ଭାରତ ସହିତ ସେମାନଙ୍କ ସଂପର୍କ ଯେତେ କ୍ଷୀଣ ହେଉ ନା କାହିଁକି, ପ୍ରବାସୀ ଭାରତୀୟମାନଙ୍କର ଯେ କୌଣସି ସଫଳତାକୁ ସଗର୍ବେ ଆଦରି ନେବା, ଗତ କିଛି ବର୍ଷ ହେଲା ଭାରତ ସରକାରଙ୍କ ପାଇଁ ଏକ ପାରମ୍ପରିକ ଧାରାରେ ପରିଣତ ହୋଇଛି । ଏହି କାରଣରୁ ହିଁ ଭାରତୀୟ ବଂଶୋଦ୍ଭବ ପ୍ରଥମ ମହିଳା ଭାବେ କମଲା ହାରିସ, ଆମେରିକାର ଏକ ପ୍ରମୁଖ ରାଜନୈତିକ ଦଳ ପକ୍ଷରୁ ରାଷ୍ଟ୍ରପତି ପଦ ଭଳି ସର୍ବୋଚ୍ଚ ପଦବୀ ପାଇଁ ପ୍ରାର୍ଥୀ ରୂପେ ମନୋନୀତ ହେବାକୁ ଯାଉଥିବା ବେଳେ ଭାରତ ସରକାରଙ୍କ ନିରବ ପ୍ରତିକ୍ରିୟା ସମସ୍ତଙ୍କୁ ଆଶ୍ଚର୍ଯ୍ୟାନ୍ବିତ କରିଛି ।
ହାରିସ ନିଜର ମୂଳ ବଂଶ ଏବଂ ତାଙ୍କ ଭାରତୀୟ ମାଆଙ୍କ ନିକଟରୁ ସେ ପାଇଥିବା ଶିକ୍ଷା ସଂପର୍କରେ ଦୃପ୍ତ ଭାବରେ ବର୍ଣ୍ଣନା କରନ୍ତି । ତାଙ୍କ ମାଆ ଥିଲେ, ତାମିଲ ନାଡୁରୁ ଆମେରିକାକୁ ଆସିଥିବା ପ୍ରଥମ ପିଢ଼ିର ପ୍ରବାସୀ । ଗତ ନଭେମ୍ବରରେ ଆମେରିକା ରାଷ୍ଟ୍ରପତିଙ୍କ ଭଳି ବିଶ୍ବର ସର୍ବାଧିକ ଗୁରୁତ୍ବପୂର୍ଣ୍ଣ ପଦବୀ ନିମନ୍ତେ ହାରିସ୍ଙ୍କ ନାଁ ଖୁବ୍ ଚର୍ଚ୍ଚାରେ ରହିଥିଲା । ୱେଷ୍ଟ ଇଣ୍ଡିଜ୍ରୁ ଆରମ୍ଭ କରି ଆୟାରଲ୍ୟାଣ୍ଡ, ସିଙ୍ଗାପୁର, ଫିଜି ଏବଂ ମରିସସ୍ ଭଳି ଅନେକ ଦେଶରେ ଭାରତୀୟ ବଂଶୋଦ୍ଭବ ବ୍ୟକ୍ତିମାନେ ସର୍ବୋଚ୍ଚ ପଦବୀ ମଣ୍ଡନ କରିସାରିଥିଲେ ହେଁ ଯୁକ୍ତରାଷ୍ଟ୍ର ଆମେରିକାର ଉପ ରାଷ୍ଟ୍ରପତି ପଦ ପାଇଁ ଜଣେ ଭାରତୀୟ ବଂଶୋଦ୍ଭବଙ୍କ ସମ୍ଭାବ୍ୟ ପ୍ରାର୍ଥିତ୍ବ ଖୁବ୍ ବଡ଼କଥା ଥିଲା ଏବଂ ଏହାକୁ ଭାରତ ଓ ଆମେରିକାର ଗଣମାଧ୍ୟମ, ବିଭିନ୍ନ ସମାଜର ସଦସ୍ୟ ଏବଂ ଅନ୍ୟ ମହଲରେ ସମୁଚିତ ତଥା ବିପୁଳ ସ୍ବାଗତ କରାଯାଇଥିଲା ।
