ବେଙ୍ଗାଲୁରୁ: କୋଭିଡ-19 ଯୋଗୁଁ ସ୍କୁଲ, କଲେଜ ଏବେ ବନ୍ଦ ରହିଛି । ବର୍ତ୍ତମାନ କଟକଣା କୋହଳ ହେଉଥିବାବେଳେ ବିଭିନ୍ନ ରାଜ୍ୟରେ ଶିକ୍ଷାନୁଷ୍ଠାନ ଅଗଷ୍ଟ ସୁଦ୍ଧା ଖୋଲିବ ବୋଲି ଆଶା କରାଯାଉଛି । ତେବେ ଏପରି ସମୟରେ ଘରୋଇ ସ୍କୁଲଙ୍କୁ କର୍ଣ୍ଣାଟକ ସରକାର ଫି ବୃଦ୍ଧି ନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।
ଲକଡାଉନରେ ଲୋକେ ଆର୍ଥିକ ସମସ୍ୟାର ସମ୍ମୁଖୀନ ହୋଇଛନ୍ତି । ଏପରି ସମୟରେ ଫି ବୃଦ୍ଧି କରିବା ସେମାନଙ୍କ ଉପରେ ଅଧିକ ବୋଝ ହୋଇପାରେ । ବିଶେଷ କରି ଆର୍ଥକ ସ୍ବଚ୍ଛଳ ନଥିବା ଲୋକଙ୍କୁ ଏହା ଅଧିକ କଷ୍ଟ ଦେଇପାରେ । ଏହା ବିଚାର କରି କର୍ଣ୍ଣାଟକ ସରକାର ଏପରି ନିଷ୍ପତ୍ତି ନେଇଛନ୍ତି । ଏନେଇ ସରକାରଙ୍କ ପକ୍ଷରୁ ଏକ ବିଜ୍ଞପ୍ତି ଜାରି କରାଯାଇଛି । ଆଗାମୀ ଶିକ୍ଷା ବର୍ଷ ପାଇଁ ଘରୋଇ ଅଣଅନୁଦାନପ୍ରାପ୍ତ ସ୍କୁଲମାନଙ୍କୁ ଏପରି ନିର୍ଦ୍ଦେଶ ଦିଆଯାଇଛି ।
2020-21 ବର୍ଷ ପାଇଁ ସମସ୍ତ ଘରୋଇ ଅଣଅନୁଦାନପ୍ରାପ୍ତ ସ୍କୁଲର ଟ୍ୟୁସନ ଫି କମ୍ କରିବାକୁ ରାଜ୍ୟ ସରକାର କହିଛନ୍ତି । ଏହାର କେହି ଉଲ୍ଲଙ୍ଘନ କଲେ କର୍ଣ୍ଣାଟକ ଶିକ୍ଷା ଆକ୍ଟ 1983 ଅନୁସାରେ କାର୍ଯ୍ୟାନୁଷ୍ଠାନ ନିଆଯିବ । ଏହି ଆକ୍ଟ ଅନୁସାରେ ରାଜ୍ୟ ସରକାର ଏହି ସମସ୍ତ ସ୍କୁଲ ପାଇଁ ଏକ ନିର୍ଦ୍ଧାରିତ ଟ୍ୟୁସନ ଫି ସ୍ଥିର କରିପାରିବେ । ତେବେ ସମସ୍ତ ସ୍କୁଲ ଉପରେ ସରକାର କୌଣସି ପ୍ରକାର ଚାପ ପକାଇବାକୁ ଚାହୁଁନାହାନ୍ତି ଏବଂ ସମସ୍ତେ ସରକାରଙ୍କ ଗାଇଡଲାଇନ ମାନିବାକୁ ଏହି ବିଜ୍ଞପ୍ତିରେ କୁହାଯାଇଛି । ଏହି ପ୍ରସଙ୍ଗରେ ପୂର୍ବରୁ ସରକାରଙ୍କ ପାଖକୁ ଅନେକ ଅଭିଭାବକ ଚିଠି ଲେଖି ଫି କମ୍ କରିବା ପାଇଁ ଅନୁରୋଧ କରିଥିଲେ ।