ବେଙ୍ଗାଲୁରୁ: ଦୁନିଆର ସବୁଠାରୁ ଅମୂଲ୍ୟ ସମ୍ପର୍କ ମା ଓ ତାର ସନ୍ତାନ ମଧ୍ୟରେ ଥାଏ । ସେଥିପାଇଁ ତ କୁହାଯାଏ 'ମା' ନାହିଁ ଯାହାର ସାହା ନାହିଁ ତାହାର । ମା' କୋଳରେ ରହିବା ପାଇଁ ସବୁବେଳେ ଡହଳବିକଳ ହୋଇଥାଏ ତାର ସନ୍ତାନ । ଦୁନିଆ ଯାକର ଶାନ୍ତି ମା କୋଳରେ। ନିଜ ପିଲା ତୁଣ୍ଡରେ ଖାଦ୍ୟ ଦେବା ପାଇଁ ଅଭାବୀ ମା କେତେ ଯେ ମେହନତ କରେ ତାର ଅନେକ ଉଦାହରଣ ଦେଖିବାକୁ ମିଳିଛି । ହେଲେ ଭୋକିଲା ମାଆ ପେଟରେ ଖାଦ୍ୟ ଦେବା ପାଇଁ କୁନି ଝିଅଟିଏ ଭିକ୍ଷା ମାଗୁଥିବା ଭଳି ମର୍ମଭେଦି ଚିତ୍ର ଦେଖିଲେ ସମସ୍ତଙ୍କ ଆଖିରେ ଲୁହ ଆସିଯିବ । ଏଭଳି କରୁଣ ଦୃଶ୍ୟ ଦେଖିବାକୁ ମିଳିଛି କର୍ଣ୍ଣାଟକର କୋପ୍ପଲଠାରେ ।
ଅସୁସ୍ଥ ମହିଳା କର୍ଣ୍ଣାଟକର କାରାଟଗୀ ସିଦ୍ଦାପୁରାରେ ବାସ କରନ୍ତି । ତାଙ୍କର ଗୋଟିଏ 4 ବର୍ଷର ପୁଅ ଏବଂ 6 ବର୍ଷର ଝିଅ ଅଛନ୍ତି । ଉକ୍ତ ମହିଳାଙ୍କୁ ତାଙ୍କ ସ୍ବାମୀ ଛାଡି ଅନ୍ୟ ମହିଳାଙ୍କୁ ବିହାର କରିଛନ୍ତି । ସେହିଦିନଠାରୁ ମାଆ-ଛୁଆ ତିନିଜଣ ହିଁ ତିନିଜଣଙ୍କର ଉପରେ ନିର୍ଭରଶୀଳ । ତେବେ ଦୀର୍ଘଦିନ ଧରି ଉକ୍ତ ମହିଳା ଜଣକ ମଦ ପିଇ ଆସୁଥିବାରୁ ଏବେ ସେ ଅସୁସ୍ଥ ହୋଇପଡିଛନ୍ତି । 6 ବର୍ଷର ଝିଅ ମାଆକୁ ସୁସ୍ଥ କରିବା ଲାଗି ମେଡିକାଲ ଭର୍ତ୍ତି କରିଛି । ଆଉ ସେମାନଙ୍କ ଆର୍ଥିକ ଅବସ୍ଥା ଖରାପ ଥିବା ଯୋଗୁଁ ଟଙ୍କା ପାଇଁ ଲୋକଙ୍କଠାରୁ ଭିକ୍ଷା ମାଗୁଛି । ଏହି କରୁଣ ଚିତ୍ର ଦେଖି ଲୋକେ ତାଙ୍କୁ ସାହାଯ୍ୟ ମଧ୍ୟ କରିଛନ୍ତି ।
ତେବେ ଝିଅଟି ତା ମାଆ ପାଇଁ ଭିକ୍ଷା ମାଗିବା ଦୃଶ୍ୟ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ସେପଟେ ଏହି ଘଟଣା ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ସୂଚନା ଯିବା ମାତ୍ରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । ରାଜ୍ୟ ମହିଳା ଏବଂ ବାଳବିକାଶ ବିଭାଗ ଏହି ମାମଲାକୁ ଗମ୍ଭୀରତାର ସହ ନେଇଛନ୍ତି । ସେମାନେ ଅସୁସ୍ଥ ମହିଳାକୁ ଚିକିତ୍ସା କରାଇଲେ । ଏହାସହ ମହିଳାଙ୍କ ଝିଅ ଏବଂ ପୁଅର ପାଠପଢା ଦାୟିତ୍ବ ମଧ୍ୟ ବହନ କରିଛନ୍ତି ।