ଏବେ, ଭାରତ ଏଭଳି ସ୍ବଳ୍ପଭାଷୀ ହେବା ପଛରେ ଅନେକ କାରଣ ରହିଛି ଏବଂ ସେଥିରୁ ଯାହା ସବୁଠାରୁ ସ୍ପଷ୍ଟ ରୂପେ ପ୍ରତୀୟମାନ, ତାହା ହେଉଛି ଟ୍ରମ୍ପ୍ ସରକାରଙ୍କ ସହିତ ଭାରତ ସରକାରଙ୍କ ପ୍ରତ୍ୟକ୍ଷ ଘନିଷ୍ଠତା ଏବଂ ନିର୍ଦ୍ଦିଷ୍ଟ ଭାବରେ ଭାରତର ସମର୍ଥକ ରୂପେ ଡୋନାଲଡ ଟ୍ରମ୍ପଙ୍କ ସରକାରଙ୍କୁ ଉପସ୍ଥାପନ କରିବାର ପ୍ରୟାସ । ଭାରତ ସହ ଆମେରିକାର ନିବିଡ଼ ସଂପର୍କ ସ୍ଥାପନ ପ୍ରକ୍ରିୟା ମୁଖ୍ୟତଃ ଏକ ଦ୍ବିଦଳୀୟ ପ୍ରୟାସ ଏବଂ ଉଭୟ ରିପବ୍ଲିକାନ୍ ଏବଂ ଡେମୋକ୍ରାଟିକ୍ ପାର୍ଟି ଏଥିରେ ଅଂଶଗ୍ରହଣ କରିବା କଥା । କିନ୍ତୁ ରାଷ୍ଟ୍ରପତି ଟ୍ରମ୍ପଙ୍କ ପ୍ରତି ଭାରତର ଖୋଲାଖୋଲି ସମର୍ଥନ ପ୍ରଦର୍ଶନକୁ ଡେମୋକ୍ରାଟିକ୍ ପାର୍ଟି ସହଜରେ ଗ୍ରହଣ କରିପାରିନାହିଁ ଏବଂ ଭାରତରେ ନରେନ୍ଦ୍ର ମୋଦିଙ୍କ ନେତୃତ୍ବାଧୀନ ସରକାର ଦ୍ବାରା ନିକଟରେ ପ୍ରଣୀତ ବିଭିନ୍ନ ନୀତିକୁ, ନିର୍ଦ୍ଦିଷ୍ଟ ଭାବେ ଜାମ୍ମୁ ଓ କାଶ୍ମୀର ସଂପର୍କିତ 370 ଧାରା ଉଚ୍ଛେଦ, ନାଗରିକତା ସଂଶୋଧନ ଆଇନ ଭଳି ନୀତିକୁ, ଏହି ଦଳର ଅନେକ ନେତା କଡ଼ା ଭାଷାରେ ସମାଲୋଚନା କରିଛନ୍ତି । ପୂର୍ବତନ ରାଷ୍ଟ୍ରପତି (ଡେମୋକ୍ରାଟିକ୍ ପାର୍ଟିର) ବାରାକ୍ ଓବାମାଙ୍କ ସହିତ ମୋଦିଙ୍କ ପ୍ରକାଶ୍ୟ ଘନିଷ୍ଠତା ସତ୍ତ୍ବେ ସେମାନେ ଏହା କରିଛନ୍ତି ।
ହାରିସ୍ ସେହିଭଳି ନେତାମାନଙ୍କ ମଧ୍ୟରୁ ଜଣେ, ଯେଉଁମାନେ ସଂପ୍ରତି ଜାମ୍ମୁ ଓ କାଶ୍ମୀରର ସ୍ଥିତିକୁ ଖୋଲାଖୋଲି ସମାଲୋଚନା କରିଆସିଛନ୍ତି । ଏମିତିକି ଗତ ଡିସେମ୍ବରରେ ଜାମ୍ମୁ ଓ କାଶ୍ମୀର ସଂପର୍କରେ ଆମେରିକା ସଦନର ବୈଦେଶିକ ସମ୍ବନ୍ଧ କମିଟି ସହିତ ପ୍ରସ୍ତାବିତ ବୈଠକରୁ ଓହରି ଆସିଥିବାରୁ ଭାରତୀୟ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍. ଜୟଶଙ୍କରଙ୍କୁ ମଧ୍ୟ ସେ ସମାଲୋଚନା କରିଥିଲେ । ତା ପୂର୍ବରୁ ମଧ୍ୟ, ଗତ ବର୍ଷ ସେପ୍ଟେମ୍ବରରେ ହ୍ୟୁଷ୍ଟନରେ ଆୟୋଜିତ ‘ହାଓଡି ମୋଦି’ କାର୍ଯ୍ୟକ୍ରମରୁ ସେ ଦୂରେଇ ରହିଥିଲେ । ଭାରତ ଓ ଆମେରିକାର ସଂପର୍କ ଏବଂ ସହଭାଗିତାକୁ ନେଇ ଉତ୍ସବ ପାଳନ ସକାଶେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅଧିକାଂଶ ଭାରତୀୟ ବଂଶୋଦ୍ଭବଙ୍କ ସମେତ ଆମେରିକାର ଅନେକ ପ୍ରଭାବଶାଳୀ ନୀତିପ୍ରଣେତା ଟ୍ରମ୍ପଙ୍କ ସହିତ ଯୋଗ ଦେଇଥିଲେ ।
ନୂଆଦିଲ୍ଲୀରେ ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ପଦପଦବୀରେ ଥିବା ଅଧିକାଂଶ ଅଧିକାରୀଙ୍କ ବ୍ୟକ୍ତିଗତ ମତ ଅନୁସାରେ. ଜୋ ବିଡେନଙ୍କ ସାଥୀ ଭାବରେ ଡେମୋକ୍ରାଟିକ୍ ପାର୍ଟିର ଉପରାଷ୍ଟ୍ରପତି ପ୍ରାର୍ଥୀ ରୂପରେ ହାରିସ୍ଙ୍କ ମନୋନୟନ ସଂପର୍କରେ ଭାରତ ସରକାର ନିରବ ରହିବାର ଏକ ପ୍ରମୁଖ କାରଣ ହେଉଛି ଟ୍ରମ୍ପଙ୍କ ଚମକପ୍ରଦ ବ୍ୟକ୍ତିତ୍ବ । ବିଶେଷତଃ ବାଣିଜ୍ୟ କ୍ଷେତ୍ରରେ ୱାଶିଂଟନ ଭାରତର GSP (ସାଧାରଣ ଅଗ୍ରାଧିକାର ପଦ୍ଧତି) ମାନ୍ୟତା ପୁନର୍ବାର ଲାଗୁ କରିବାର ସମ୍ଭାବନା ରହିଥିବା ସମୟରେ, କୌଣସି ପ୍ରକାରେ, ଟ୍ରମ୍ପଙ୍କୁ ଅପ୍ରସନ୍ନ କରିବା ଲାଗି ମୋଦି ସରକାର ଇଚ୍ଛା କରୁନାହିଁ ।
ସୀମାରେ ଲାଗି ରହିଥିବା ସ୍ଥିତି କାରଣରୁ ଚୀନ ସହିତ ସଂପର୍କରେ ଉତ୍ତେଜନା ଲାଗି ରହିଥିବା ଏବଂ ଭାରତର କେତେକ ଅଞ୍ଚଳକୁ ନିଜ ସୀମାଭୁକ୍ତ ବୋଲି ଦାବି କରିଆସୁଥିବା ପାକିସ୍ତାନକୁ ଚୀନ ସମର୍ଥନ କରୁଥିବା କାରଣରୁ ମଧ୍ୟ, ଯୁକ୍ତରାଷ୍ଟ୍ର ଆମେରିକାର ଖୋଲାଖୋଲି ସମର୍ଥନ ହାସଲ କରିବା ନୂଆଦିଲ୍ଲୀ ପାଇଁ ଗୁରୁତ୍ବପୂର୍ଣ୍ଣ ।
