ହାଇଦ୍ରାବାଦ: ମୋହନଦାସ କରମଚାନ୍ଦ ଗାନ୍ଧୀ ତଥା ଜାତିର ପିତା ବାପୁ । ଅହିଂସା, ସତ୍ୟାଗ୍ରହ ତଥା ସ୍ବାଧୀନତା ଆନ୍ଦୋଳନ ପାଇଁ ବିଶ୍ବ ପରିଚିତ ଥିବା ମହାତ୍ମା ଜଣେ ଭଲ ଖାଦ୍ୟ ବିଶେଷଜ୍ଞ ଥିଲେ । ସତ୍ୟାଗ୍ରହ ସମୟରେ ସେ ମାନସିକ ଓ ଶାରୀରିକ ଭାବରେ ସୁସ୍ଥ ଥିବା ସହ ମାଇଲ ମାଇଲ ପଥ ଚାଲି ଚାଲି ଅତିକ୍ରମ କରୁଥିଲେ । ଯେଉଁଥିପାଇଁ ସେ କଣ ଖାଆନ୍ତି ସେନେଇ କିଛି ଲୋକ ମନରେ ପ୍ରଶ୍ନ ଉଠେ ।
ତେବେ ଗାନ୍ଧୀଜୀ ତାଙ୍କ ସ୍ବାସ୍ଥ୍ୟାବସ୍ଥାର ଏହି ରାଜ 1942-44 ମସିହାରେ ପ୍ରକାଶ କରିଥିଲେ । ଯେତେବେଳେ ସେ ପୁଣେର ଆଗା ଖାନ୍ ପ୍ୟାଲେସରେ ରହୁଥିଲେ ସେତେବେଳେ ଏହି ରହସ୍ୟ ଉପରୁ ପରଦା ଉଠିଥିଲା ।
ଗାନ୍ଧୀଜୀ ବ୍ରହ୍ମଚର୍ଯ୍ୟ ପାଳନ କରିବା ସହ ଯୋଗୀଙ୍କ ପରି ଜୀବନ ବିତାଉଥିଲେ । ଯେଉଁଥିରେ ଆହାର ଉପରେ ନିୟନ୍ତ୍ରଣ କରି ଇନ୍ଦ୍ରିୟ ଉପରେ ନିୟନ୍ତ୍ରଣ କରାଯାଏ । ଗାନ୍ଧୀଜୀ ଦର୍ଶାଉଥିଲେ,‘ମଣିଷ ଶରୀର ଜଳ, ବାୟୁ, ଅଗ୍ନୀ, ପୃଥିବୀ ଓ ଆକାଶରେ ତିଆରି । ଯେଉଁଥିରେ ପାଞ୍ଚ ଇନ୍ଦ୍ରିୟ ହାତ, ପାଦ, ପାଟି, ମଳଦ୍ବାର ଓ ଗୁପ୍ତାଙ୍ଗର କ୍ରିୟା ସାମିଲ ଅଛି । ଏହାସହ ପାଞ୍ଚ ଅନୁଭୂତି ଇନ୍ଦ୍ରିୟ ମଧ୍ୟ ସାମିଲ ଅଛି ।’
ସେ ବଦହଜମିକୁ ରୋଗର ସମାହାର ବୋଲି କହୁଥିଲେ । ଗାନ୍ଧୀଜୀ ଜଣେ ନିରାମିଷାଶି ବ୍ୟକ୍ତି ଥିଲେ । ସେ ତାଙ୍କ ଖାଦ୍ୟରେ ସବୁଜ ପନିପରିବା, ସତେଜ ଓ ଶୁଦ୍ଧ ଫଳ, କ୍ଷୀର ତଥା କ୍ଷୀର ଜାତିୟ ଦ୍ରବ୍ୟ ଆଦି ଖାଉଥିଲେ । ସେ କେବେବି ଔଷଧ ଗ୍ରହଣ କରୁନଥିଲେ । ନିଜ ଖାଦ୍ୟ ମାଧ୍ୟମରେ ସେ ସୁସ୍ଥ ହେବାକୁ ଚେଷ୍ଟା କରୁଥିଲେ । ସେଥିଲାଗି ସେ କହୁଥିଲେ,‘ଶରୀରକୁ କ୍ରୀୟାଶୀଳ କରିବା ଲାଗି ଖାଦ୍ୟକୁ ଔଷଧ ଭଳି ନେବା ଉଚିତ୍, ନା କି ପାଟିକୁ ଭଲ ଲାଗିବ ବୋଲି ।’
ସେ ନିଶା ଜାତୀୟ ଦ୍ରବ୍ୟ ଓ ତମାଖୁକୁ ଘୋର ବିରୋଧ କରୁଥିଲେ । ବାପୁ ସର୍ବଦା ବିଶ୍ବାସ କରୁଥିଲେ ଯେ ମତିଷ୍କ ସୁସ୍ଥ ରହିଲେ ଶରୀର ସୁସ୍ଥ ରୁହେ । ଏହା କେବଳ ଭଗବାନଙ୍କ ନାମ ଓ ଏକାଗ୍ରତା ଦ୍ବାରା ହିଁ ସମ୍ଭବ ହୁଏ ବୋଲି ସେ ଭାବୁଥିଲେ । ସେ ସତ୍ୟ ଓ ଅହିଂସାକୁ ମାନୁଥିବା ଲୋକଙ୍କୁ କହୁଥିଲେ କି ଅଶାଳୀନ କଥା ଓ କାମୁକ ଭାବନାରୁ ମୁକ୍ତ ରୁହନ୍ତୁ । ଏହାସହ ଯୋଗ ଓ ଅନ୍ୟାନ୍ୟ ବ୍ୟାୟାମ କଲେ ଦୁର୍ବଳତାରୁ ମୁକ୍ତି ପାଇହେବ ବୋଲି ସେ କହୁଥିଲେ । ତେବେ ସ୍ବାସ୍ଥ୍ୟ ହିଁ ସମ୍ପଦ ବୋଲି ସେ ମାନୁଥିଲେ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