ଲକ୍ଷ୍ନୌ: ଶେଷ ହୋଇଛି ବହୁ ପ୍ରିତିକ୍ଷିତ ଅଯୋଧ୍ୟା ମନ୍ଦିର ଭୂମିପୂଜା । ପ୍ରଧାନମନ୍ତ୍ରୀ ମୋଦି ଆଧାରଶୀଳା ରଖି ଏହାକୁ ସମ୍ପନ୍ନ କରିଛନ୍ତି । ତେବେ ଏହାପରେ ଖୁବ ଶୀଘ୍ର ନିର୍ଦ୍ଧାରିତ ସମୟରେ ରାମଲଲାଙ୍କ ମନ୍ଦିର ନିର୍ମାଣ ହେବା ନେଇ ପ୍ରତିଶୃତି ଦେଇଛନ୍ତି ଶ୍ରୀ ରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟର ସଭାପତି ମହନ୍ତ ନୃତ୍ୟ ଗୋପାଳ ଦାସ । ଯାହାକୁ ନେଇ ସମଗ୍ର ଅଯୋଧ୍ୟା ନଗରୀରେ ଖୁସିର ମାହୋଲ ସୃଷ୍ଟି ହୋଇଛି ।
ତେବେ ଏପରି କ୍ଷେତ୍ରରେ, ଅଯୋଧ୍ୟା ନିବାସୀ ମହମ୍ମଦ ଆଜାମ ନାମକ ଜଣେ କଠଉ ନିର୍ମାତା ନିଜ ଉତ୍ପାଦନ ସାମଗ୍ରୀର ଅଧିକ ବିକ୍ରୟ ନେଇ ଆଶା ରଖିଛନ୍ତି । ସେ କହିଛନ୍ତି, 'ମୋର ଏକ କଠଉ ଦୋକାନ ଅଛି । ଯେଉଁଠାରୁ ଶ୍ରଦ୍ଧାଳୁ ମାନେ ଭଗବାନଙ୍କ ପାଖରେ ମାନସିକ କରି ଲାଗି କରିବା ପାଇଁ କିଣି ନେଇଥାନ୍ତି । ଆଉ କିଛି ସାଧୁ ସନ୍ଥ ମାନେ ମଧ୍ୟ ଏହାକୁ ପିନ୍ଧିଥାନ୍ତି। ହେଲେ ବର୍ତ୍ତମାନ ଯେପରି ଏତେ ପରିମାଣରେ ମୋ ସାମଗ୍ରୀର ବିକ୍ରୟ ହୋଇପାରୁନି, ଆଶା କରୁଛି ଯେ, ରାମ ମନ୍ଦିର ହେବା ଦ୍ବାରା ଏହାର ଚାହିଦା ବେଶ ବୃଦ୍ଧି ପାଇବ । ଆଉ ଭଲ ଦୁଇ ପଇସା ମଧ୍ୟ ରୋଜଗାର ହେବ'।
ସେ କହିଛନ୍ତି 'ମୋ ପାଖରେ କାର୍ଯ୍ୟ କରୁଥିବା ସମସ୍ତ କାରିଗର ହିନ୍ଦୁ ଅଟନ୍ତି । ମୁଁ ସେମାନଙ୍କ ସହ ମିଶି ଏହାକୁ ପ୍ରସ୍ତୁତ କରିଥାଏ । ଆଉ ଆମେ ମିଳିମିଶି ସବୁ ପର୍ବ ଏକା ସାଙ୍ଗରେ ପାଳନ କରିଥାଉ । ଆଉ ଆଜିର ଏହି ଭୂମି ପୂଜା ନେଇ ମୁଁ ମଧ୍ୟ ବହୁତ ଖୁସି ଅଛି'।