ଡେରାଡୁନ: ଉତ୍ତରାଖଣ୍ଡ ଅଲମୋଡା ସ୍ଥିତ ଭଗବାନ ଶିବଙ୍କ ଜାଗେଶ୍ବର ଧାମ କୋଟି କୋଟି ଲୋକଙ୍କ ଆସ୍ଥାର କେନ୍ଦ୍ର ବିନ୍ଦୁ ଅଟେ । ଏହି ସ୍ଥାନ 12 ଜ୍ୟୋର୍ତିଲିଙ୍ଗ ମଧ୍ୟରୁ ଗୋଟିଏ । ଏହି ଧାମ ପ୍ରଭୁ ଭୋଳା ଶଙ୍କର ଓ ସପ୍ତଋଷିଙ୍କ ତପୋସ୍ଥାନ ଅଟେ । ଏଠାରେ ଭଗବାନ ଶିବଙ୍କ ସମେତ 7 ଋଷି ତପସ୍ୟା କରୁଥିଲେ। ତେବେ ଜାଗେଶ୍ବର ଧାମରେ ଥିବା ଶିବ ଲିଙ୍ଗ ଦୁନିଆର ପ୍ରଥମ ଶିବ ଲିଙ୍ଗ । ଯେଉଁଠି ପ୍ରଥମେ ପୂଜା ଆରମ୍ବ ହୋଇଥିଲା । ଏଠାରେ ଉକ୍ତ ଋଷି ମାନେ ଶିବ ଲିଙ୍ଗ ସ୍ଥାପନା କରି ଆରାଧନା କରୁଥିଲେ ।
ଜାଗେଶ୍ବର ଧାମରେ ଛୋଟ ବଡ ପ୍ରାୟ 250 ମନ୍ଦିର ରହିଛି । ସମସ୍ତ ମନ୍ଦିର ବଡ ବଡ ଶିଳାରେ ନିର୍ମାଣ ହୋଇଛି । ମୁଖ୍ୟ ମନ୍ଦିରରେ ଏକ ବିଶାଳ ଶିବ ଲିଙ୍ଗ ସ୍ଥାପନା କରାଯାଇଛି । ବିଶ୍ବାସ ରହିଛିଯେ, ପୂର୍ବ କାଳରେ ଯିଏ ଯାହା ମାନସିକ କରୁଥିଲା ତାର ସମସ୍ତ ମନସ୍କାମନା ପୂରଣ ହେଉଥିଲା। ହେଲେ ପରେ ଏହି ମନ୍ଦିରର ଦୂରୁପଯୋଗ କରାଯାଉଥିଲା ।
ଆଦି ଶଙ୍କରାଚାର୍ଯ୍ୟ ଅଷ୍ଟମ ଶତାବ୍ଦୀରେ ଏଠାକୁ ଆସିଥିଲେ ଏବଂ ସେ ଏହି ଦୂରୁପଯୋଗକୁ ବନ୍ଦ କରିବାକୁ ବ୍ୟବସ୍ଥା କରିଥିଲେ। ବର୍ତ୍ତମାନ, କେବଳ ଏଠାରେ ପୂଜା ହୋମଯଜ୍ଞ ସାହାର୍ଯ୍ୟରେ ମନସ୍କାମନା ପୂରଣ କରାଯାଇପାରିବ । ଏହା ମଧ୍ୟ ବିଶ୍ୱାସ କରାଯାଏ ଯେ, ଭଗବାନ ଶ୍ରୀରାମଙ୍କ ପୁଅ ଲବ-କୁଶ ଏଠାରେ ଏକ ଯଜ୍ଞ କରିଥିଲେ, ଯେଉଁଥିପାଇଁ ସେ ଦେବତାମାନଙ୍କୁ ନିମନ୍ତ୍ରଣ କରିଥିଲେ।
ମନ୍ଦିର ପରିସରରେ ଏକ ବୃକ୍ଷ ଅଛି ଯାହା ତଳୁ ଗୋଟିଏ କିନ୍ତୁ ଉପରକୁ ଯାଇ ଦୁଇ ଭାଗରେ ବିଭକ୍ତ । ଏହି ବୃକ୍ଷ ଦେବୀ ପାର୍ବତୀ ଏବଂ ଭଗବାନ ଶିବଙ୍କର ଏକ ଯୁଗଳ ରୂପର ପ୍ରତୀକ ଭାବରେ ବିବେଚନା କରାଯାଏ ।