ନୂଆଦିଲ୍ଲୀ: ଲକଡାଉନରେ ନରେନ୍ଦ୍ର ମୋଦି ସୋମବାର ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ବୈଠକ କରିଛନ୍ତି । ଭିଡିଓ କନଫରେନ୍ସ ଜରିଆରେ କୋରୋନା ଭାଇରସକୁ କିପରି ନିୟନ୍ତ୍ରଣ କରାଯାଇ ପାରିବ ସେ ସମ୍ପର୍କରେ ଆଲୋଚନା କରିଥିଲେ । କୁହାଯାଉଛି ଯେ ଲକଡାଉନକୁ ନେଇ ଭବିଷ୍ୟବାଣୀ କରାଯାଇପାରିବ ନାହିଁ । କାରଣ ଦିନକୁ ଦିନ କୋରୋନା ମାମଲା ବଢିବାରେ ଲାଗିଛି । ତେବେ ଏହି ବୈଠକରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି ଯେ କେନ୍ଦ୍ର ସରକାର ପ୍ରତ୍ୟେକ ଦିନ କିଛି ନା କିଛି ନୂତନ ଗାଇଡ ଲାଇନ ପଠାଉଛି । ଆମେ ଏହାକୁ ପଢିବାକୁ ଏବଂ ଫଲୋ କରିବାକୁ ଥକି ଯାଉଛୁ ବୋଲି କହିଛନ୍ତି ଦିଦି ।
ସୋମବାର ଏହି ବୈଠକ ପଞ୍ଚମଥର ପାଇଁ ହୋଇଥିଲା । ଯାହାକି ଏପର୍ଯ୍ୟନ୍ତ ହୋଇଥିବା ସମସ୍ତ ବୈଠକଠାରୁ ଏହି ବୈଠକ ଦୀର୍ଘ ସମୟ ଧରି ଚାଲିଲା । ଏହି ବୈଠକରେ ପ୍ରଧାନମନ୍ତ୍ରୀଙ୍କ ସମେତ ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହ, ଗୃହମନ୍ତ୍ରୀ ଅମିତ ଶାହ, ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏବଂ ସ୍ବାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ ଉପସ୍ଥିତ ଥିଲେ ।
କେନ୍ଦ୍ରୀୟ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ମୁତାବକ, ପଶ୍ଚିମବଙ୍ଗରେ ଏପର୍ଯ୍ୟନ୍ତ 1939 କୋରୋନା ମାମଲା ସାମ୍ନାକୁ ଆସିଛି । ରାଜ୍ୟରେ ଏହି ଭାଇରସ ଯୋଗୁଁ 185 ଜଣଙ୍କର ମୃତ୍ୟୁ ଘଟିଲାଣି । ସେହିପରି 417 ଲୋକେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ସୂଚନା ଥାଉକି ପଶ୍ଚିମବଙ୍ଗର 4ଟି ସ୍ଥାନ ଯେପରିକି କୋଲକାତା, ହାୱଡା, ଉତ୍ତର 24 ପରଗଣା ଏବଂ ପୂର୍ବ ମେଦିନିପୁର ଜିଲ୍ଲା ରେଡ ଜୋନରେ ରହିଛି ।