କୋଲକାତା: ଗୋଟିଏ ପରିବାରର ତିନି ଜଣ ସଦସ୍ୟଙ୍କ ଆତ୍ମହତ୍ୟା । ନିଜ ସ୍ତ୍ରୀ ଓ ଛୋଟ ପୁଅ ଉପରେ କିରୋସିନ ଢାଳି ନିଜ ଦେହରେ ନିଆଁ ଲଗାଇଲେ ବ୍ୟକ୍ତି । ଘଟଣାସ୍ଥଳରେ ସମସ୍ତଙ୍କ ମୃତ୍ୟୁ ହୋଇଛି । ଏଭଳି ଏକ ଦୁଃଖଦ ଘଟଣା ଘଟିଛି ପଶ୍ଚିମବଙ୍ଗ ପୁର୍ବ ବର୍ଦ୍ଧମାନର ମଣ୍ଟେଶ୍ବର ଥାନା ଅଞ୍ଚଳରେ । ଜଣେ ଆରପିଏଫ କର୍ମଚାରୀ ନିଜେ, ନିଜ ସ୍ତ୍ରୀ ଓ ଚାରି ବର୍ଷର ପୁଅ ଦେହରେ ନିଆଁ ଲଗାଇ ମଙ୍ଗଳବାର ଆତ୍ମହତ୍ୟା କରିଛନ୍ତି । ଯାହା ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳାଇ ଦେଇଛି । ସୌଭାଗ୍ୟବଶତଃ ତାଙ୍କର 11 ବର୍ଷିୟ ଝିଅ ବଞ୍ଚିଯାଇଛନ୍ତି । ତେବେ କେଉଁ କାରଣରୁ ବ୍ୟକ୍ତି ଜଣକ ଏଭଳି ପଦକ୍ଷେପ ନେଲେ, ଏନେଇ କିଛି ସ୍ପଷ୍ଟ ହୋଇନାହିଁ ବୋଲି ପୋଲିସ କହିଛି ।
ମୃତ ବ୍ୟକ୍ତିଙ୍କ ନାବାଳିକା ଝିଅଟିର କହିବା ମୁତାବକ, ତାଙ୍କ ବାପା ସୁଦେବ ଦେ(38) ମଙ୍ଗଳବାର ବିଳମ୍ବିତ ରାତି ପ୍ରାୟ 1 ଟାରେ ପରିବାରର ସମସ୍ତ ସଦସ୍ୟଙ୍କୁ ଉଠାଇ ଏକାଠି ମରିବାକୁ କହିଥିଲେ । ପରେ ସେ ନିଜେ, ତାଙ୍କ ମାଆ ରେଖା ଓ 4 ବର୍ଷର ଛୋଟ ଭାଇ ଦେହରେ କିରୋସିନ ଢାଳି ନିଆଁ ଲଗାଇଥିଲେ । ଏହା ଦେଖି ଝିଅଟି ଭୟଭୀତ ହୋଇ ସେଠାରୁ ପଳାଇ ଯାଇଥିଲା ଓ ଜଣେ ସମ୍ପର୍କୀୟଙ୍କୁ ଫୋନ କରି ଘଟଣା ସମ୍ପର୍କରେ ଜଣାଇଥିଲା । ସମ୍ପର୍କୀୟମାନେ ଘଟଣାସ୍ଥଳରେ ପହଞ୍ଚିବା ବେଳକୁ ସେ 3 ଜଣଙ୍କ ଜଳି ଯାଇଥିବା ମୃତଦେହ ଦେଖିବାକୁ ପାଇଥିଲେ । ଏନେଇ ସେମାନେ ପୋଲିସକୁ ଖବର ଦେଇଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି । ତେବେ ଏହି ଆତ୍ମହତ୍ୟାର କାରଣ ଏ ଯାଏଁ ଅସ୍ପଷ୍ଟ ରହିଛି ।