ତିରୁମାଳା: ପ୍ରାୟ 2 ମାସ ଧରି ଲକଡାଉନ ଯୋଗୁଁ ବନ୍ଦ ରହିଛି ସମସ୍ତ ଧାର୍ମିକ ସ୍ଥଳ । ଆଉ ଏବେ ଧିରେ ଧିରେ ମନ୍ଦିର ଗୁଡିକ କୋହଳ କରାଯାଉଛି । ଭଗବାନ ବାଲାଜୀ ମନ୍ଦିରର ପ୍ରଶାସନିକ ସଂସ୍ଥା ତିରୁମାଲା ତିରୁପତି ଦେବସ୍ତାନମ୍ (ଟିଟିଡି) କୋରୋନା ଭାଇରସ ଦ୍ବାରା ଲକଡାଉନ ମଧ୍ୟରେ ଭଗବାନ ବାଲାଜୀଙ୍କ ଦର୍ଶନ ପାଇଁ ଭକ୍ତମାନଙ୍କୁ ଅନୁମତି ଦେବାକୁ ପ୍ରସ୍ତୁତ ହେଉଛନ୍ତି ।
ଟିଟିଡି ଅଧିକାରୀମାନେ କହିଛନ୍ତି ଯେ ଅଳ୍ପ ସଂଖ୍ୟକ ଭକ୍ତଙ୍କୁ ଦର୍ଶନ ପାଇଁ ଅନୁମତି ଦିଆଯିବ । ସେହି ଅନୁଯାୟୀ ଆନ୍ଧ୍ରପ୍ରଦେଶ ରାଜ୍ୟ ସଡକ ପରିବହନ ନିଗମ ମଧ୍ୟ ତିରୁପତିରୁ ତିରୁମାଲା ପର୍ଯ୍ୟନ୍ତ ବସ ଚଳାଚଳ ପାଇଁ ବ୍ୟବସ୍ଥା କରୁଛନ୍ତି । ବସ୍ କମ୍ପ୍ଲେକ୍ସ ଏବଂ ଟିକେଟ୍ କାଉଣ୍ଟରରେ ସାମାଜିକ ଦୂରତା ପାଇଁ ଅଧିକାରୀମାନେ କହିଛନ୍ତି । ଏହାସହ ବସିବା ପାଇଁ ବସରେ ମାର୍କିଂ ଆଦି କରାଯାଉଛି ।
ଲକଡାଉନ ନିୟମ କୋହଳ ହେବା ସହ ମନ୍ଦିର ଗୁଡିକ ଖୋଲିଲେ ଆରଟିସି ବସ ଚଳାଚଳ ଆରମ୍ଭ କରିବ । 49ଟି ସିଟ ଯୁକ୍ତ ବସରେ 30 ଜଣ ଯାତ୍ରୀଙ୍କୁ ଅନୁମତି ଦିଆଯିବ । ସେହିପରି 45 ସିଟ ଥିବା ବସରେ 25 ଜଣ ଯାତ୍ରୀ ବସିପାରିବେ । ଆଉ ପ୍ରତ୍ୟେକ ଯାତ୍ରୀ ମାସ୍କ ପିନ୍ଧିବା ବାଧ୍ୟତା ମୂଳକ । ବସରେ ହାତ ଧୋଇବା ପାଇଁ ସାନିଟାଜର ବ୍ୟବସ୍ଥା ହୋଇଛି । ଲୋକଙ୍କୁ ଗାଇଡ କରିବାକୁ ସ୍ବେଚ୍ଛାସେବୀମାନଙ୍କୁ ମଧ୍ୟ ନିୟୋଜିତ କରାଯିବ ।
ଏପିଏସ୍ଆରଟିସି ତିରୁମାଲା ଡିପୋର ଡେପୁଟି ମ୍ୟାନେଜର ଗିରିଧର ରେଡ୍ଡୀ କହିଛନ୍ତି ଯେ ଟିଟିଡି ପ୍ରଭୁ ବାଲାଜୀଙ୍କ ଦର୍ଶନ ପାଇଁ ଅନୁମତି ଦେବା ଦିନଠାରୁ ବସ୍ ଚଲାଇବାକୁ ଅଧିକାରୀମାନେ ପ୍ରସ୍ତୁତ ଅଛନ୍ତି । ଯାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ପ୍ରତି ତିନି ଦିନ କୁ ଥରେ ବସକୁ ଯାଞ୍ଚ କରାଯାଉଛି ।