ନୂଆଦିଲ୍ଲୀ: ଆମେରିକା ଓ ଇରାନ ମଧ୍ୟରେ ଯୁଦ୍ଧ ପରିସ୍ଥିତି ଉପୁଜିଥିବାବେଳେ ଇରାନ ବୈଦେଶିକ ମନ୍ତ୍ରୀ ଭାରତ ଗସ୍ତ କରୁଛନ୍ତି । ଆଜି(ମଙ୍ଗଳବାର) ଇରାନ ବୈଦେଶିକ ମନ୍ତ୍ରୀ ଜାଭେଦ ଜରିଫ୍ 3 ଦିନିଆ ଭାରତ ଗସ୍ତରେ ଆସୁଥିବା ସୂଚନା ମିଳିଛି ।
ବୁଧବାର, ଜରିଫ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିବା ସହ ବୈଦେଶିକ ମନ୍ତ୍ରଣାଳୟର ପ୍ରମୁଖ ବାର୍ଷିକ ସମ୍ମିଳନୀରେ ଉଦବୋଧନ ଦେବେ । ଅନ୍ୟପଟେ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ଗୁରୁବାର ଜରିଫଙ୍କ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି । ଏହି ବୈଠକରେ ଉଭୟ ଆମେରିକା ଓ ଇରାନ ସମ୍ପର୍କରେ ବାର୍ତ୍ତାଳାପ କରିବାର ସମ୍ଭାବନା ଥିବା କୁହାଯାଉଛି ।
ବୈଠକ ପରେ ଗୁରୁବାର ଅପରାହ୍ନରେ ଜରିଫ ମୁମ୍ବାଇ ଯାଇ ସେଠାରେ କିଛି ଉଦ୍ୟୋଗୀଙ୍କୁ ଭେଟିବେ । ପରେ ସେ ଶୁକ୍ରବାର ଇରାନ ଫେରିଯିବେ । ତେବେ ଆମେରିକା, ଇରାନର ଟପ୍ କମାଣ୍ଡର ସୁଲେମାନିଙ୍କୁ ହତ୍ୟା କରିବା ପରେ ଉଭୟ ଦେଶ ମଧ୍ୟରେ ତିକ୍ତତା ଦେଖାଦେଇଛି । ଏପଟେ ଭାରତ ଉଭୟ ରାଷ୍ଟ୍ର ସହିତ ସମଦୂରତା ରକ୍ଷାକରିଛି । ତେଣୁ ଏହି ଘଡିସନ୍ଧି ମୂହୁର୍ତ୍ତରେ ଜରିଫ୍ଙ୍କ ଭାରତ ଗସ୍ତ ଉପରେ ସମସ୍ତଙ୍କ ନଜର ରହିବ।