ପାଣାଜୀ: ପ୍ରବାସୀ ଶ୍ରମିକ ସ୍ବଦେଶକୁ ଫେରିବା ପରେ କ୍ବାରେଣ୍ଟାଇନ ସେଣ୍ଟରର ଅବ୍ୟବସ୍ଥାକୁ ନେଇ ବିଭିନ୍ନ ପ୍ରକାରର ଖବର ସାମନାକୁ ଆସୁଛି । ହେଲେ ଗୋଆରେ ଜଣେ 60 ବର୍ଷୀୟ ବ୍ୟକ୍ତି କ୍ବାରେଣ୍ଟାଇନ ସେଣ୍ଟରକୁ ନେଇ ଭୁଲ ତଥ୍ୟ ସୋସିଆଲ ମିଡିଆରେ ଅପଲୋଡ କରିଥିବା ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଥିବା ଜଣାପଡିଛି ।
ବ୍ୟକ୍ତି ଜଣଙ୍କ ଉତ୍ତର ଗୋଆର ଥିବା କାଲାଙ୍ଗୁଟ ଗ୍ରାମରେ ଥିବା କୋଭିଡ-19 କ୍ବାରେଣ୍ଟାଇନ ସୁବିଧା ବିଷୟରେ ଫେସବୁକରେ ଏକ ଭିଡିଓ କ୍ଲିପ ଅପଲୋଡ କରିଥିଲେ । ସେଠାରେ ସେ ଘରୋଇ ହୋଟେଲରେ ରହୁଥିବା ବେତନ ପ୍ରାପ୍ତ ଶ୍ରମିକଙ୍କ ବିଷୟରେ ଭୁଲ ସୂଚନା ଦେଇଥିଲେ ବୋଲି ଅଭିଯୋଗ ଆସିଥିଲା । ପରେ ପୋଲିସ ତାଙ୍କୁ ଗିରଫ କରିଛି ବୋଲି ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ।
ଏହି ପୋଷ୍ଟ ନିକଟରେ ରହୁଥିବା ସ୍ଥାନୀୟ ଲୋକଙ୍କ ମନରେ ଚିନ୍ତା ସୃଷ୍ଟି କରିଛି ବୋଲି ସେ କହିଛନ୍ତି । ଏହାସହ ଅଭିଯୁକ୍ତ ଜଣଙ୍କ ତାଲାବନ୍ଦ ସମୟରେ ଉତ୍ତର ଗୋଆ, ପାନଜୀ ଜିଲ୍ଲା ମାଜିଷ୍ଟ୍ରେଟ ଦେଇଥିବା ବିଜ୍ଞପ୍ତିକୁ ଉଲ୍ଲଂଘନ ମଧ୍ୟ କରିଛି ।