ବେଙ୍ଗାଲୁରୁ: ଥମୁନି ନିର୍ଯ୍ୟାନତା, କମୁନି ନୃଶଂସତା। ପ୍ରତ୍ୟେକ ଦିନ ଦେଶର କୋଣ ଅନୁକୋଣରେ ଯନ୍ତ୍ରଣା ଜର୍ଜରିତ ହୋଇ ଜୀବନ ହାରୁଛି ଜଣେ ନାରୀ। ଏମାନଙ୍କ ବୟସର କୌଣସି ପରିଧି ନାହିଁ। ଆଠ ମାସ ବୟସରୁ 80 ବର୍ଷ ପର୍ଯ୍ୟନ୍ତ କାହାକୁ ଛାଡୁନି ଏହି ଦେହ ଲୋଭୀ ନର ରାକ୍ଷସ। ଗଦା ଗଦା କଡା ନିୟମ, ଦୋଷୀ ପାଇଁ କଠୋର ସଜ୍ଜା, ହେଲେ ଫଳ ଶୂନ୍ୟ। ବଦଳୁନି ଲୋକଙ୍କ ମାନସିକତା, ଦେଶରେ କମୁନି ନାରୀ ଦୁଷ୍କର୍ମର ଘଟଣା।
ଗତି କିଛି ଦିନ ତଳେ ଲଗାତର ଭାବେ ଉତ୍ତରପ୍ରଦେଶରେ ଦୁଷ୍କର୍ମ ଘଟଣା ସମସ୍ତଙ୍କୁ ବ୍ୟସ୍ତ ବିବ୍ରତ କରିପକାଇଛି। ହେଲେ ଏ ଘଟଣା ମନରୁ ନଲିଭୁଣି ଆଉ ଏକ ଲୋମଟାଙ୍କୁରା ଘଟଣା ସାମ୍ନାକୁ ଆସିଛି। ଘର ନାହିଁ, ଗୋଟିଏ ଅର୍ଥରେ ସେ ବେସାହାରା। ମୁଣ୍ଡ ଗୁଞ୍ଜିବାକୁ ସାହାର ନେଇଥିଲା ଏକ ସିମେଣ୍ଟ ବ୍ଲକରେ । ହେଲେ ସେଠି ଏହି ମହିଳା ଜଣଙ୍କୁ ସହାୟତା ଦେବା ବଦଳରେ ତାକୁ ଖିନଭିନ୍ କରି ଖାଇବା ସହ ଶେଷରେ ଜୀବନ ନେଇଗଲା ଜଣେ ଦାନବ ।
ଏପରି ହୃଦୟବିଦାରକ ଘଟଣା ଦେଖିବାକୁ ମିଳିଛି କର୍ଣ୍ଣାଟକର ହାସନରେ। ଏକ ଭୟଙ୍କର ଘଟଣା, ଯେଉଁଥିରେ ଜଣେ ବ୍ୟକ୍ତି ଜଣେ ବାସହୀନ ମହିଳାଙ୍କୁ ସିମେଣ୍ଟ ବ୍ଲକରେ ବଳାତ୍କାର କରି ହତ୍ୟା କରିଛି। ଏହି ଘଟଣାର ସମସ୍ତ ଦୃଶ୍ୟ ସିସିଟିଭି କ୍ୟାମେରାରେ ରେକର୍ଡ କରାଯାଇଛି ଏବଂ ପୋଲିସ ବର୍ତ୍ତମାନ ଅଭିଯୁକ୍ତକୁ ଖୋଜୁଛି। ମହିଳାଙ୍କୁ ହତ୍ୟା କରାଯାଇଥିବା ପକ୍କାଘର ନିକଟରେ ଥିବା ଏକ ସମବାୟ ବ୍ୟାଙ୍କ ଦ୍ୱାରା ସିସିଟିଭି କ୍ୟାମେରା ଲଗାଯାଇଥିଲା। ଏହି ଘଟଣା ଘଟିବା ପରେ ମହିଳା ଜଣକ ରାସ୍ତାରେ କ୍ଷତାକ୍ତ ଅବସ୍ଥାରେ ପଡିରହିଥିଲା।