ନୂଆଦିଲ୍ଲୀ: ମଧ୍ୟପ୍ରାଚ୍ୟରେ ଚାଲିଥିବା ଅଶାନ୍ତି ମଧ୍ୟରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଛନ୍ତି ଇରାନର ବୈଦେଶିକ ମନ୍ତ୍ରୀ ଜଭାଦ ଜରିଫ । ଇରାନର ବିଦେଶମନ୍ତ୍ରୀ ଜରିଫ 3 ଦିନିଆ ଭାରତ ଗସ୍ତରେ ଅଛନ୍ତି । ଇରାନର ଟପ କମାଣ୍ଡର କାସିମ ସୁଲେମାନୀର ମୃତ୍ୟୁ ପରେ ରାୟସିନା ଡାୟଲଗରେ ବିଦେଶମନ୍ତ୍ରୀ ଜରିଫଙ୍କ ଯୋଗଦାନ ମହତ୍ତ୍ବପୂର୍ଣ୍ଣ କୁହାଯାଇପାରେ । ଜଭାଦ ପୂର୍ବରୁ ଭାରତର ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲଙ୍କୁ ଭେଟିଛନ୍ତି ।
ଜରିଫ ଦିଲ୍ଲୀରେ ଚାଲିଥିବା ରାୟସିନା ଡାୟଲଗ 2020ରେ ଭାଗ ନେଇଛନ୍ତି । ଏହାସହ ସେ ଡୋଭାଲଙ୍କୁ ଭେଟି ଉପକୂଳବର୍ତ୍ତୀ ଦେଶରେ ଅଶାନ୍ତି କମ୍ କରିବା ପାଇଁ ଭାରତ ଗୁରୁତ୍ତ୍ବପୂର୍ଣ୍ଣ ଭୂମିକା ଅର୍ଜନ କରିପାରିବ ବୋଲି କହିଛନ୍ତି । ମଧ୍ୟପ୍ରାଚ୍ୟରେ ବହୁତ ଶୀଘ୍ର ଶାନ୍ତି ଆଣିବା ପକ୍ଷରେ ଭାରତ କହିଆସୁଛି । ଇରାନ, ୟୁଏଇ, ଓମାନ ଓ କତାର ସହ ଭାରତର ଉତ୍ତମ ସମ୍ପର୍କ ରହିଛି ବୋଲି ଜରିଫ ମତ ଦେଇଛନ୍ତି ।