ମୁମ୍ବାଇ: ଦିନକୁ ଦିନ ଭୟଙ୍କର ପାଲଟୁଛି ମହାରାଷ୍ଟ୍ର କୋରୋନା ସ୍ଥିତି । ପ୍ରତିଦିନ 2000 ଉପରେ ଆକ୍ରାନ୍ତ ବାହାରୁଛନ୍ତି । ଧିରେ ଧିରେ ସ୍ଥିତି ଅତ୍ୟନ୍ତ ଖରାପ ହେଉଛି । ଲକଡାଉନ ଲାଗୁ ସତ୍ତ୍ବେ ବିପୁଳ ସଂଖ୍ୟାରେ କୋରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି ।
ଶୁକ୍ରବାର ମହାରାଷ୍ଟ୍ରରେ ଗୋଟିଏ ଦିନରେ ସର୍ବାଧିକ ପଜିଟିଭ ବାହାରିବାର ରେକର୍ଡ ହୋଇଛି । 24 ଘଣ୍ଟାରେ ପାଖାପାଖି 3000 ଆକ୍ରାନ୍ତ ବାହାରିଛନ୍ତି । ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ସୂଚନାନୁସାରେ ମୋଟ 2940 କୋଭିଡ-19 ପଜିଟିଭ ଚିହ୍ନଟ ହୋଇଛନ୍ତି । ଏପର୍ଯ୍ୟନ୍ତ ଗୋଟିଏ ଦିନରେ ଏତେ ସଂଖ୍ୟକ ଆକ୍ରାନ୍ତ ବାହାରିନଥିଲେ ।
ଫଳରେ ରାଜ୍ୟ 50 ହଜାର ଆକ୍ରାନ୍ତ ଅଭିମୁଖେ ଆଗଉଛି । ଖବର ଅନୁସାରେ ଏବେ ସୁଦ୍ଧା ଏଠାରେ ମୋଟ 44 ହଜାର 582 ଜଣ ପଜିଟିଭ ସ୍ପଷ୍ଟ ହୋଇଛନ୍ତି । ସେହିପରି ମୁମ୍ବାଇରେ ଶୁକ୍ରବାର 1751 ମାମଲା ବାହାରିଛି । ଏହାସହ 27 ଜଣଙ୍କ ମୃତ୍ୟୁ ହୋଇଛି । ମାୟା ନଗରୀରେ ଏପର୍ଯ୍ୟନ୍ତ 27 ହଜାର 68 କୋରୋନା ପଜିଟିଭ ବାହାରିଥିବା ବ୍ରିହାଣମୁମ୍ବାଇ ପୌର ପରିଷଦ ସୂଚନା ଦେଇଛି ।
ସୌଜନ୍ୟ@ANI