ମୁମ୍ବାଇ: ମହାରାଷ୍ଟ୍ର ମହାଭାରତରେ ଜବରଦସ୍ତ କ୍ଲାଇମାସ୍କ । କ୍ଷମତା ଘମାସାନରେ ବିଜେପିର ପଲ୍ଲା ଭାରି । ସଫଳ ହୋଇପାରେ ବିଜେପିର ‘ଅପେକ୍ଷା କର ଚୁପ ରୁହ’ ରଣନୀତି । 30ବର୍ଷର ସହଯୋଗୀକୁ ଛାଡି ପାୱାରଫୁଲ ହେବା ସ୍ବପ୍ନ ଦେଖୁଥିବା ଶିବସେନାକୁ ମରାଠୀ ଖିଲାଡିଙ୍କ ପାୱାରଫୁଲ ଚେକମେଣ୍ଟ । ଯାହା ମାଧ୍ୟମରେ ମହାରାଷ୍ଟ୍ର ଦଖଲ ସ୍ବପ୍ନ ଦେଖୁଥିଲା ଶିବସେନା ସେ ହିଁ ଭାଙ୍ଗିଲା ଦେଲା ସେନାର ସ୍ବପ୍ନ । ନିର୍ବାଚନ ଫଳ ପ୍ରକାଶ ପାଇବାର 12 ଦିନ ବିତିଯାଇଛି । ହେଲେ କ୍ଷମତା ଲଢେଇ ପାଇଁ ଗଠନ ହୋଇପାରୁନଥିଲା ସରକାର । ଶେଷରେ ଆଜି ପୁଣିଥରେ ନିଜ ପ୍ରୟାସ ଜାରି କରିଥିଲା ଶିବସେନା । ଦଳୀୟ ସାଂସଦ ସଞ୍ଜୟ ରାଉତ ଏନସିପି ମୁଖ୍ୟଙ୍କୁ ତାଙ୍କ ବାସଭବନରେ ସାକ୍ଷାତ କରିଥିଲେ । ସରକାର ଗଠନ ପାଇଁ ଆଲୋଚନା କରିଥିଲେ । କିନ୍ତୁ ବାଧ୍ୟ ବାଧକତା ହେଉ ବା ସଂଖ୍ୟା ଗରିଷ୍ଠତା ନଥାଉ କୌଣସି କାରଣରୁ ଶରଦ ସରକାର ଗଠନ ପାଇଁ ଆଗ୍ରହ ପ୍ରକାଶ କରିନଥିଲେ ।
ପରେ ସାମ୍ବାଦିକ ସମ୍ମିଳନୀ ଡାକି ଦଳର ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି । ଶରଦ ପାୱାର କହିଛନ୍ତି ତାଙ୍କ ଦଳ ବିରୋଧୀ ଆସନରେ ବସିବା ପାଇଁ ଜନତା ଆର୍ଶୀବାଦ କରିଛନ୍ତି । ତେଣୁ ସେମାନେ ସରକାର ଗଠନ ପାଇଁ କୌଣସି ଭୂମିକା ନେବେ ନାହିଁ । ଏହାସହ ସେ ସ୍ପଷ୍ଟ କରିଛନ୍ତି ବିଜେପି-ଶିବସେନା ଉଭୟଙ୍କ 30 ବର୍ଷ ସଂପର୍କ ରହିଛି । ଆଜି ନହେଲେ କାଲି ପୁଣି ସେମାନେ ଏକାଠି ହେବେ । ସେହି ଦୃଷ୍ଟିରୁ ତାଙ୍କୁ ସ୍ପଷ୍ଟ ଜନମତ ମିଳିଛି । ସେମାନେ ସରକାର ଗଠନ କରନ୍ତୁ । ନଚେତ ରାଜ୍ୟରେ ରାଷ୍ଟ୍ରପତି ଶାସନ ଜାରି ହେବ । ଅନ୍ୟ କୌଣସି ବିକଳ୍ପ ନାହିଁ ।
ଏଠି ପ୍ରଶ୍ନ ଉଠୁଛି ଶିବସେନା-ଏନସିପି-କଂଗ୍ରେସ ମିଳିତ ଭାବେ ସରକାର ଗଠନ କରିପାରିଥାନ୍ତେ । କାହିଁକି ଏନସିପି ସୁପ୍ରିମୋ ସରକାର ଗଠନ ପାଇଁ ଅମଙ୍ଗ ହେଲେ । ଆବଶ୍ୟକ ସଂଖ୍ୟା ଅଭାବ ନା ଆଉ କଣ । ନା ଶରଦ ପାୱାର ଜାଣିଛନ୍ତି ଯେ 3ଟି ବିଚାର ଧାରାର ଦଳ ଏକାଠି ହୋଇ ସରକାର ଚଲାଇବା ସମ୍ଭବ ନୁହେଁ । କିମ୍ବା ଅଜଣା ଭୟରେ ଭୟଭୀତ ଅଛନ୍ତି ଶରଦ । ନିକଟରେ କର୍ଣ୍ଣାଟକ ସ୍ଥିତି ଦେଖି ଶରଦ ପଛଘୁଞ୍ଚା ଦେଲେ କି?
ଶରଦ ପାୱାରଙ୍କ ଏହି ଝଟକା ପରେ ଶିବସେନାର ସବୁ ଆଶା ଧୂଳିସାତ ହୋଇଯାଇଛି । ଦଳ ଏବେ ବିଜେପି ପ୍ରସ୍ତାବରେ ରାଜି ହେବାକୁ ବାଧ୍ୟ । ଶିବସେନାକୁ ଆଲୋଚନା ମାଧ୍ୟମରେ ସନ୍ତୁଷ୍ଟ କରିହେବ ନାହିଁ ବୋଲି ବିଜେପି ଠିକ ଜାଣିଥିଲା । ସେହିଦୃଷ୍ଟିରୁ ବିଜେପି ସୁ-ଚିନ୍ତିତ ରଣନୀତିରେ ଚୁପ ରହୁଥିଲା । ଶରଦ ପାୱାର ହାତ ଟେକିଦେବା ପରେ ଏବେ ବିଜେପି-ଶିବସେନା ମେଣ୍ଟ ହେବା ଏକ ପ୍ରକାର ଥୟ । ଖୁବଶୀଘ୍ର ଉଭୟ ଦଳ ନେତା ଏକାଠି ହୋଇ ନୂଆ ସରକାର ଗଠନ ପାଇଁ ନିଷ୍ପତି ନେଇ ପାରନ୍ତି ।