ହାଇଦ୍ରାବାଦ: କେମିତି ରହିବ ନୂଆ ଜାତୀୟ ଶିକ୍ଷା ନୀତି-2020 ? ପ୍ରାଥମିକ ଶିକ୍ଷାରୁ ନେଇ ଉଚ୍ଚଶିକ୍ଷା ସବୁ କ୍ଷେତ୍ରରେ ଏଥିରୁ ସୁଫଳ ମିଳିବ କି ? ପ୍ରକୃତରେ ନୂଆ ଶିକ୍ଷା ନୀତିରୁ ଦେଶକୁ ଫାଇଦା ମିଳିବ କି? ଏହା କେତେଦୂର ଶିକ୍ଷା କ୍ଷେତ୍ରରେ ସଂସ୍କାର ଆଣିବାରେ ସହାୟକ ହୋଇପାରିବ ? ଏସବୁର ଉତ୍ତର ଜାଣିବା ପାଇଁ ପଢନ୍ତୁ ଏନସିଇଆରଟିର ପୂର୍ବତନ ନିର୍ଦ୍ଦେଶକ କ୍ରିଷ୍ଣା କୁମାରଙ୍କ ସହ ଇଟିଭି ଭାରତର ସାକ୍ଷାତକାର।
1) ନୂଆ ଜାତୀୟ ଶିକ୍ଷା ନୀତି-2020 ଏକବିଂଶ ଶତାବ୍ଦୀର ପ୍ରଥମ ଶିକ୍ଷା ନୀତି। ସରକାର କହୁଛନ୍ତି ଯେ, ଶିକ୍ଷା ଢାଞ୍ଚାର ବିଭିନ୍ନ ଦିଗକୁ ନେଇ ଏଥିରେ ସଂଶୋଧନ ଏବଂ ସୁଧାର ଅଣାଯାଇଛି। ନୀତି ଜରିଆରେ ସରକାରୀ ପରିଚାଳନା ଏବଂ କଟକଣାରେ ମଧ୍ୟ ପରିବର୍ତ୍ତନ କରାଯାଇଛି। ନୂଆ ଶିକ୍ଷା ନୀତିକୁ ନେଇ ଆପଣ କିପରି ମୂଲ୍ୟାୟନ କରିବେ? ଏହା ଆମର ଶିକ୍ଷା ବ୍ୟବସ୍ଥାକୁ ବଦଳାଇ ପାରିବ କି?
ଉତ୍ତର: ଶିକ୍ଷା ସର୍ବଦା ଏକ ନିରନ୍ତର ପ୍ରକ୍ରିୟା। ଏଥିରେ ବିରତି ସୃଷ୍ଟି କରିବା ଏକ ଅଜବ ଚିନ୍ତାଧାରା। ଆହୁରି ମଧ୍ୟ ଶିକ୍ଷା ବ୍ୟବସ୍ଥା ପ୍ରଚଳିତ ସାମାଜିକ ବ୍ୟବସ୍ଥା ଧାରା ଏବଂ ତଦନୁଯାୟୀ କାମ କରିଥାଏ। ଭାରତ ଭଳି ଏକ ବିବିଧତାପୂର୍ଣ୍ଣ ରାଷ୍ଟ୍ରରେ ଶିକ୍ଷାର ବିଭିନ୍ନ ପ୍ରକାର ଭୂମିକା ତୁଲାଇଥାଏ। ଏହାର ସଂସ୍କାର ଏବଂ ଉନ୍ନତି ପାଇଁ ଆମେ ଯେତେବେଳେ ବିଚାର କରୁ ସେତେବେଳେ ଆମକୁ ଏହାର ବିଭିନ୍ନ ଭୂମିକା ନେଇ ବୁଝିବାର
ଆବଶ୍ୟକତା ରହିଛି। ତେଣୁ ସବୁଠାରୁ ପ୍ରାସଙ୍ଗିକ ପ୍ରଶ୍ନ ହେଉଛି - ନୂଆ ନୀତି ଆବଶ୍ୟକ ସଂସ୍କାରମୂଳକ ହେଉଛି କି ନାହିଁ ଏବଂ ବିଶେଷ କରି ଆମେ ଶିକ୍ଷାକୁ ଆମର ସାମାଜିକ ଆବଶ୍ୟକତା ଅନୁଯାୟୀ ଅଧିକ ଦାୟିତ୍ବସମ୍ପନ୍ନ କରିପାରୁଛେ କି ନାହିଁ। ଏହା ମଧ୍ୟ ଆମର ମନେ ରଖିବା ଉଚିତ୍ ଯେ, ଶିକ୍ଷା ବ୍ୟବସ୍ଥାରେ ଯାହାକିଛି ପରିବର୍ତ୍ତନ ହେବ ତାହା ଭବିଷ୍ୟତରେ ଯେଉଁ ସଂସ୍କାର ଆଣିବ ତାହା ଦୀର୍ଘସ୍ଥାୟୀ ହେଉଥିବ। କେବଳ କାର୍ଯ୍ୟସୂଚୀରେ ପରିବର୍ତ୍ତନ ଦ୍ବାରା ଏହା କୌଣସି ସହାୟକ ହେବ ନାହିଁ।
2) ବର୍ତ୍ତମାନ ସ୍କୁଲ ଶିକ୍ଷାରେ ପ୍ରଚଳିତ 10+2 ଢାଞ୍ଚା ବଦଳାଯାଇ ଏକ ନୂଆ ଶିକ୍ଷା ବ୍ୟବସ୍ଥା ଓ ପାଠ୍ୟକ୍ରମ ପ୍ରଚଳନ କରାଯିବ। 3ରୁ 18 ବର୍ଷ ବୟସର ଛାତ୍ରଛାତ୍ରୀଙ୍କ ପାଇଁ 5+3+3+4 ନୂଆ ବ୍ୟବସ୍ଥା କରାଯିବ। ଏହା ଉପରେ ଆପଣଙ୍କର ମତାମତ କ’ଣ?
ଉତ୍ତର: ପ୍ରସ୍ତାବିତ ଏହି ବ୍ୟବସ୍ଥାରେ ପ୍ରଥମ 5 ବର୍ଷରେ ତିନି ବର୍ଷର ନର୍ସରୀ ଏବଂ ପ୍ରାଥମିକ ଶ୍ରେଣୀର ପ୍ରଥମ ଦୁଇଟି ଗ୍ରେଡ୍ ରହିବ। ଏହା ଚିନ୍ତାଜନକ କାହିଁକି ନା ପ୍ରାଥମିକ ବିଦ୍ୟାଳୟ ବା ପ୍ରି-ସ୍କୁଲ ସମୟରେ ପିଲାଙ୍କୁ ଅକ୍ଷର ଏବଂ ସଂଖ୍ୟା ସମ୍ପର୍କିତ ପାଠ ପଢାଯାଇ ସ୍କୁଲ ପାଇଁ ପ୍ରସ୍ତୁତ କରାଯାଇଥାଏ । ଏହି ପ୍ରସ୍ତାବରେ
ଗଭୀର ମନସ୍ତାତ୍ତ୍ବିକ ପ୍ରଭାବ ପଡିବ। ମୁଁ ଏ ସମ୍ପର୍କରେ ନିକଟରେ ‘ଦି ହିନ୍ଦୁ’ରେ ପ୍ରକାଶିତ ‘ସମୟଠାରୁ ଆଗୁଆ ଶିକ୍ଷାଦାନରେ ବିପଦ’ଶୀର୍ଷକ ଏକ ଲେଖାରେ ବିସ୍ତୃତ ଆଲୋଚନା କରିଛି। ସେହିପରି ପ୍ରସ୍ତାବିତ ଶେଷ 4 ବର୍ଷରେ 4 ବର୍ଷିଆ ଅଣ୍ଡର ଗ୍ରାଜୁଏଟ ପାଠ୍ୟକ୍ରମ ରହିଛି। କିଛି ବର୍ଷ ପୂର୍ବେ ଦିଲ୍ଲୀ ବିଶ୍ବବିଦ୍ୟାଳୟରେ ଏହାର ପ୍ରୟାସ କରାଯାଇ ପରେ ପ୍ରତ୍ୟାହାର କରି ନିଆଯାଇଥିଲା। ଏହାର ବିଫଳତା ପଛର କାରଣ ଅନୁଧ୍ୟାନ ନକରି ଏଭଳି ପ୍ରୟାସର ପୁନରାବୃତ୍ତି ଠିକ୍ ହୋଇନପାରେ।
3) ନୂଆ ଶିକ୍ଷା ନୀତିରେ ଦର୍ଶାଯାଇଛି ଯେ, ‘ଯେଉଁଠି ସମ୍ଭବ ଅନ୍ୟୁନ ପଞ୍ଚମ ଗ୍ରେଡ ଯାଏଁ, କିନ୍ତୁ ବିଶେଷ ଭାବରେ ଅଷ୍ଟମ ଗ୍ରେଡ ଏବଂ ଏହାପର ଶ୍ରେଣୀରେ ପାଠପଢାର ମାଧ୍ୟମ ମାତୃଭାଷା/ସ୍ଥାନୀୟ ଭାଷା/ଆଞ୍ଚଳିକ ଭାଷା ରହିବ’। କିନ୍ତୁ ନୂଆ ନୀତି ଘୋଷଣା ହେବା ପରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ରମେଶ ପୋଖରିଆଲ
ନିଶାଙ୍କ ଏକ ସାକ୍ଷାତକାରରେ ସ୍ପଷ୍ଟ କରି ଦେଇଥିଲେ ଯେ, ‘ସ୍କୁଲରେ ପାଠପଢାର ମାଧ୍ୟମ ସମ୍ପୃକ୍ତ ରାଜ୍ୟ ସରକାରମାନେ ସ୍ଥିର କରିବେ, ଏହା ସେମାନଙ୍କ ଅଧିକାରରେ ରହିବ’। ପାଠପଢାର ମାଧ୍ୟମ ସମ୍ପର୍କରେ ସରକାରଙ୍କ ଆଭିମୁଖ୍ୟ ନେଇ ଆପଣଙ୍କର ମତ କ’ଣ? ଅନେକ ଔପନିବେଶବାଦ ସମାଜରେ ‘ପାଠପଢାର ମାଧ୍ୟମ’ଏକ ପୁରୁଣା ପ୍ରଚଳିତ ଶବ୍ଦ। ସ୍କୁଲ ଶିକ୍ଷାର ପ୍ରାରମ୍ଭରେ ପାଠଦାନ ପ୍ରଣାଳୀରେ ଭାଷାକୁ ନେଇ ରହିଥିବା ମୂଳ ସମସ୍ୟା ଏହାଦ୍ବାରା ଗୁରୁତ୍ବ ପାଇନଥାଏ । ଏହି ସମୟରେ ପିଲାଟିର ଭାଷାଜ୍ଞାନ ବଳରେ
ହିଁ ତାହାର ବଡ଼ ହେବାର ଅନେକ ସମ୍ଭାବନା ରହିଥାଏ। ଆମର ବ୍ୟବସ୍ଥା ପାଠପଢାର ‘ମାଧ୍ୟମ’ ପ୍ରଶ୍ନକୁ ନେଇ କେଉଁଠି ନା କେଉଁଠି ଅଟକି ଯାଇଛି। ଏହି ପ୍ରଶ୍ନର ସଠିକ୍ ଉତ୍ତର ନ ବୁଝିବା ଯାଏଁ ବିଭିନ୍ନ ରାଜ୍ୟରେ ଏବଂ ଏପରିକି କେନ୍ଦ୍ରୀୟ ବିଦ୍ୟାଳୟରେ ପ୍ରଚଳିତ ବର୍ତ୍ତମାନର ଅଭ୍ୟାସରେ ପରିବର୍ତ୍ତନ ଆସିବାର ସମ୍ଭାବନା ନାହିଁ।
4) ଆମର ଶିକ୍ଷା ବ୍ୟବସ୍ଥାରେ ପ୍ରମୁଖ ସମସ୍ୟା ହେଉଛି ସ୍କୁଲରେ ଅଧାରୁ ପାଠ ଛାଡ଼ିବା। NSSO 2017-18ରେ କରିଥିବା ଏକ ସର୍ଭେ ଅନୁଯାୟୀ 6ରୁ 17 ବର୍ଷ ମଧ୍ୟରେ ସ୍କୁଲ ଯାଉନଥିବା ପିଲାଙ୍କ ସଂଖ୍ୟା 3 କୋଟି 22 ଲକ୍ଷ। ନୂଆ ଶିକ୍ଷା ନୀତି-2020ରେ 2030 ସୁଦ୍ଧା ମାଧ୍ୟମିକ ସ୍ତର ଯାଏଁ ନାମଲେଖା ଶତ ପ୍ରତିଶତ କରିବାକୁ ଲକ୍ଷ୍ୟ ରଖାଯାଇଛି। ଏହି ଲକ୍ଷ୍ୟ ହାସଲ କରିବା ପାଇଁ ଏହି ନୀତି ସମର୍ଥ ହେବ କି?
