁ ଗୃହ ସମ୍ଭାଳି ନେବାର ଦକ୍ଷତା ତାଙ୍କ ନିକଟରେ ରହିଛି ।
ସେପଟେ ଦକ୍ଷିଣ ଭାରତରୁ ଜଣେ ଏମପିଙ୍କୁ ମଧ୍ୟ ବାଚସ୍ପତି କରାଯିବାର ସମ୍ଭାବନା ରହିଛି ବୋଲି ଜଣାପଡିଛି ।