ନୂଆଦିଲ୍ଲୀ: ଦିଲ୍ଲୀର ଜାମିଆ ଅଞ୍ଚଳରେ ହୋଇଥିବା ଗୁଳିକାଣ୍ଡକୁ ନେଇ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ନିଜର ପ୍ରତିକ୍ରିୟା ରଖିଛନ୍ତି । ଏପରି ଘଟଣାକୁ ବର୍ଦାସ୍ତ କରାଯିବ ନାହିଁ ବୋଲି କହିଛନ୍ତି ଶାହ । ଏହାସହ ଅଭିଯୁକ୍ତ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ନେବାକୁ ଦିଲ୍ଲୀ ପୋଲିସ କମିଶନରଙ୍କୁ ଶାହ ନିର୍ଦ୍ଦେଶ ଦେଇଛନ୍ତି ।
ଅମିତ ଶାହ ଟ୍ବିଟ କରି କହିଛନ୍ତି ଯେ ଦିଲ୍ଲୀରେ ଗୁଳି ଚାଳନା ଘଟଣାକୁ ନେଇ ପୋଲିସ କମିଶନରଙ୍କ ସହ କଥା ହୋଇଛି । ଏହାସହ କଠୋରରୁ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଛି । କେନ୍ଦ୍ର ସରକାର ଏପରି ଘଟଣାକୁ ବର୍ଦାସ୍ତ କରୁ ନଥିବା ବେଳେ ଦୋଷୀକୁ କ୍ଷମା କରାଯିବ ନାହିଁ ବୋଲି ଶାହ ପ୍ରତିକ୍ରିୟା ଦେଇଛନ୍ତି । ସେହିପରି କେନ୍ଦ୍ରମନ୍ତ୍ରୀ କିରଣ ରିଜିଜୁ କହିଛନ୍ତି ଯେ ଯିଏ ବି ଏଭଳି କାର୍ଯ୍ୟ କରୁ ତା' ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଦରକାର । କେହି ବି ଆଇନଠୁ ବଡ ନୁହେଁ ବୋଲି ପ୍ରିତିକ୍ରିୟା ଦେଇଛନ୍ତି ରିଜିଜୁ ।
ନାଗରିକତା ସଂଶୋଧନ ଆଇନ ବିରୋଧରେ ଗୁରୁବାର ଦିଲ୍ଲୀର ଜାମିଆ ମିଲିୟା ବିଶ୍ବବିଦ୍ୟାଳୟରୁ ରାଜଘାଟ ପର୍ଯ୍ୟନ୍ତ ହେଉଥିବା ପଦଯାତ୍ରାରେ ଏକ ନାବାଳକ ଗୁଳି ଚଳାଇଥିଲା । ଏଥିରେ ଜଣେ ଛାତ୍ର ଆହତ ହୋଇଛନ୍ତି । ଅଭିଯୁକ୍ତ ନାବାଳକକୁ ଗିରଫ କରାଯାଇଛି ।