ଶ୍ରୀନଗର: ଗତ ଫେବୃୟାରୀ 14ରେ ଜମ୍ମୁ ଓ କାଶ୍ମୀରରେ ହୋଇଥିଲା ଏକ ଭୟାନକ ଆକ୍ରମଣ । ପୁଲୱାମାରେ ଆତଙ୍କବାଦୀ କରିଥିଲେ ଆତ୍ମଘାତୀ ବିସ୍ଫୋରଣ । ଯେଉଁଥିରେ 40ରୁ ଅଧିକ ଯବାନ ଶହୀଦ ହୋଇଥିଲେ । ସାରା ଦେଶ ଏହି ଶୋକରୁ ବାହାରି ନଥିବା ବେଳେ ପୁଣି ଏକ ଆତଙ୍କବାଦୀ ଆକ୍ରମଣର ସୂଚନା ମିଳିଛି ।
ପୁଲୱାମା ଆକ୍ରମଣ କରିଥିବା ପାକିସ୍ତାନୀ ଆତଙ୍କବାଦୀ ସଙ୍ଗଠନ ଜୈଶ-ଇ-ମହମ୍ମଦ(ଜେଇଏମ) ଏହି ଆକ୍ରମଣ ପାଇଁ ପ୍ରସ୍ତୁତ ହେଉଥିବା ଖବର ମିଳିଛି । ଆଗାମୀ ୩ରୁ ୪ ଦିନ ମଧ୍ୟରେ ପୁଲୱାମା ପରି ଜମ୍ମୁ ଓ କାଶ୍ମୀରରେ ଆଉ ଏକ ଆକ୍ରମଣ କରିବାର ଯୋଜନା କରୁଥିବା ଗୁଇନ୍ଦା ସୂତ୍ରରୁ ଜାଣିବାକୁ ମିଳିଛି । ଏହି ରିପୋର୍ଟ ଅନୁସାରେ ଭାରତୀୟ ବାୟୁସେନା କରିଥିବା ଏୟାର ଷ୍ଟ୍ରାଇକର ପ୍ରତିଶୋଧ ଲକ୍ଷ୍ୟରେ ଏହି ଯୋଜନା କରିଛି ଜେଇଏମ ।
ପୁଲୱାମା ଆକ୍ରମଣର ପ୍ରତିଶୋଧ ନେବାକୁ ଭାରତୀୟ ବାୟୁସେନା ପାକିସ୍ତାନର ବାଲାକୋଟରେ ଏୟାର ଷ୍ଟ୍ରାଇକ କରିଥିଲା । ଏଥିରେ 250ରୁ 300 ଆତଙ୍କବାଦୀ ମରିଥିବା ଦାବି କରାଯାଉଛି । ଏହାର ପ୍ରତିଶୋଧ ନେବାକୁ ଜେଇଏମ କାଶ୍ମୀର ଘାଟିରେ ଆଉ ଏକ ଆକ୍ରମଣର ଯୋଜନା କରୁଛି । ଆତଙ୍କବାଦୀ ସଙ୍ଗଠନର ଗତିବିଧି ଲକ୍ଷ୍ୟ କରିବା ପରେ ଗୁଇନ୍ଦା ସଂସ୍ଥା ପକ୍ଷରୁ ଏହି ଚେତାବନୀ ଦିଆଯାଇଛି।
ଦକ୍ଷିଣ କାଶ୍ମୀରର କ୍ୱାଜିଗୁନ୍ଦ ଓ ଅନନ୍ତନାଗ ଅଞ୍ଚଳରେ ଏହି ଆକ୍ରମଣ ହେବାର ଅନେକ ସମ୍ଭାବନା ରହିଛି । ଏଥର ମଧ୍ୟ ଗତଥର ଭଳି କାରରେ ବିସ୍ଫୋରକ ସାମଗ୍ରୀ ରଖି ଏକ ବଡ ଧରଣର ଆକ୍ରମଣ ପାଇଁ ଯୋଜନା ହୋଇଛି । ଏଥିପାଇଁ ରାଜ୍ୟରେ ହାଇ ଆଲର୍ଟ ଜାରି କରିବା ସହ ପୂର୍ଣ୍ଣ ସତର୍କତା ଅବଲମ୍ବନ କରିବା ପାଇଁ ଗୁଇନ୍ଦା ବିଭାଗ ପରାମର୍ଶ ଦେଇଛି । ସୂଚନାଯୋଗ୍ୟ ଯେ ଗତକାଲି ଜମ୍ମୁ ଓ କାଶ୍ମୀରରେ ଏକ ବସ ଉପରେ ଗ୍ରେନେଡ ମାଡ ହୋଇଥିଲା ।