ଏହା ସହିତ, ମାନବାଧିକାର ଏବଂ ଧାର୍ମିକ ସ୍ବାଧୀନତା ପ୍ରସଙ୍ଗରେ ଡେମୋକ୍ରାଟ୍ମାନେ ରିପବ୍ଲିକାନ୍ମାନଙ୍କ ତୁଳନାରେ ଅଧିକ ମୁଖର ଏବଂ ସମାଲୋଚନାକୁ ସହଜରେ ଗ୍ରହଣ କରୁ ନଥିବା ନୂଆଦିଲ୍ଲୀର ସରକାରଙ୍କ ପାଇଁ ଏହି ଦୁଇଟି ପ୍ରସଙ୍ଗ ହିଁ ଅସ୍ବସ୍ତିକର ହୋଇପାରେ । ପରିବେଶ ଏବଂ ବିଶ୍ବ ତାପନ ପ୍ରସଙ୍ଗରେ ଉଭୟ ସରକାରଙ୍କ ମଧ୍ୟରେ ବିସ୍ତୃତ ସମ୍ମତି ରହିଥିଲେ ହେଁ ନିକଟରେ ପରିବେଶ ପ୍ରଭାବ ଆକଳନ (EIA) ନୀତି ଉଚ୍ଛେଦ ଭଳି ପରିବେଶ ନୀତି ପ୍ରଣୟନର ଆବଶ୍ୟକତା ସଂପର୍କରେ ଡେମୋକ୍ରାଟ୍ମାନେ ହୁଏତ ଅଧିକ ଅନିସନ୍ଧିତ୍ସୁ ହୋଇପାରନ୍ତି ।
ତେଣୁ, କମଲା ହାରିସ୍ଙ୍କ ମନୋନୟନ ଯୋଗୁଁ ଭାରତ ଯେ ଆମେରିକା ପାଖରୁ କେତେକ ସ୍ବତନ୍ତ୍ର ସୁଯୋଗ ହାସଲ କରିବ, ତାହା ଆଶା କରାଯାଉନାହିଁ । ବାସ୍ତବରେ, ଏ କ୍ଷେତ୍ରରେ କେତେକ ଚିନ୍ତା ପ୍ରକଟିତ ହୋଇଛି ଏବଂ ଟ୍ରମ୍ପ୍ଙ୍କ ପୁନର୍ବାର ବିଜୟ ହାସଲ ଉପରେ ଭାରତ ଆଶା ରଖିଛି ବୋଲି ଅନୁମାନ କରାଯାଉଛି । ଏହି ପରିପ୍ରେକ୍ଷୀରେ ହିଁ ଟ୍ରମ୍ପଙ୍କୁ ଭୋଟ ଦେବା ଲାଗି ଭାରତୀୟ-ଆମେରିକୀୟମାନଙ୍କୁ ଉତ୍ସାହିତ କରିବା ନିମନ୍ତେ ‘ହାଓଡି ମୋଦି’ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ହେଲେ ଟ୍ରମ୍ପ୍ଙ୍କୁ ଭାରତର ଘନିଷ୍ଠତମ ବନ୍ଧୁ ରୂପରେ ଉପସ୍ଥାପିତ କରିବା ପାଇଁ ଅହମ୍ମଦାବାଦରେ ‘ନମସ୍ତେ ଟ୍ରମ୍ପ୍’ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ବିଡେନ୍ଙ୍କ ସାଥୀ ଭାବରେ ଉପ ରାଷ୍ଟ୍ରପତି ପଦ ପାଇଁ ହାରିସ୍ଙ୍କ ମନୋନୟନ ଯୋଗୁଁ ଆମେରିକାର ଅଧିକାଂଶ ପ୍ରବାସୀ ଭାରତୀୟଙ୍କ ମଧ୍ୟରେ ଏକ ଶିହରଣ ସୃଷ୍ଟି ହୋଇଛି ଏବଂ ସେମାନଙ୍କ ମଧ୍ୟରୁ ଅଧିକାଂଶ କାଲିଫର୍ଣ୍ଣିଆର ଏହି ଭାରତୀୟ ବଂଶୋଦ୍ଭବ ସିନେଟ୍ ସଦସ୍ୟାଙ୍କୁ ଆଦରରେ ଗ୍ରହଣ କରିନେବେ ବୋଲି ସମ୍ଭାବନା ପ୍ରକାଶ ପାଇଛି ।
ପାରମ୍ପରିକ ଏବଂ ସମୁଚିତ ଭାବରେ, ବିଶ୍ବର ସର୍ବାଧିକ ସଂଖ୍ୟକ ପ୍ରବାସୀ ରୂପେ ପରିଗଣିତ ଏବଂ ପ୍ରାୟ ସବୁ ଭାଗରେ ବସବାସ କରୁଥିବା 3 କୋଟି ପ୍ରବାସୀଙ୍କୁ ନେଇ ଭାରତ ସରକାର ଗର୍ବ ଅନୁଭବ କରନ୍ତି । ଭାରତୀୟ ଅର୍ଥବ୍ୟବସ୍ଥା ପ୍ରତି ସେମାନଙ୍କ ଅବଦନା 80 ବିଲିଅନ୍ (ଶହେ କୋଟି) ଡଲାରରୁ ଅଧିକ ଏବଂ ଏହା ମଧ୍ୟ ବିଶ୍ବର ଯେ କୌଣସି ପ୍ରବାସୀ ସମାଜ ତୁଳନାରେ ସର୍ବାଧିକ ପ୍ରେରିତ ଅର୍ଥରାଶି । ଦେଶ ନିର୍ମାଣ କ୍ଷେତ୍ରରେ ପ୍ରବାସୀ ଭାରତୀୟଙ୍କର ପ୍ରଚୁର ଅବଦାନ ରହିଛି ଏବଂ ଗତ ଦୁଇ ଦଶନ୍ଧି ହେଲା, ଏହି ଅବଦାନକୁ ସଶକ୍ତ ସ୍ବୀକୃତି ପ୍ରଦାନ କରିବା ଲାଗି ଭାରତ ସରକାର ବାର୍ଷିକ ପ୍ରବାସୀ ଭାରତୀୟ ଦିବସ ପାଳନ କରିବା ସହିତ ପୁରସ୍କାର ଓ ସମ୍ମାନ ପ୍ରଦାନ କରିଆସୁଛନ୍ତି ।
ପ୍ରଥମ ଓ ଦ୍ବିତୀୟ ପିଢ଼ିର ଭାରତୀୟମାନେ ବସବାସ କରୁଥିବା ଦେଶ ସମୂହ ତାଲିକାର ଅଗ୍ରଭାଗରେ ରହିଛି ଯୁକ୍ତରାଷ୍ଚ୍ର ଆମେରିକା । ବିଭିନ୍ନ ବୃତ୍ତିଧାରୀ ଭାବରେ ଏବଂ ଶିକ୍ଷା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା ଏବଂ ଉଦ୍ୟୋଗ କ୍ଷେତ୍ରରେ ସେଠାକାର ଭାରତୀୟମାନେ ନିଜ ମାତୃଭୂମିକୁ ଗର୍ବିତ କରାଇଛନ୍ତି । ଆମେରିକାରେ ରହୁଥିବା ପ୍ରାୟ ଚାଳିଶ ଲକ୍ଷ ଭାରତୀୟ ବଂଶୋଦ୍ଭବ ସେଠାକାର ଅନ୍ୟ ସମସ୍ତ ପ୍ରବାସୀ ସଂପ୍ରଦାୟ ତୁଳନାରେ ଉଚ୍ଚଶିକ୍ଷିତ ଏବଂ ଧନଶାଳୀ ବର୍ଗ ଅନ୍ତର୍ଭୁକ୍ତ । କେବଳ ରଣନୈତିକ ଏବଂ ଅର୍ଥନୈତିକ କ୍ଷେତ୍ରରେ ଭାରତ-ଆମେରିକା ଦ୍ବିପାକ୍ଷିକ ସଂପର୍କକୁ ଆଗେଇ ନେବାରେ ନୁହେଁ, ବରଂ ଘନିଷ୍ଠ ସାଂସ୍କୃତିକ ସଂପର୍କ ସ୍ଥାପନ କ୍ଷେତ୍ରରେ ମଧ୍ୟ ସେମାନେ ଗୁରୁ ଭୂମିକା ନିର୍ବାହ କରନ୍ତି ।
କାଲିଫର୍ଣ୍ଣିଆର ସିଲିକନ୍ ଭ୍ୟାଲିରେ ଅବସ୍ଥିତ ଗୁଗଲ, ମାଇକ୍ରୋସଫ୍ଟ, ଆଡୋବ୍ ଏବଂ ଆଇବିଏମ୍ ଭଳି ଶୀର୍ଷସ୍ଥାନୀୟ ହାଇ-ଟେକ୍ କମ୍ପାନୀର ମୁଖ୍ୟ ଭାବେ ଦାୟିତ୍ବ ତୁଲାଉଥିବା ସୁନ୍ଦର ପିଚାଇ ଏବଂ ସତ୍ୟ ନାଡ଼େଲାଙ୍କ ଭଳି ଆମେରିକାରେ ରହୁଥିବା ଭାରତୀୟମାନେ ସେମାନଙ୍କ ଅବଦାନ ଏବଂ ଭାରତ ସହିତ ସଂପର୍କ ଯୋଗୁଁ ସାର୍ବଜନୀନ ଭାବେ ବହୁ ପ୍ରଶଂସିତ ହୋଇଛନ୍ତି । ଏଥିରୁ ଗୋଟିଏ କଥା ସ୍ପଷ୍ଟ ଯେ, ଉଭୟ ଆମେରିକା ଓ ଭାରତର ଅର୍ଥନୈତିକ ଅଗ୍ରଗତି କ୍ଷେତ୍ରରେ ଭାରତୀୟ ଔଦ୍ୟୋଗିକ ବୁଦ୍ଧିମତ୍ତା ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରେ । ନିକଟରେ ଅଭିଜିତ ବାନାର୍ଜୀଙ୍କୁ ନୋବେଲ ପୁରସ୍କାର ପ୍ରଦାନପୂର୍ବକ ସମ୍ମାନିତ କରାଯାଇଥିଲା ।
କିନ୍ତୁ ବିଶ୍ବର ସର୍ବବୃହତ୍ ଅର୍ଥନୀତିରେ ସର୍ବୋଚ୍ଚ ରାଜନୈତିକ ପଦବୀ ପାଇଁ ଏକ ପ୍ରମୁଖ ରାଜନୈତିକ ଦଳ ପକ୍ଷରୁ ମନୋନୀତ ହେବାର ଗୌରବ ଅର୍ଜନ କରିଥିବା କାଲିଫର୍ଣ୍ଣିଆର ଡେମୋକ୍ରାଟିକ୍ ସିନେଟ୍ ସଦସ୍ୟା କମଲା ହାରିସଙ୍କୁ ଅଭିନନ୍ଦନ ଜଣାଇବା ଦିଗରେ, ସାଧାରଣତଃ ବିଦେଶରେ ସଫଳତା ହାସଲ କରୁଥିବା ପ୍ରବାସୀ ଭାରତୀୟମାନଙ୍କୁ ତୁରନ୍ତ ନିଜର ବୋଲି କହି ଆଦରି ନେଉଥିବା, ଭାରତ ପକ୍ଷରୁ ଉତ୍ସୁକତା ପ୍ରକାଶ ପାଇ ନଥିଲା ।
ନିଲୋଭା ରୟ ଚୌଧୁରୀ