ଶ୍ରୀନଗର: ଜମ୍ମୁ କାଶ୍ମୀର ଜିଲ୍ଲା ବିକାଶ ପରିଷଦ(DDC) ନିର୍ବାଚନର ଦ୍ବିତୀୟ ପର୍ଯ୍ୟାୟ ମତଦାନ ଶେଷ ହୋଇଛି । ଦ୍ବିତୀୟ ପର୍ଯ୍ୟାୟରେ ମୋଟ 48.62 ପ୍ରତିଶତ ମତଦାନ ହୋଇଥିବା ସୂଚନା ଦେଇଛନ୍ତି ଜମ୍ମୁ କାଶ୍ମୀର ନିର୍ବାଚନ କମିସନର କେକେ ଶର୍ମା । ତେବେ ଏହି ପର୍ଯ୍ୟାୟରେ ଜମ୍ମୁ ଅଞ୍ଚଳରେ 65.54% ମତଦାନ ହୋଇଥିବା ବେଳେ କାଶ୍ମୀର ଅଞ୍ଚଳରେ 33.34% ମତଦାନ ହୋଇଛି ।
ସୂଚନା ଅନୁଯାୟୀ ଡିଡିସି ନିର୍ବାଚନର ଦ୍ବିତୀୟ ପର୍ଯ୍ୟାୟରେ ପୁଞ୍ଛରେ ସର୍ବାଧିକ 75.07 ପ୍ରତିଶତ ମତଦାନ ରେକର୍ଡ ହୋଇଛି । ଅନ୍ୟପକ୍ଷେ ପୁଲୱାମାରେ ସର୍ବନିମ୍ନ 8.67 ପ୍ରତିଶମ ମତଦାନ ହୋଇଥିବା ଜଣାପଡିଛି । ସେହିପରି ବାରାମୁଳାରେ 28.95 ପ୍ରତିଶତ, ଶ୍ରୀନଗରରେ 33.78 ପ୍ରତିଶତ, କୁଲଗାଁଓରେ 29.90 ପ୍ରତିଶତ, ଶୋପିଆନରେ 17.28 ପ୍ରତିଶତ, ଅନନ୍ତନାଗରେ 16.09 ପ୍ରତିଶତ ମତଦାନ ହୋଇଥିବା କେନ୍ଦ୍ର ଶାସିତ ଅଞ୍ଚଳ ନିର୍ବାଚନ କମିଶନରଙ୍ ପକ୍ଷରୁ ଜାରି ବିଜ୍ଞପ୍ତିରେ ଉଲ୍ଲେଖ ରହିଛି ।
ଡିଡିସି ନିର୍ବାଚନର ପ୍ରଥମ ପର୍ଯ୍ୟାୟରେ ମୋଟ 51.76% ମତଦାନ ହୋଇଥିଲା । ଏଥିରେ ଜମ୍ମୁ ଅଞ୍ଚଳରେ 62 ପ୍ରତିଶତ ମତଦାନ ହୋଇଥିବା ବେଳେ କାଶ୍ମୀର ଅଞ୍ଚଳରେ 40.65 ପ୍ରତିଶତ ମତଦାତା ନିଜର ମତାଧିକାର ସାବ୍ୟସ୍ତ କରିଥିଲେ ।
2019ରେ ଜମ୍ମୁ କାଶ୍ମୀରରେ ଧାରା 370 ଉଚ୍ଛେଦ ପରେ ଏହା କେନ୍ଦ୍ରଶାସିତ ଅଞ୍ଚଳର ପ୍ରଥମ ନିର୍ବାଚନ । ଘାଟିରେ ପ୍ରବଳ ଶୀତ ମଧ୍ୟରେ ଡିଡିସି ମତଦାନକୁ ନେଇ ଲୋକଙ୍କ ମଧ୍ୟରେ ବେସ ଉତ୍ସାହ ଦେଖିବାକୁ ମିଳିଛି । 28 ନଭେମ୍ବରରୁ ଆରମ୍ଭ ହୋଇଥିବା ନିର୍ବାଚନ ପ୍ରକ୍ରିୟା 19 ଡିସେମ୍ବର ଯାଏଁ ଜାରି ରହିବ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