ମୁମ୍ବାଇ: ସକାଳ 7ରୁ ଆରମ୍ଭ ହୋଇଛି ଭୋଟଗ୍ରହଣ । ସମସ୍ତ ନିର୍ବାଚନ ମଣ୍ଡଳୀରେ ଜାରି ରହିଛି ମତଦାନ । ଭୋଟଦେଇଛନ୍ତି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍ । ନାଗପୁର ବିଧାନସଭା କ୍ଷେତ୍ର ପାଇଁ ପତ୍ନୀ ଅମୃତା ଓ ମା ସରିତା ଫଡନାଭିସଙ୍କ ସହ ସାବ୍ୟସ୍ତ କରିଛନ୍ତି ମତ ।
ଭୋଟଦେବା ପରେ ଗଣମାଧ୍ୟମ ଆଗରେ ମତ ଜାହିର କରିଥିବା ନେଇ କାଳି ଲଗା ଆଙ୍ଗୁଠି ଦେଖାଇଥିଲେ ଫଡନାଭିସ । ସେହିପରି ନାଗପୁର ମଧ୍ୟ-ନିର୍ବାଚନୀ କ୍ଷେତ୍ର ପାଇଁ ଭୋଟ ଦେଇଛନ୍ତି ଆରଏସଏସ ମୁଖ୍ୟ ତଥା ସରସଂଘଚାଳକ ମୋହନ ଭାଗବତ । ମତଦାନ କରିବା ପରେ ମୋହନ ଭାଗବତ ଗଣମାଧ୍ୟମ ସମ୍ମୁଖରେ ଆଙ୍ଗୁଠି ଦେଖାଇ ଅଧିକାର ସାବ୍ୟସ୍ତ କରିଥିବା ନେଇ ବାର୍ତ୍ତା ଦେଇଥିଲେ । କଡ଼ା ସୁରକ୍ଷାର ସହ ଭାଗବତ ମତଦାନ କେନ୍ଦ୍ରରେ ଭୋଟ ଦେଇଛନ୍ତି ।
ସେହିପରି କେନ୍ଦ୍ର ଜାହାଜ ଚଳାଚଳ ମନ୍ତ୍ରୀ ନୀତିନ୍ ଗଡ଼କରୀ ପ୍ରଦାନ କରିଛନ୍ତି ନିଜର ବହୁମୂଲ୍ୟ ମତ । ନାଗପୁର ବିଧାନସଭା କ୍ଷେତ୍ର ପାଇଁ ଭୋଟ ପ୍ରଦାନ କରିଛନ୍ତି ଗଡକରୀ । ସକାଳ 8.11 ରେ ପତ୍ନୀ କାଞ୍ଚନ ଗଡକରୀ ଓ ପରିବାରର ଅନ୍ୟ ସଦସ୍ୟଙ୍କ ଭୋଟ ଦେଇଛନ୍ତି । ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଗଡକରୀ ନୋଟାରେ ଭୋଟ ନଦେବାକୁ ଅପିଲ କରିଛନ୍ତି ।
ସେ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ବରେ ଦେଶ ଏବଂ ରାଜ୍ୟରେ ବହୁମୁଖୀ ବିକାଶ ଜାରି ରହିଛି । ଏହା ଯୋଗୁଁ ଏହି ନିର୍ବାଚନରେ ରାଜ୍ୟରେ ବିଜେପି ଅଦ୍ଭୁତପୂର୍ବ ପୂର୍ବ ସଫଳତା ହାସଲ କରିବାକୁ ଯାଉଛି ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ । ଅନ୍ୟପଟେ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ ନିଜ ନିର୍ବାଚନ ମଣ୍ଡଳୀରେ ଭୋଟ ଦେଇଛନ୍ତି ।
ଶିବସେନା ମୁଖ୍ୟ ଉଦ୍ଧବ ଠାକରେ ପୁତ୍ର ଆଦିତ୍ୟ ଠାକରେଙ୍କ ସମେତ ସହ ପରିବାର ଗାନ୍ଧୀନଗର ବିଧାନସଭା ଆସନରେ ଭୋଟ ଦେଇଥିବାବେଳେ ଏସଏନଏସ ମୁଖ୍ୟ ରାଜ ଠାକରେ ମଧ୍ଯ ପରିବାର ସହିତ ମତ ସାବସ୍ତ୍ୟ କରିଛନ୍ତି ।
ନାସିନାଲିଷ୍ଟ କଂଗ୍ରେସ ପାର୍ଟି (ଏନସିପି) ମୁଖ୍ୟ ଶରଦପାୱାର ମଧ୍ୟ ଭୋଟଦେଇଛନ୍ତି । ନିର୍ବାଚନରେ ସାମିଲ ହେବା ସହ ମତସାବ୍ୟସ୍ତ କରିବାକୁ ଗଣମାଧ୍ୟମ ଜରିଆରେ ସାଧାରଣ ଜନତାଙ୍କୁ ଅପିଲ କରିଛନ୍ତି ଶରଦ ।
ସେହିପରି ଏନସିପି ନେତା ପ୍ରଫୁଲ ପଟେଲ ଓ ପତ୍ନୀ ବର୍ଷା ଗୋନ୍ଦିଆ ବିଧାନସଭା ଆସନପାଇଁ ମତଦାନ କେନ୍ଦ୍ରରେ ମତ ସାବସ୍ତ୍ୟ କରିଛନ୍ତି ।ଏହି ଆସନରେ ବିଜେପି ଗୋପାଳ ଅଗ୍ରୱାଲଙ୍କୁ ପ୍ରାର୍ଥୀ କରିଥିବା ବେଳେ କଂଗ୍ରେସ ଅମର ଭରାଡ଼େଙ୍କୁ ପ୍ରାର୍ଥୀ କରିଛି । ଉଭୟଙ୍କ ମଧ୍ୟରେ ଜୋରଦାର ଲଢେଇ ଦେଖିବାକୁ ମିଳିଛି ।
ସେହିପରି ଏନସିପି ନେତ୍ରୀ ସୁପ୍ରିୟା ସୁଲେ ବାରମାଟି ବିଧାନସଭା କ୍ଷେତ୍ର ପାଇଁ ମତସାବ୍ୟସ୍ତ କରିଛନ୍ତି । ବାରମାଟି ନିର୍ବାଚନ ମଣ୍ଡଳୀରେ ଏନସିପି ପ୍ରାର୍ଥୀ ଅଜିତ ପାୱାର ବିଜେପି ପ୍ରାର୍ଥୀ ଗୋପୀଚାନ୍ଦ ପଦଲକରଙ୍କ ସହ ପ୍ରତିଦ୍ବନ୍ଦିତା କରୁଛନ୍ତି ।