ଅଧାରୁ ପାଠ ଛାଡିବା ବା ଡ୍ରପ୍ ଆଉଟ୍ ପ୍ରସଙ୍ଗ ବିଭିନ୍ନ ପ୍ରଦେଶ ଏବଂ ଅଞ୍ଚଳ ଭିତ୍ତିରେ ସମୀକ୍ଷା କରାଯିବା ଉଚିତ୍। ପ୍ରାଥମିକ ସ୍ତରରେ ଆଗରୁ ଡ୍ରପ୍ ଆଉଟ୍ ବହୁତ ଅଧିକ ରହିଥିଲା ଯାହାକି ସର୍ବ ଶିକ୍ଷା ଅଭିଯାନ ଏବଂ ଶିକ୍ଷା ଅଧିକାର ଆଇନ ଲାଗୁ ହେବା ପରେ ଅନେକାଂଶରେ ହ୍ରାସ ପାଇଛି। ଉଚ୍ଚ ପ୍ରାଥମିକ ସ୍ତରରୁ ଯେତେ ଉପରକୁ ଗଲେ ଡ୍ରପ୍ ଆଉଟ୍ ହାର ସେତେ ଅଧିକ ବଢିଥାଏ। ବିଶେଷ କରି ଝିଅ ମାନଙ୍କ କ୍ଷେତ୍ରରେ ଏବଂ
ସାମାଜିକ-ଅର୍ଥନୈତିକ କ୍ଷେତ୍ରରେ ତଳେ ରହିଥିବା ପିଲାଙ୍କ କ୍ଷେତ୍ରରେ ଏହା ବେଶୀ ଦେଖିବାକୁ ମିଳେ। ଦକ୍ଷିଣରେ ଥିବା ରାଜ୍ୟ ଗୁଡ଼ିକ ତୁଳନାରେ ଉତ୍ତର ଭାଗରେ ଥିବା ରାଜ୍ୟଗୁଡ଼ିକରେ ଏହି ସମସ୍ୟା ଅଧିକ ଦେଖିବାକୁ ମିଳେ। ଏଥିପାଇଁ ଉଭୟ ଅର୍ଥନୈତିକ ଏବଂ ଶିକ୍ଷାଗତ କାରଣ ରହିଛି। କୋଭିଡ-19 ମହାମାରୀ ଏହି ସମସ୍ୟାକୁ ଅଧିକ ଖରାପ କରିଦେବାର ସମ୍ଭାବନା ବି ରହିଛି। ଦୁର୍ଭାଗ୍ୟର କଥା ହେଉଛି କୋରୋନା ସଂକଟ ଯୋଗୁଁ ଶିକ୍ଷା ବ୍ୟବସ୍ଥା କିଭଳି ପ୍ରଭାବିତ ହୋଇଛି ଏବଂ କିପରି ଏହାର ମୁକାବିଲା କରାଯାଇପାରିବ ସେ ନେଇ କିଛି ବ୍ୟବସ୍ଥା କରାଯାଇନାହିଁ। ଏହାମଧ୍ୟରୁ ଅନେକ କିଛି ପ୍ରଭାବ ଦେଖିବାକୁ ମିଳି ସାରିଲାଣି। ଆମକୁ ଅତି ଜରୁରୀ ଭାବେ ଏସବୁକୁ ଅନୁଧ୍ୟାନ କରି ସମାଧାନର ଉପାୟ ବାହାର କରିବାକୁ ପଡ଼ିବ। ନଚେତ୍ ନିକଟ ଅତୀତରେ ଯାହା ବି କିଛି ଲାଭ ମିଳିଛି ତାହା ହରାଇବାକୁ ପଡ଼ିବ।
5) ମୂଲ୍ୟାୟନ ପ୍ରଣାଳୀ ଏବଂ ପରୀକ୍ଷା ବ୍ୟବସ୍ଥାରେ ପ୍ରସ୍ତାବିତ ପରିବର୍ତ୍ତନ ନେଇ ଆପଣଙ୍କର ମତ କ’ଣ?
