ବେଙ୍ଗାଲୁର: ମହାସଙ୍କଟରେ କର୍ଣ୍ଣାଟକର କଂଗ୍ରେସ-ଜେଡିଏସ ମେଣ୍ଟ ସରକାର । ଶନିବାର 14 ଜଣ ବିଧାୟକ ଇସ୍ତଫା ଦେବାପରେ ରାଜ୍ୟରେ ଦେଖାଦେଇଛି ରାଜନୈତିକ ସଙ୍କଟ । ତେବେ ଏହି ବିଧାୟକ ଇସ୍ତଫା ଦେଇଥିଲେ ସୁଦ୍ଧା ବାଚସ୍ପତି ଅନୁପସ୍ଥିତ ଥିବା କାରଣରୁ ଏହା ଗ୍ରହଣ ହୋଇନାହିଁ । ସେପଟେ କଂଗ୍ରେସ ଏବଂ ଜେଡିଏସ ଏହି ଅସନ୍ତୁଷ୍ଟ ବିଧାୟକଙ୍କୁ ଶାନ୍ତ କରିବା ପାଇଁ ଲଗାତାର ପ୍ରୟାସ ଜାରି ରଖିଛନ୍ତି । ଏହି କ୍ରମରେ ଜେଡିଏସ ଆଜି ବୈଠକ କରିଥିବା ବେଳେ କଂଗ୍ରେସ ଆଗାମୀ 9 ତାରିଖରେ ଦଳୀୟ ବୈଠକ କରିବାକୁ ଯାଉଛି ।
ତେବେ କଂଗ୍ରେସ ବିଧାୟକ ଦଳର ଏହି ବୈଠକ ପାଇଁ ରବିବାର ଏକ ସର୍କୁଲାର ଜାରି କରିଛି ଦଳ । ଏଥିରେ ବିଧାୟକଙ୍କୁ ଚେତାବନୀ ଦିଆଯାଇଛି । ଏହି ବୈଠକରେ ଅନୁପସ୍ଥିତ ରହୁଥିବା ବିଧାୟକଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସର୍କୁଲାରରେ କୁହାଯାଇଛି । ମଙ୍ଗଳବାର ହେବାକୁ ଥିବା ଏହି ବୈଠକରେ ପୂର୍ବତନ ମୁଖ୍ୟମନ୍ତ୍ରୀ ସିଦ୍ଧାରମୈୟା, କର୍ଣ୍ଣାଟକ ପ୍ରଦେଶ କଂଗ୍ରେସ ଅଧ୍ୟକ୍ଷ ଦିନେଶ କୁଣ୍ଡୁ ରାଓ ଏବଂ କର୍ଣ୍ଣାଟକ ପ୍ରଭାରୀ କେସି ବେଣୁଗୋପାଳ ମଧ୍ୟ ସାମିଲ ହେବେ ବୋଲି ଜଣା ପଡିଛି ।
ସେପଟେ ପରିସ୍ଥିତି ସମ୍ଭାଳିବା ପାଇଁ ମୁଖ୍ୟମନ୍ତ୍ରୀ ଏଚ୍ ଡି କୁମାରସ୍ବାମୀ ରବିବାର ସନ୍ଧ୍ୟାରେ ଜେଡିଏସ ବିଧାୟକଙ୍କ ସହ ବୈଠକ କରିଛନ୍ତି ।