ଭୋପାଳ: ସାରାଦେଶରେ କୋଭିଡ-19 ର ମହାମାରୀ ବିସ୍ତାର ବୃଦ୍ଧି ପାଉଛି । ଏହି କୋରୋନା ଯୋଗୁଁ ବହୁ ଲୋକଙ୍କର ଜୀବନ ମଧ୍ୟ ଗଲାଣି । ଗୋଟେପଟେ କୋଭିଡ ପାଇଁ ଲୋକେ ଜୀବନ ହାରୁଛନ୍ତି ଏବଂ ଅନ୍ୟପଟେ ମଧ୍ୟପ୍ରଦେଶର ଛତରପୁରରେ ବାପା-ମାଆ ତିନି ବର୍ଷ ପୂର୍ବେ ମରିଯାଇଥିବା ପୁଅକୁ ଫେରି ପାଇଛନ୍ତି । ତିନି ବର୍ଷ ପୂର୍ବେ ଯେଉଁ ପୁଅର ଅନ୍ତିମ ସଂସ୍କାର କରିଦେଇଥିଲେ ବାପା-ମାଆ, ସେହି ପୁଅ ଲକଡାଉନରେ ନିଜ ଘରକୁ ଫେରି ଆସିଛି ।
ତିନି ବର୍ଷ ପୂର୍ବେ ପୁଅ ବଞ୍ଚିଥିବା ଦେଖି ଗାଁ ଲୋକେ ଆଶ୍ଚର୍ଯ୍ୟ ହୋଇଗଲେ । ପୁଅର ପରିବାର ସମେତ ସାରା ଗାଁ ଖୁସିରେ ଝୁମି ଉଠିଲେ । ଛତରପୁରସ୍ଥିତ ବିଜାୱରର ଜିଲାରୀ ଗାଁରେ ବାସ କରୁଥିବା ଭଗୋଲା ଆଦିବାସୀଙ୍କର ପୁଅ ଉଦୟ । ସେ ତିନି ବର୍ଷ ପୂର୍ବେ ନିଖୋଜ ହୋଇଯାଇଥିଲା । ଉଦୟର ନିଖୋଜ ହେବା ପରେ ସ୍ଥାନୀୟ ଥାନାରେ ଅଭିଯୋଗ କରିଥିଲେ ଉଦୟର ଅଭିଭାବକ । ଅଭିଯୋଗ ପରେ ପୋଲିସ ପ୍ରାଥମିକ ତଦନ୍ତ ଆରମ୍ଭ କରିଥିଲା ।
ପୋଲିସକୁ ଉଦୟ ମିଳିଲା ନାହିଁ, କିନ୍ତୁ ଗୋଟେ କଙ୍କାଳ ମିଳିଥିଲା । ଯାହାପରେ ପୋଲିସ ଅଧିକାରୀ ଉଦୟର ଘରଲୋକଙ୍କୁ ସେହି କଙ୍କାଳକୁ ଚିହ୍ନିବା ପାଇଁ କୁହାଗଲା । ଗୋଟେ ପୋଷାକ ଦେଖି ଉଦୟ ବୋଲି ଭାବି ତାର ଅନ୍ତିମ ସଂସ୍କାର କରିଦେଲେ । ଏହାପରେ ବାପା-ମାଆଙ୍କ ପାଇଁ ସତେଯେପରି ଦୁଃଖର ପାହାଡ଼ ମାଡିଆସିଲା । ଏପରି ତିନି ବର୍ଷ ବିତିଗଲା । କିନ୍ତୁ ଏବେ ଅଚାନକ ଲକଡାଉନ ପରେ ସେହି ପୁଅ ଉଦୟ ନିଜ ଘରକୁ ଫେରିଆସିଲା ।
ବେରୋଜଗାରୀ ଏବଂ ଲକଡାଉନ ଯୋଗୁଁ ସମସ୍ତ ଶ୍ରମିକ ନିଜ ନିଜ ରାଜ୍ୟ, ଗାଁ, ଘରକୁ ଫେରିଯାଉଛନ୍ତି । ଆଉ ଏହି ସମୟରେ ଉଦୟ ମଧ୍ୟ ନିଜ ଘରକୁ ଫେରିଲା । ଉଦୟ ଘରେ ପହଞ୍ଚିବା ମାତ୍ରେ ତା ବାପା-ମାଆ ତାକୁ ଧରି ଥାନାକୁ ଯାଇ ସମସ୍ତ କଥା କହିଲେ । ଉଦୟ ଘରେ ପହଞ୍ଚିବା ପରେ ନିଜ ଖୁସି ବ୍ୟକ୍ତ କଲା ଏବଂ ଏହି 3 ବର୍ଷ ମଧ୍ୟରେ ସେ କଣ କରୁଥିଲା ତାହା ମଧ୍ୟ କହିଲା । ଉଦୟ କହିଲା, ‘ମୁଁ ଦିଲ୍ଲୀ ଲୁଚି ପଳାଇଥିଲି । ସେଠାରେ କିଛି ଲୋକେ ମୋତେ ଚୋରିର ମିଥ୍ୟା ମାମଲାରେ ଫସାଇଦେଲେ । ଏହାପରେ ସେଠାରୁ ମୁଁ ଗୁଡଗାଓଁ ଯାଇ ଏକ ଫ୍ୟାକ୍ଟ୍ରିରେ କାମ କରୁଥିଲି ।’