ପୂର୍ବ କମିଟିଗୁଡ଼ିକ ଦେଇଥିବା ଅନେକ ସୁପାରିସ ଏବେ ବି ରହିଛି। ବୋର୍ଡ ପରୀକ୍ଷାର ମୂଲ୍ୟାୟନ ବ୍ୟବସ୍ଥାରେ ସୁଧାର ଆଣିବା ପାଇଁ 2005ରେ ନ୍ୟାସନାଲ ଫୋକସ୍ ଗ୍ରୁପ୍ ଅନ୍ ଏକଜାମିନେସନ ରିଫର୍ମସ ଏକ ସ୍ପଷ୍ଟ ନୀତି ପ୍ରସ୍ତୁତ କରିଥିଲା। କେନ୍ଦ୍ର କିମ୍ବା ରାଜ୍ୟ ବୋର୍ଡ କେହି ବି ସେମାନଙ୍କର ଆଭିମୁଖ୍ୟରେ ସଂସ୍କାର ଆଣିବା ଦିଗରେ ଆଗେଇବା ଲକ୍ଷ୍ୟ କରାଯାଉନାହିଁ। ଦେଖାଯାଉ ଆଗକୁ କ’ଣ ସବୁ ଘଟୁଛି।
6) ସରକାରୀ ତଥ୍ୟ ଅନୁଯାୟୀ 2016-17ରେ 1 ଲକ୍ଷ 8 ହଜାର 17ଟି ସ୍କୁଲରେ କେବଳ ଜଣେ ଲେଖାଏଁ ଶିକ୍ଷକ ଥିଲେ। ନୂଆ ଶିକ୍ଷା ନୀତିରେ କୁହାଯାଇଛି ଯେ, ‘ଛୋଟ ଛୋଟ ସ୍କୁଲ ପୃଥକ୍ ପୃଥକ୍ ରହିବା ଦ୍ବାରା ଶିକ୍ଷା ବ୍ୟବସ୍ଥା ଏବଂ ପାଠପଢା ଉପରେ ଏହାର ନକରାତ୍ମକ ପ୍ରଭାବ ପଡୁଛି’। ଏହା ବି ଦର୍ଶାଯାଇଛି ସ୍କୁଲ ଗୁଡିକୁ ଗ୍ରୁପ୍ କରାଯାଇ କିମ୍ବା ଏହାକୁ ଅଧିକ ସୁଦୃଢ କରିବା ଦିଗରେ ନୂଆ ନୂଆ ପଦକ୍ଷେପ ନିଆଯିବ। ଏ ସମ୍ପର୍କରେ ଆପଣଙ୍କର ମତ କ’ଣ?
ଉତ୍ତର: 1986 ନୀତିରେ ମଧ୍ୟ କୁହାଯାଇଥିଲା କି ଏକକ ଶିକ୍ଷକ ଥିବା ସ୍କୁଲ ରହିବା ଉଚିତ୍ ନୁହେଁ। ଏହାପରେ କିଛି ଦିନ ପାଇଁ ସ୍ଥିତିରେ ସୁଧାର ଆସିଥିଲା, କିନ୍ତୁ ପରେ ପୁଣି ସେହି ସମସ୍ୟା ଦେଖାଦେଲା। ଯଦି ଶିକ୍ଷକମାନଙ୍କୁ ଭଲ ଦରମା ଦେବା ସହ ଆରଟିଇ ନିୟମ ଅନୁଯାୟୀ ଆବଶ୍ୟକ ଭିତ୍ତିଭୂମି ଯୋଗାଇ ଦିଆଯାଏ ତେବେ ଛୋଟ ସ୍କୁଲ ମଧ୍ୟ ଭଲ ପ୍ରଦର୍ଶନ କରିପାରିବେ।
