ବେଙ୍ଗାଲୁର: କର୍ଣ୍ଣାଟକ ରାଜନୀତିରେ ପୁଣିଥରେ ଆରମ୍ଭ ହୋଇଯାଇଛି ହାଇ ଭୋଲଟେଜ ଡ୍ରାମା । କଂଗ୍ରେସ ଏବଂ ଜନତା ଦଳ ସେକ୍ୟୁଲାରର ମେଣ୍ଟ ସରକାରରେ ଅସନ୍ତୋଷ ବିଧାୟକ ଗୋଷ୍ଠୀ ଇସ୍ତଫା ଦେଇ ମୁମ୍ବାଇ ଚାଲିଯାଇଛନ୍ତି । ତେବେ ବାଗୀ ବିଧାୟକ ରହୁଥିବା ହୋଟେଲରେ ଜଣେ ବିଜେପି ନେତାଙ୍କୁ ଦେଖିବାକୁ ମିଳିଛି ।
ଏହି ବିଧାୟକମାନେ ମୁମ୍ବାଇର ସୋଫିଟେଲ ହୋଟେଲରେ ରହୁଥିବା ବେଳେ ରବିବାର ସେହି ହୋଟେଲରେ ଭାରତୀୟ ଜନତା ଯୁବ ମୋର୍ଚ୍ଚାର ମୁମ୍ବାଇ ଅଧ୍ୟକ୍ଷ ମୋହିତ କମ୍ବୋଜଙ୍କୁ ଦେଖିବାକୁ ମିଳିଛି । ତେବେ ଏହି ବିଧାୟକଙ୍କ ସହ କୌଣସି ପ୍ରକାର ସମ୍ପର୍କରେ ନଥିବା ଗଣମାଧ୍ୟମରେ ସ୍ପଷ୍ଠ କରିଛନ୍ତି ମୋହିତ କମ୍ବୋଜ । ସେ ଏଠାକୁ ସ୍ପା କରିବା ପାଇଁ ଆସିଥିବା କହିଛନ୍ତି ।
ସୂଚନା ଯୋଗ୍ୟ ଯେ, ଶନିବାର ଜେଡିଏସ ଓ କଂଗ୍ରେସ ମେଣ୍ଟ ସରକାରର 14 ଜଣ ବିଧାୟକ ଇସ୍ତଫା ଦେଇଛନ୍ତି । ସେମାନେ ସକାଳୁ ବିଧାନସଭା ପହଞ୍ଚି ବାଚସ୍ପତିଙ୍କ କାର୍ଯ୍ୟାଳୟରେ ଇସ୍ତଫା ଦେବା ପରେ ସେମାନଙ୍କ ମଧ୍ୟରୁ 10 ଜଣ ସ୍ବତନ୍ତ୍ର ବିମାନ ଯୋଗେ ମୁମ୍ବାଇ ଚାଲିଯାଇଥିଲେ ।