ଭୋପାଳ: ମଧ୍ୟପ୍ରଦେଶରେ ଭୁଶୁଡିଲା ଦୁଇ ମହଲା କୋଠା। ଏହି ଅଘଟଣଟି ମଙ୍ଗଳବାର ଘଟିଥିବା ବେଳେ ଉକ୍ତ ସ୍ଥାନରେ ଫସି ରହିଥିବା 9 ଜଣଙ୍କୁ ପୋଲିସ୍ ଟିମ୍, ମ୍ୟୁନିସିପାଲ୍ କର୍ପୋରେସନ୍ ଟିମ୍, ହୋମ ଗାର୍ଡ , ଉଦ୍ଧାରକାରୀ ଦଳ ଦ୍ବାରା ଉଦ୍ଧାର କରାଯାଇଛି। ଭୁଶୁଡି ପଡିଥିବା କୋଠାଟି ଦେୱାସ ସହରର ରେଳ ଷ୍ଟେସନ ଛକ ନିକଟରେ ଥିବା ଏକ ଜନବହୁଳ ଅଞ୍ଚଳରେ ଅବସ୍ଥିତ।
ଏନଡିଆରଏଫ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରି 8 ରୁ 10 ଘଣ୍ଟା ଭିତରେ 15 ବର୍ଷର ବାଳକ ରିହାନଙ୍କୁ ଜୀବନ୍ତ ଏବଂ 2 ଜଣ (23 ବର୍ଷର ବାଳିକା ସିମ୍ରାନ ଏବଂ 18 ମାସର ଶିଶୁ ଅହିଲ) କୁ ମୃତ ଅବସ୍ଥାରେ ଉଦ୍ଧାର କରିଥିଲା।
ସୂଚନା ଅନୁସାରେ, କୋଠାଟି ଭୁଶୁଡିବା ବେଳେ ଉକ୍ତ ଘରେ 10 ରୁ 12 ଜଣ ଲୋକ ଥିଲେ। ଘଟଣାର ପ୍ରାୟ ଏକ ଘଣ୍ଟା ପରେ ଫସି ରହିଥିବା 9 ଜଣଙ୍କୁ ଉଦ୍ଧାର କରାଯାଇଛି। ଆହତ ଥିବା ଲୋକଙ୍କୁ ଆମ୍ବୁଲାନ୍ସ ଏବଂ ପୋଲିସ କାର ସାହାଯ୍ୟରେ ଚିକିତ୍ସା କରିବାକୁ ଜିଲ୍ଲା ଡାକ୍ତରଖାନାକୁ ନିଆଯାଇଛି।
ବର୍ତ୍ତମାନ ସମୟରେ ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ବେଳେ ଘଟଣାସ୍ଥଳରେ ଏସପି, କଲେକ୍ଟର, ମ୍ୟୁନିସିପାଲିଟି କମିଶନର, ଏସପି, ଡିଏସପି, ଟ୍ରାଫିକ ଟି, ସିଟି ଏବଂ ତହସିଲଦାର ସମସ୍ତ ପୋଲିସ ଷ୍ଟେସନ ଇନଚାର୍ଜ , ଏଡିଏମ୍, ଏସ୍ଡିଏମ୍ ଏବଂ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଅଛନ୍ତି।
ରାଜ୍ୟର ବିଭିନ୍ନ ସ୍ଥାନରେ ଲାଗି ରହିଛି ଅବିଶ୍ରାନ୍ତ ବର୍ଷା। ଏନେଇ ଗତ କିଛିଦିନ ଧରି ବିଭିନ୍ନ ସ୍ଥାନରେ କୋଠା ଭୁଶୁଡିବା ଘଟଣା ସାମ୍ନାକୁ ଆସୁଛି। ବର୍ତ୍ତମାନ ମହାରାଷ୍ଟ୍ର ରାୟଗଡ ମହଦ ସହରର କାଜଲପୁର ଅଞ୍ଚଳରେ 5 ମହଲା କୋଠା ଭୁଶୁଡିବା ଘଟଣାରେ ମୃତ୍ୟୁ ସଂଖ୍ୟା 13କୁ ବୃଦ୍ଧି ପାଇଛି । ଏବେବି 18 ଜଣ କୋଠା ତଳେ ଫସି ରହିଥିବା ବେଳେ 7 ଜଣ ଆହତ ହୋଇଛନ୍ତି ।