ବେଙ୍ଗାଲୁରୁ: ଦୀର୍ଘ ଦିନ ଧରି କର୍ଣ୍ଣାଟକରେ ଲାଗି ରହିଥିବା ନାଟକର ଯବନିକା ପଡିଛି । ଫେଲ ମାରିଛି ଶାସକ ଦଳର ସବୁ ରଣନୀତି । ଭୁଷୁଡି ଯାଇଛି ଏକବର୍ଷରୁ ଉର୍ଦ୍ଧ୍ୱ ସମୟ ଧରି ଶାସନ କରୁଥିବା ଜେଡିଏସ-କଂଗ୍ରେସ ମେଣ୍ଟ ସରକାର ।
ରାଜନୈତିକ ଛକାପଞ୍ଝା ଲଢେଇରେ ଶେଷରେ କୁମାରସ୍ବାମୀ ଆତ୍ମସମର୍ପଣ କରିଛନ୍ତି । ଆସ୍ଥା ଭୋଟରେ 6 ଖଣ୍ଡ ଭୋଟରେ ହାରିଯାଇଛନ୍ତି । ତେବେ କଂଗ୍ରେସ-ଜେଡିୟୁ ମେଣ୍ଟ ଆସ୍ଥା ଭୋଟରେ ହାରିବେ ବୋଲି ଜାଣି ମଧ୍ୟ ଶେଷ ପର୍ଯ୍ୟନ୍ତ କୌଣସି ଚମତ୍କାର ହେବ ବୋଲି ଆଶା ବାନ୍ଧିଥିଲେ । ହେଲେ ସେମାନଙ୍କର ଆଶା ଆଶାରେ ରହିଯାଇଛି ।
ବିଦ୍ରୋହୀ ବିଧାୟକ ମୁମ୍ବାଇରେ ଥିବାବେଳେ ସେମାନଙ୍କୁ ମନାଇବାକୁ ଶେଷ ପର୍ଯ୍ୟନ୍ତ ଚେଷ୍ଟା କରି ମଧ୍ୟ ବିଫଳ ହୋଇଥିଲା ମେଣ୍ଟ ସରକାର । ବାଚସ୍ପତି ବିଧାୟକଙ୍କୁ ତୁରନ୍ତ ତାଙ୍କ ସାମ୍ନାରେ ହାଜର ହେବାକୁ ନିର୍ଦ୍ଦେଶ ଦେଇଥିବାବେଳେ, ବିଧାୟକ ସେମାନଙ୍କ ଓକିଲ ଜରିଆରେ 4 ସପ୍ତାହ ପାଇଁ ସମୟ ମାଗିନେଇଥିଲେ । ଏହାସହ ସେମାନେ ମେଣ୍ଟ ସରକାର ସହ କୌଣସି ଆଲୋଚନା କରିବାକୁ ଚାହୁଁନଥିବାର ସ୍ପଷ୍ଟ ସଙ୍କେତ ଦେଇଥିଲେ ।
ଏପଟେ ରାଜ୍ୟପାଳଙ୍କ ଆସ୍ଥା ଭୋଟ କରିବା କଥାକୁ ବିଚାର କରିବେ ବୋଲି କହିଥିବା ମେଣ୍ଟ ସରକାରକୁ ସୁପ୍ରିମକୋର୍ଟ ଝଟକା ଲାଗିଥିଲା । ଯାହାଫଳରେ ମେଣ୍ଟ ସରକାର ଆସ୍ଥା ଭୋଟ କରିବାକୁ ବାଧ୍ୟ ହୋଇଥିଲା । ସେପଟେ ଏହାରି ଭିତରେ ବିଦ୍ରୋହୀ ବିଧାୟକଙ୍କୁ ସରକାରଙ୍କ ବିରୋଧରେ ମତାଇବାରେ ବିଜେପି ସଫଳ ହୋଇଥିଲା । ଯାହା ସରକାର ଭାଙ୍ଗିବାରେ ସାହାଯ୍ୟ କରିଥିଲା ।
ତେବେ ନିଜ ଦଳର ଫାଇଦା ପାଇଁ ପ୍ରତ୍ୟେକ ଦଳ ପରସ୍ପର ଉପରେ ଆରୋପ ପ୍ରତ୍ୟାରୋପ ଲଗାଉଥିବାବେଳେ ପ୍ରକୃତ କାରଣକୁ ଅଣଦେଖା କରୁଛନ୍ତି । ସୂଚନା ଥାଉକି, 2018 ମସିହା ମେ ମାସରେ ହୋଇଥିବା ନିର୍ବାଚନରେ ବିଜେପି ସବୁଠୁ ଅଧିକ ଆସନ ପାଇଥିବା ଦଳ ଥିଲା । ବିଜେପି ଠାରୁ 1.8 ପ୍ରତିଶତ ଭୋଟ ଅଧିକ ପାଇ ମଧ୍ୟ କଂଗ୍ରେସ 78ଟି ଆସନରେ ସୀମିତ ଥିଲା । ଯେଉଁଠିକି ଜେଡିଏସ୍ 37ଟି ଆସନରେ ବିଜୟ ହୋଇଥିଲା । ତେବେ ଏହି ଦୁଇଦଳ ମେଣ୍ଟ କରି ଜେଡିଏସ୍ର କୁମାରସ୍ବାମୀଙ୍କୁ ମୁଖ୍ୟମନ୍ତ୍ରୀ କରାଇଥିଲେ ।
ରାଜ୍ୟପାଳ ଦ୍ବାରା ଡାକରା ପାଇ ପ୍ରଥମେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିବା ବିଜେପିର ବିଏସ ୟେଦୁରପ୍ପା ବିଧାନସଭାରେ ସଂଖ୍ୟାଗରିଷ୍ଠତା ଦେଖାଇନପାରି ଇସ୍ତଫା ଦେଇଥିଲେ । ଫଳରେ କଂଗ୍ରେସ-ଜେଡିଏସ୍ ମେଣ୍ଟ ସରକାର କରିଥିଲା । ତେବେ ସରକାର ଆରମ୍ଭରୁ ହିଁ ମେଣ୍ଟ ଭିତରେ ଫାଟ ଥିବା ଦେଖିବାକୁ ମିଳିଥିଲା ।
ତେବେ କଂଗ୍ରେସର 13 ଏବଂ 3 ଜେଡିଏସ ବିଧାୟକ ଇସ୍ତଫା ଦେବା ସହ 2 ସ୍ବାଧୀନ ବିଧାୟକ ଶାସକ ଦଳରୁ ନିଜ ସମର୍ଥନ ପ୍ରତ୍ୟାହାର କରିବା ପରେ ମେଣ୍ଟ ସରକାର ଆସ୍ଥା ହରାଇଥିଲା ।
ସେହିପରି 2008 ମସିହାରେ ମଧ୍ୟ ଏପରି କିଛି ସ୍ଥିତି କର୍ଣ୍ଣାଟକରେ ଦେଖିବାକୁ ମିଳିଥିଲା । 34 ପ୍ରତିଶତ ଭୋଟ ପାଇ ବିଜେପି 110ଟି ଆସନ ଜିତିଥିବାବେଳେ କଂଗ୍ରେସ 35.13 ପ୍ରତିଶତ ଭୋଟ ପାଇ କଂଗ୍ରେସ 80 ଟି ଆସନ ଅକ୍ତିଆର କରିଥିଲା । ତେବେ ବିଜେପି ସରକାର ଗଠନ ପାଇଁ ସଂଖ୍ୟାଗରିଷ୍ଠତାରୁ କିଛି ଆସନ ପଛରେ ଥିଲା । ସେତେବେଳେ ମଧ୍ୟ ଏପରି ଇସ୍ତଫା ଡ୍ରାମା