7) ଉଚ୍ଚଶିକ୍ଷା କ୍ଷେତ୍ରରେ ଅନେକ କିଛି ପରିବର୍ତ୍ତନ ହୋଇଛି। ଉଚ୍ଚ ଶିକ୍ଷାନୁଷ୍ଠାନଗୁଡ଼ିକୁ ବହୁବିଭାଗୀୟ ବିଶ୍ବବିଦ୍ୟାଳୟ, କଲେଜ ଏବଂ ନଲେଜ ହବ୍ କରିବାକୁ ମୁଖ୍ୟତଃ ନୀତିରେ ଗୁରୁତ୍ବ ଦିଆଯାଇଛି। ବର୍ତ୍ତମାନ କୌଣସି ଏକ ବିଶ୍ବବିଦ୍ୟାଳୟ ସହ ଅନୁବନ୍ଧିତ ସମସ୍ତ କଲେଜ ଆଗାମୀ ପନ୍ଦର ବର୍ଷ ଭିତରେ ସ୍ବୟଂଚାଳିତ ଡିଗ୍ରୀ କଲେଜରେ ପରିଣତ ହେବ। ପ୍ରଫେସନାଲ ଏବଂ ଭୋକେସନାଲ ଶିକ୍ଷା ସମେତ ଉଚ୍ଚଶିକ୍ଷା ବ୍ୟବସ୍ଥାକୁ ମିଶାଇ ଦିଆଯିବ। ଉଚ୍ଚଶିକ୍ଷା କ୍ଷେତ୍ରରେ ଏପରି ପରିବର୍ତ୍ତନର କ’ଣ ପ୍ରଭାବ ପଡ଼ିବ? ସମ୍ପ୍ରତି ଉଚ୍ଚଶିକ୍ଷାର ଅବସ୍ଥା ଦର୍ଶାଉଛି ଯେ, ଏଯାଏଁ ଏହି ବ୍ୟବସ୍ଥା କିପରି ବିପର୍ଯ୍ୟସ୍ତ ଅବସ୍ଥାରେ ରହିଛି। ବର୍ଷ ବର୍ଷ ଧରି ଶିକ୍ଷକଙ୍କ ଅଭାବ ସମସ୍ୟା ଲାଗି ରହିଛି, ଯାହାକି ଆଦୌ ଗ୍ରହଣୀୟ ନୁହେଁ। କୌଣସି ନୂଆ ଚିନ୍ତାଧାରା ଆସିବା ପୂର୍ବରୁ
ପୁରୁଣା ଯୋଜନାର ପୁନରୁଦ୍ଧାର କରିବା ଆବଶ୍ୟକ। ଘରୋଇ ଉଦ୍ୟୋଗରେ ବ୍ୟବସାୟୀକରଣ ଦ୍ରୁତ ଗତିରେ ବଢି ଚାଲିଛି। ନିୟମିତ ଭାବେ ଏହାକୁ ନିୟନ୍ତ୍ରଣ କରିବାକୁ ପଦକ୍ଷେପ ନିଆଯାଉଛି, କିନ୍ତୁ ସବୁ ଉଦ୍ୟମ ବିଫଳ ହେଉଛି। ଏସବୁ ପଦକ୍ଷେପ କାହିଁକି କାମ କରୁନାହିଁ ତାହା ଅନୁଧ୍ୟାନ ନକରିବା ଯାଏଁ ଉଚ୍ଚ ଶିକ୍ଷାର ଉନ୍ନତି ହୋଇପାରିବ ନାହିଁ।
8) ନୂଆ ଶିକ୍ଷା ନୀତିରେ ଏମ.ଫିଲ୍ କାର୍ଯ୍ୟକ୍ରମ ବନ୍ଦ କରି ଦେବାକୁ କୁହାଯାଇଛି। ଏହା ଉପରେ ଆପଣଙ୍କର ମତ କ’ଣ?
ଉତ୍ତର: ଯେଉଁ ନୀତିରେ ପରିବର୍ତ୍ତନଶୀଳତା ଉପରେ ଗୁରୁତ୍ବ ଦିଆଯାଇଛି ସେଥିରେ ଏମ.ଫିଲ୍ନି ନିଷିଦ୍ଧ କରିବାକୁ ସୁପାରିସ କରିବା ଆଶ୍ଚର୍ଯ୍ୟ ଲାଗୁଛି।
9) ମୋଟ ଉପରେ ଉଚ୍ଚଶିକ୍ଷା କ୍ଷେତ୍ରକୁ ନିୟନ୍ତ୍ରଣ କରିବା ପାଇଁ ଭାରତର ଉଚ୍ଚ ଶିକ୍ଷା କମିଶନ ସ୍ଥାପନ କରାଯିବ। ଏହି ବ୍ୟବସ୍ଥାରେ କ’ଣ ସବୁ ଫାଇଦା ଓ କ୍ଷତି ରହିବ?
