କୋଲକାତା: ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ 125 ତମ ଜନ୍ମ ଦିବସରେ ଭିକ୍ଟୋରିଆ ମେମୋରିଆଲରେ ଆୟୋଜିତ ପରାକ୍ରମ ଦିବସ କାର୍ଯ୍ୟକ୍ରମରୁ ଅଧାରୁ ଛାଡି ଚାଲିଗଲେ ପଶ୍ଚିମବଙ୍କ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । କାର୍ଯ୍ୟକ୍ରମରେ ନିଜର ଅଭିଭାଷଣ ସମାପ୍ତ କରିବା ପୂର୍ବରୁ ସେ ସଭାସ୍ଥଳ ଛାଡି ଚାଲିଯାଇଥିବା ଦେଖିବାକୁ ମିଳିଛି ।
ସେଠାରେ ଉପସ୍ଥିତ ଥିବା କିଛି ବ୍ୟକ୍ତି ଜୟ ଶ୍ରୀରାମ ନାରା ଲଗାଇବାରୁ ମମତା ବିରକ୍ତ ହୋଇ ଏପରି କରିଥିବା ଦେଖାଯାଇଥିଲା । ମମତା ବିରକ୍ତି ଭାବ ପ୍ରକାଶ କରି କହିଥିଲେ ଯେ ଏହା ରାଜନୈତିକ କାର୍ଯ୍ୟକ୍ରମ ନୁହେଁ ବରଂ ଏକ ସରକାରୀ କାର୍ଯ୍ୟକ୍ରମ । ତେଣୁ ଏଥିରେ କିଛି ମର୍ଯ୍ୟାଦା ରହିବା ଉତିତ । କାହାକୁ ନିମନ୍ତ୍ରଣ କରି ଅପମାନିତ କରିବା ଆମ ସଂସ୍କୃତିର ଅଂଶ ନୁହେଁ ବୋଲି କହିଛନ୍ତି ମମତା । ଅଧିକ କିଛି କହିବା ଉଚିତ ହେବ ନାହିଁ କହିବା ସହ ଜୟ ହିନ୍ଦ, ଜୟ ବଙ୍ଗଳା ନାରା ଦେଇ ମମତା ସଭାସ୍ଥଳ ଛାଡି ଚାଲିଯାଇଥିବା ଦେଖିବାକୁ ମିଳିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