କର୍ଣ୍ଣାଟକ ଦେଖିଥିଲା । ବିରୋଧୀ କଂଗ୍ରେସର କିଛି ବିଧାୟକ ଇସ୍ତଫା ଦେବା ସହ ବିଜେପି ଟିକେଟରେ ପୁଣିଥରେ ଜିତି ବିଧାନସଭା ଆସିଥିଲେ ଫଳରେ ବିଜେପି ସରକାର ଗଠନ କରିଥିଲା । ତେବେ ଇସ୍ତଫା ଡ୍ରାମା ସେବେଠୁ ବିଜେପି ହିଁ ଆରମ୍ଭ କରିଥିବା ଦେଖିବାକୁ ମିଳିଛି ।
ତେବେ କର୍ଣ୍ଣାଟକ ନାଟକରେ ରାଜଭବନର ହସ୍ତକ୍ଷେପ ମଧ୍ୟ ସମ୍ବିଧାନ ବିପକ୍ଷରେ ଥିବା ଜଣାପଡିଛି । ଏହା ସହ ସେମାନଙ୍କର ଇସ୍ତଫା ପତ୍ର ବାଚସ୍ପତି ତୁରନ୍ତ ଗ୍ରହଣ କରିବା ଲାଗି ବିଧାୟକ ସୁପ୍ରିମକୋର୍ଟ ଯାଇଥିବା ଦେଖିବାକୁ ମିଳିଲା । ସୁପ୍ରିମକୋର୍ଟ ମଧ୍ୟ ଏହା ଉପରେ ଶୁଣାଣୀ କରି ପୁଣି ଥରେ ବାଚସ୍ପତିଙ୍କୁ ଇସ୍ତଫା ଦେବା ପାଇଁ ବିଧାୟକଙ୍କୁ କହିଥିଲେ । ଯାହା ଫଳରେ ଏହି ବିବାଦ ହଟିଥିଲା । ତେବେ ସୁପ୍ରିମକୋର୍ଟର ଏହି ହସ୍ତକ୍ଷେପ ସମ୍ବିଧାନର ଧାରା 2 (ବି) ବିରୋଧରେ ଯାଉଥିବା ଆଇନ ଓ ସମ୍ବିଧାନିକ ବିଶେଷଜ୍ଞ କହିଛନ୍ତି ।
ତେବେ କୋର୍ଟର ଏହି ରାୟ ଉପରେ ପୁନଃବିଚାର ପାଇଁ ଦିଆଯାଇଥିବା ଯାଚିକା ଉପରେ କୋର୍ଟ ଶୁଣାଣି କରିବାକୁ ମନା କରିଦେବା ଫଳରେ ମେଣ୍ଟ ସରକାର ପାଇଁ ଆସ୍ଥା ଭୋଟ କରିବା ଛଡା ଆଉ କିଛି ଉପାୟ ନଥିଲା । ଆଉ ଆସ୍ଥା ଭୋଟରେ ହାରିବା ପରେ ଜୁଲାଇ 23 2019 ମୁଖ୍ୟମନ୍ତ୍ରୀ କୁମାରସ୍ବାମୀ ରାଜ୍ୟପାଳଙ୍କୁ ଇସ୍ତଫା ପ୍ରଦାନ କରିଥିଲେ ।
ତେବେ ଏହି ‘କର୍ଣ୍ଣାଟକ ନାଟକ’ ଗଣତନ୍ତ୍ର ପାଇଁ ନୂଆ ଚ୍ୟାଲେଞ୍ଜ ଠିଆ କରିଛି । ଆଗକୁ ଯଦି ଏଭଳି ଧାରା ଜାରି ରହେ, ନିଶ୍ଚିତ ଭାବେ ଏହା ଗଣତନ୍ତ୍ର ପାଇଁ ବିପଦ ସୃଷ୍ଟି କରିବ । ଏପରି ହେଲେ ପଇସାର ଖେଳ ଆଗରେ ହାର ମାନିବ ଗଣତନ୍ତ୍ର।