ବେଙ୍ଗାଲୁରୁ: ଦେଶରେ ଦିନକୁ ତୈଳ ଦର ବୃଦ୍ଧି ପାଇବାରେ ଲାଗିଛି । ଯାହା ସାଧାରଣ ଲୋକଙ୍କ ଚିନ୍ତାକୁ ଦ୍ବିଗୁଣିତ କରିଛି । ତେବେ ଏହି ତୈଳଦର ବୃଦ୍ଧିକୁ ନେଇ ସରକାରଙ୍କୁ ଘେରିବାର ପ୍ରୟାସ କରିଛନ୍ତି ବିରୋଧୀ ଦଳ । ତୈଳ ଦର ବୃଦ୍ଧି ବିରୋଧରେ କର୍ଣ୍ଣାଟକ କଂଗ୍ରେସ ପକ୍ଷରୁ ସୋମବାର ସାଇକେଲ ରାଲିର ଆୟୋଜନ କରାଯାଇଛି । ଏନେଇ ରବିବାର କଂଗ୍ରେସ ନେତା ଡିକେ ଶିବକୁମାର ଘୋଷଣା କରିଛନ୍ତି ।
ଏନେଇ ସେ କହିଛନ୍ତି, ତୈଳଦର ବୃଦ୍ଧି ବିରୋଧରେ ରାଜ୍ୟ କଂଗ୍ରେସ ପକ୍ଷରୁ ସୋମବାର ସାଇକେଲ ରାଲିର ଆୟୋଜନ କରାଯାଇଛି । ସମସ୍ତ ଦଳୀୟ ସଦସ୍ୟ ଏବଂ କର୍ମଚାରୀଙ୍କୁ ଏହି ରାଲିରେ ଯୋଗ ଦେବାକୁ ଅନୁରୋଧ । ଏହି ରାଲି ବେଙ୍ଗାଲୁରୁ ସ୍ଥିତ କର୍ଣ୍ଣାଟକ କଂଗ୍ରେସର ମୁଖ୍ୟାଳୟରେ ହେବ । ସମସ୍ତେ ସାଇକେଲ ଧରି କାର୍ଯ୍ୟାଳୟ ପହଞ୍ଚିବାକୁ ଅନୁରୋଧ । ମୁଁ ଏବଂ ସିଦ୍ଦାରମୈୟା ମଧ୍ୟ ଏହି ରାଲିରେ ଯୋଗଦେବୁ ।
ତେବେ ଏହା ପୂର୍ବରୁ ମଧ୍ୟ ପ୍ରଦେଶ କଂଗ୍ରେସ ନେତା ଦିଗବିଜୟ ସିଂହ ନିଜ ଦଳୀୟ କାର୍ଯ୍ୟକର୍ତ୍ତାଙ୍କ ସହ ତୈଳଦର ବୃଦ୍ଧି ବିରୋଧରେ ସାଇକେଲ ମାର୍ଚ୍ଚ କରିଥିଲେ । ଏହା ବ୍ୟତୀତ ଆରଜେଡି ନେତା ତେଜସ୍ବୀ ଯାଦବ ଏବଂ ତେଜପ୍ରତାବ ଯାଦବ ମଧ୍ୟ ନିଜ ଦଳୀୟ କାର୍ଯ୍ୟକର୍ତ୍ତାଙ୍କ ସହ ମିଳି ସାଇକେଲ ରାଲି କରିଥିଲେ ।
ସୂଚନାଯୋଗ୍ୟ ଯେ, ବର୍ତ୍ତମାନ ଦିଲ୍ଲୀରେ ପେଟ୍ରୋଲ ଦଲ ଲିଟର ପିଛା 80.38 ଟଙ୍କା ଥିବା ବେଳେ ଡିଜେଲ ଲିଟର ପିଛା 80.40 ଟଙ୍କା ରହିଛି । ତେବେ ରବିବାର ତୈଳଦର ବୃଦ୍ଧି ହୋଇନଥିବା ଜଣାପଡିଛି ।