ନୂଆଦିଲ୍ଲୀ: ନାଗରିକତା ସଂଶୋଧନ ଆଇନ(ସିଏଏ) ବିରୋଧରେ ଆରମ୍ଭ ହୋଇଥିବା ସଂଗ୍ରାମ ଏବେ ରାଜନୈତିକ ବିବାଦ ପାଲଟିଛି। ସିଏଏ ଉପରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଦେଇଥିବା ପ୍ରସ୍ତାବକୁ ନେଇ ତାଙ୍କୁ ସମାଲୋଚନାର ଶିକାର ହେବାକୁ ପଡିଛି। ଏନେଇ ପଶ୍ଚିମବଙ୍ଗ ବିଜେପି ଅଧ୍ୟକ୍ଷ ଦିଲ୍ଲୀପ ଘୋଷ ତାଙ୍କୁ ଟାର୍ଗେଟ କରିଛନ୍ତି। ସେ ପାକିସ୍ତାନର ଭାଷା କହୁଥିବା ଅଭିଯୋଗ କରିଛନ୍ତି ରାଜ୍ୟ ଶାଖା ବିଜେପି ଅଧ୍ୟକ୍ଷ।
ଏହା ଉପରେ ପ୍ରତିକ୍ରିୟା ରଖି ଦିଲ୍ଲୀପ ଘୋଷ କହିଛନ୍ତି,‘ମମତା ବାନାର୍ଜୀ ପାକିସ୍ତାନର ଭାଷା କହୁଛନ୍ତି। ପାକିସ୍ତାନ ଭଳି ମମତା ବାନାର୍ଜୀ ପ୍ରତି କ୍ଷେତ୍ରରେ ଜାତିସଙ୍ଘର ହସ୍ତକ୍ଷେପ ଦାବି କରୁଛନ୍ତି। ଭାରତୀୟ ନ୍ୟାୟପାଳିକା, ସଂସଦ ଏବଂ ଆଇନ ଉପରେ ତାଙ୍କର ବିଶ୍ବାସ ନାହିଁ। ତାଙ୍କୁ ସରକାରରେ ରହିବାର କୌଣସି ଅଧିକାର ନାହିଁ। ସେଭଳି ସରକାରକୁ ବରଖାସ୍ତ କରାଯିବା ଦରକାର।’
ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଗୁରୁବାର ଦାବି କରିଥିଲେ ଯେ, ଜାତିସଙ୍ଘ କିମ୍ବା ମାନବାଧିକାର ଆୟୋଗ ଭଳି ନିରପେକ୍ଷ ସଙ୍ଗଠନକୁ ଏକ କମିଟି ଗଠନ କରିବା ଦରକାର। ଯାହା ଦ୍ବାରା ନାଗରିକ ସଂଶୋଧନ ଆଇନ୍ ସପକ୍ଷରେ ଏବଂ ବିପକ୍ଷରେ କିଏ ଅଛି ତାହା ସ୍ପଷ୍ଟ ହୋଇଯିବ।