ଉତ୍ତର: ୟାସ ପାଲ୍ କମିଟି ମଧ୍ୟ ଏହା ପରିକଳ୍ପନା କରିଥିଲା, କିନ୍ତୁ ନିୟାମକ ସଂସ୍ଥା କରିବାକୁ କହିନଥିଲା। ଏହା ଯଦି ନିୟାମକ ସଂସ୍ଥା ଭାବେ କାମ କରେ ତେବେ ଏହା କ୍ଷମତାକେନ୍ଦ୍ରୀକ ହେବା ଆଡ଼କୁ ମୁହାଁଇବ।
10) ନୂଆ ଶିକ୍ଷାନୀତି-2020ରେ ସଂସ୍କୃତ ଶିକ୍ଷାକୁ ଅଧିକ ଗୁରୁତ୍ବ ଦିଆଯାଉଛି। ତ୍ରିଭାଷୀ ସୂତ୍ରରେ ସଂସ୍କୃତକୁ ଅନ୍ୟତମ ପ୍ରମୁଖ ଭାଷା ଭାବେ ମୁଖ୍ୟଧାରାରେ ରଖିବାକୁ କୁହାଯାଇଛି। ଏହା ଉପରେ ଆପଣଙ୍କର ମତ କ’ଣ ?
ସଂସ୍କୃତ ହେଉଛି ବହୁ ଗୁରୁତ୍ବପୂର୍ଣ୍ଣ ଭାଷା ଏବଂ ପୂର୍ବରୁ ଅନେକ କମିଟି ଶିକ୍ଷା ବ୍ୟବସ୍ଥା ଭିତରେ ଏହାର ଉନ୍ନତି ଆଣିବା ଉପରେ ଗୁରୁତ୍ବ ଦେଇ ଆସିଛନ୍ତି । ସଂସ୍କୃତ ଭାଷାର ଗବେଷଣା ପାଇଁ ସୁବିଧା ସୁଯୋଗ ଏବଂ ପାଣ୍ଠି ମଧ୍ୟ ଆବଶ୍ୟକ।
11) ଜାତୀୟ ଶିକ୍ଷା ନୀତି-1968 ସୁପାରିସ ଅନୁଯାୟୀ ଭାରତ ଶିକ୍ଷା କ୍ଷେତ୍ରରେ ଜିଡିପିର 6 ପ୍ରତିଶତ ଖର୍ଚ୍ଚ କରିବା ଉଚିତ୍। 1986 ନୀତିରେ ମଧ୍ୟ ଏହା କୁହାଯାଇଥିଲା। ବର୍ତ୍ତମାନ ଶିକ୍ଷା କ୍ଷେତ୍ରରେ ସରକାରୀ ଖର୍ଚ୍ଚ(କେନ୍ଦ୍ର ଓ ରାଜ୍ୟକୁ ମିଶାଇ) ଜିଡିପିର ପାଖାପାଖି 4.43 ପ୍ରତିଶତ ରହୁଛି। ନୂଆ ନୀତିରେ କେନ୍ଦ୍ର ଓ ରାଜ୍ୟ
ସରକାରମାନେ ଯଥାଶୀଘ୍ର ଶିକ୍ଷା କ୍ଷେତ୍ରରେ ସେମାନଙ୍କର ନିବେଶ ଜିଡିପିର 6 ପ୍ରତିଶତକୁ ବଢାଇବାକୁ କୁହାଯାଇଛି। ଏବେ ଅତିରିକ୍ତ 1.57 ପ୍ରତିଶତ ବଢିଗଲେ ଆମ ଶିକ୍ଷା କ୍ଷେତ୍ରର ଆବଶ୍ୟକତା ପାଇଁ ଯଥେଷ୍ଟ ହେବ କି?
