ବେଙ୍ଗାଲୁରୁ: କର୍ଣ୍ଣାଟକର ୧୫ଟି ଆସନ ପାଇଁ ହୋଇଥିବା ବିଧାନସଭା ଉପନିର୍ବାଚନରେ କଂଗ୍ରେସ-ଜେଡିଏସକୁ ଶକ୍ତ ଝଟକା । କର୍ଣ୍ଣାଟକରେ ବଜାୟ ରହିବ ମୁଖ୍ୟମନ୍ତ୍ରୀ ବିଏସ ୟେଦୁରପ୍ପାଙ୍କ ସରକାର । କର୍ଣ୍ଣାଟକର ୧୫ ବିଧାନସଭା ଆସନ ପାଇଁ ହୋଇଥିବା ଉପ-ନିର୍ବାଚନରେ 15 ମଧ୍ୟରୁ 12ଟି ଆସନରେ ବିଜୟ ହାସଲ କରିଛି ବିଜେପି । ସେପଟେ କଂଗ୍ରେସ କେବଳ 2ଟି ଆସନରେ ବିଜୟୀ ହୋଇଥିବା ବେଳେ ଜେଡିଏସ ସମ୍ପୂର୍ଣ୍ଣ ନିରାଶ ହେବାକୁ ପଡିଛି । ସେହିପରି ସ୍ବାଧୀନରୁ ଜଣେ ବିଧାୟକ ବିଜୟୀ ହୋଇଛନ୍ତି ।
ତେବେ ଏନେଇ ବିଜେପି ଶିବିରରେ ଉତ୍ସାହର ମାହୋଲ ରହିଛି । ୟେଦିରୁପ୍ପାଙ୍କ ଘରେ ମଧ୍ୟ ଖୁସିର ମାହୋଲ ଦେଖିବାକୁ ମିଳିଛି । ପୁଅ ବିଜୟେନ୍ଦ୍ରଙ୍କୁ ମିଠା ଖୁଆଉଥିବା ଖୁସି ଜାହିର କରିଛନ୍ତି ସେ । ବିଜୟ ପରେ ମୁଖ୍ୟମନ୍ତ୍ରୀ ୟେଦୁରପ୍ପା ରାଜ୍ୟର ଭୋଟରମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଏହା ସହିତ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହଙ୍କୁ ମଧ୍ୟ ଧନ୍ୟବାଦ ଦେଇଛନ୍ତି ।
ଗତ ଜୁଲାଇରେ ଜେଡିଏସ-କଂଗ୍ରେସ ମେଣ୍ଟ ସରକାରର 17 ବିଧାୟକମାନେ ଦଳ ଓ ବିଧାୟକ ପଦବୀରୁ ଇସ୍ତଫା ଦେଇଥିଲେ। ଫଳରେ 17 ଟି ଆସନ ଖାଲି ପଡ଼ିଥିଲା। ଏହାପରେ ଜେଡିଏସ-କଂଗ୍ରେସ ସରକାର ଭାଙ୍ଗିଯାଇଥିଲା। ପରେ ବିଜେପି ବିଧାୟକ ବି. ଏସ ୟେଦ୍ୟୁରପ୍ପାଙ୍କ ନେତୃତ୍ବରେ ରାଜ୍ୟରେ ବିଜେପି ସରକାର ହେଲା। ତେବେ ଖାଲି ପଡିଥିବା 17 ଆସନ ମଧ୍ୟରୁ 15 ଟି ଆସନ ପାଇଁ ଉପ ନିର୍ବାଚନ ହୋଇଛି। ତେବେ ବିଜେପିକୁ ନିଜ ସରକାର ରକ୍ଷା କରିବା ପାଇଁ 6 ବିଧାୟକଙ୍କର ଆବଶ୍ୟକତା ଥିଲା । କିନ୍ତୁ ଅନ୍ତିମ ଫଳାଫଳ ପରେ ବିଜେପିକୁ ସମ୍ପୁର୍ଣ୍ଣ ଅସ୍ବସ୍ତି ମିଳିଛି ।