ନୂଆଦିଲ୍ଲୀ: ଏସିଆର ନୋବେଲ୍ ପୁରସ୍କାର ଭାବେ ପରିଚିତ ପ୍ରସିଦ୍ଧ ‘ରମଣ ମାଗାସେସେ ଆୱାର୍ଡ’ । ଚଳିତ ବର୍ଷ ବରିଷ୍ଠ ସାମ୍ବାଦିକ ରବୀଶ କୁମାର ଏହି ସମ୍ମାନଜନକ ପୁରସ୍କାରରେ ସମ୍ମାନିତ ହୋଇଛନ୍ତି। ତାଙ୍କ ଭିନ୍ନ ଅନ୍ୟ ଚାରି ଜଣଙ୍କୁ ଏହି ସମ୍ମାନ ମିଳିଛି । ଏହି ତାଲିକାରେ ମିୟ୍ୟାମାଁରର ସ୍ବେ ୱିନ, ଥାଇଲାଣ୍ଡର ଅଙ୍ଗଖାନା ନିଲାପଜିତ, ଫିଲିପାଇନ୍ସର ରେମୁଣ୍ଡେ ପୁଞ୍ଜାତେ କେୟୟାବ ଓ ଦକ୍ଷିଣ କୋରିଆର କିମ୍-ଜୋଙ୍ଗ ସାମିଲ ଅଛନ୍ତି । ପାଞ୍ଚଟି ଭିନ୍ନ ଭିନ୍ନ ବର୍ଗରେ ଏ ସମସ୍ତଙ୍କୁ ସମ୍ମାନିତ କରାଯାଇଛି ।
ସାମ୍ବାଦିକତା କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ଏହି ସମ୍ମାନଜନକ ପୁରସ୍କାରରେ ତାଙ୍କୁ ସମ୍ମାନିତ କରାଯାଇଛି । ସେପ୍ଟେମ୍ବର 9 ତାରିଖରେ ରବୀଶଙ୍କୁ ଏହି ପୁରସ୍କାର ଫିଲିପାଇନ୍ସରେ ପ୍ରଦାନ କରାଯିବ । ବର୍ଷ 2018ରେ ଦୁଇ ଜଣ ଭାରତୀୟଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଥିଲା ।
ଏହି ପୁରସ୍କାର ଘୋଷଣା ପରେ ରବୀଶଙ୍କୁ ଚାରିଆଡୁ ପ୍ରଶଂସାର ସୁଅ ଛୁଟୁଛି । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ସମେତ ଅନେକ ନେତା, ସାମ୍ବାଦିକ ଓ ବିଭିନ୍ନ ବର୍ଗର ଲୋକେ ଟ୍ବିଟ କରି ରବୀଶଙ୍କୁ ଅଭିନନ୍ଦନ ଦେଇଛନ୍ତି ।
'ରମଣ ମାଗାସେସ' ପୁରସ୍କାର ଏସିଆ ମହାଦେଶର ବ୍ୟକ୍ତି ବିଶେଷ ଓ ବିଭିନ୍ନ ସଂସ୍ଥାନକୁ ନିଜ ନିଜ କ୍ଷେତ୍ରରେ ଉଲ୍ଲେଖନୀୟ ଓ ପ୍ରଶଂସନୀୟ ଅବଦାନ ପାଇଁ ପ୍ରଦାନ କରାଯାଇଥାଏ । ଏହି ପୁରସ୍କାର ଫିଲିପାଇନ୍ସର ଦିବଙ୍ଗତ ରାଷ୍ଟ୍ରପତି ରମଣ ମାଗାସେସଙ୍କ ସମ୍ମାନାର୍ଥେ ଓ ସ୍ମରଣାର୍ଥେ ପ୍ରତିବର୍ଷ ପ୍ରଦାନ କରାଯାଇଥାଏ । ମୁଖ୍ୟତଃ ଏହି ପୁରସ୍କାର ସାମଜିକ ସେବା, ସମାଜର ସମସ୍ୟା ପାଇଁ ସ୍ବର ଉତ୍ତୋଳନ ଓ ନେତୃତ୍ବ, ସାମ୍ବାଦିକତା, ସାହିତ୍ୟ, ରଚନାତ୍ମକ ଲେଖନ, କଳା ଓ ଶାନ୍ତି କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟରେ ଅବଦାନ କରୁଥିବା ବ୍ୟକ୍ତି ଓ ସଂସ୍ଥାନକୁ ପ୍ରଦାନ କରାଯାଇଥାଏ ।
ଭାରତୀୟ ଭାବରେ ବର୍ଷ 1958ରେ ବିନୋଭା ଭାବେଙ୍କୁ ପ୍ରଥମ ଥର ପାଇଁ ଏହି ପୁରସ୍କାରରେ ସମ୍ମାନିତ କରାଯାଇଥିଲା । ମଦର ଟେରେସା, ଜୟପ୍ରକାଶ ନାରାୟଣ, ସତ୍ୟଜିତ ରାଏ, ଚନ୍ଦି ପ୍ରସାଦ ଭଟ୍ଟ, ଅରୁଣ ସୌରି, କିରଣ ବେଦୀ, ଅରବିନ୍ଦ କେଜ୍ରିୱାଲ, ପି ସାଇନାଥ ପୂର୍ବରୁ ଏହି ପୁରସ୍କାର ପାଇଛନ୍ତି ।