ଶିକ୍ଷା କ୍ଷେତ୍ରରେ ଯାହା ବି କିଛି ପୁଞ୍ଜି ବିନିଯୋଗ କରାଯିବା ନେଇ ପୂର୍ବରୁ ଆକଳନ କରାଯାଇଥିଲା ସେସବୁ ଏବେ କୋଭିଡ ସଂକଟ କାରଣରୁ ସେସବୁ ନେଇ ଅନିଶ୍ଚିତତା ପ୍ରକାଶ ପାଉଛି। ଅର୍ଦ୍ଧ ଶତାବ୍ଦୀ ପୂର୍ବେ ଶିକ୍ଷା କ୍ଷେତ୍ରରେ 6 ପ୍ରତିଶତ ଖର୍ଚ୍ଚ ଆକଳନକୁ କୋଥାରୀ ସମର୍ଥନ କରିଥିଲେ। ଏହି ଲକ୍ଷ୍ୟ ପୂରଣ ଏବେ ବି କୁହେଳିକା ପରି ଲାଗୁଛି।
12) ନୂଆ ଶିକ୍ଷା ନୀତିରେ ଉଲ୍ଲେଖ ରହିଛି ଯେ, ସରଳ କିନ୍ତୁ କଠୋର କାର୍ଯ୍ୟାନୁଷ୍ଠାନ ସମେତ ବିଭିନ୍ନ ପଦକ୍ଷେପ ଦ୍ବାରା ଶିକ୍ଷାର ବ୍ୟବସାୟିକରଣ ଉଦ୍ୟମକୁ ନିୟନ୍ତ୍ରିତ କରାଯିବ। ଏହି ନୀତି ଶିକ୍ଷାର ବ୍ୟବସାୟୀକରଣକୁ ରୋକିପାରିବ କି?
ଶିକ୍ଷା କ୍ଷେତ୍ରରେ ସରକାର ଉଦାର ନୀତି ଗ୍ରହଣ କରିବା ପରଠାରୁ ହିଁ ଏହାର ବ୍ୟବସାୟୀକରଣ ନେଇ ପ୍ରଶ୍ନ ଉଠିଛି। ଘରୋଇ ଓ ସରକାରୀ ଶିକ୍ଷା କ୍ଷେତ୍ର ମଧ୍ୟରେ ଥିବା ତାରତମ୍ୟକୁ ଅଣଦେଖା କରି ଛାଡ଼ି ଦିଆଯାଇଛି । ଯଦି ଏହାର ସମାଧାନ କରିବାକୁ ଆମେ ଚାହୁଁ, ତେବେ ଆମକୁ ପୂର୍ଣ୍ଣ ମାତ୍ରାରେ ଏହି ତାରତମ୍ୟ ଉପରେ ନଜର ଦେବାକୁ ପଡ଼ିବ।
13)‘ଗ୍ଲୋବାଲ ଡଭଲପମେଣ୍ଟ ଏଜେଣ୍ଡା’ଅନୁଯାୟୀ ଭାରତରେ ଯେପରି ସମସ୍ତଙ୍କୁ ଉନ୍ନତ ମାନର ଶିକ୍ଷା ପ୍ରଦାନ କରାଯାଇପାରିବ ତାହା ନିଶ୍ଚିତ କରିବାକୁ ପଡ଼ିବ ଏବଂ 2030 ସୁଦ୍ଧା ସମସ୍ତଙ୍କ ପାଇଁ ଶିକ୍ଷା ବ୍ୟବସ୍ଥାର ବିକାଶ ହେବା ଉଚିତ୍ । ନୂଆ ଶିକ୍ଷା ନୀତି କିପରି ଭାରତର ଶିକ୍ଷା ବ୍ୟବସ୍ଥାକୁ ଏ ଦିଗରେ ନେଇ ପାରିବ?
ଶିକ୍ଷା ବ୍ୟବସ୍ଥାକୁ କେତେ ଅଗ୍ରାଧିକାର ଦିଆଯାଉଛି ତାହା ଉପରେ ଏସବୁ ନିର୍ଭର କରୁଛି। ଏହା ଯଦି ହୁଏ ଏବଂ ଆମେ ଯଦି ଶିକ୍ଷାକୁ ସମସ୍ତଙ୍କ ପାଖରେ ପହଞ୍ଚାଇବାକୁ ଚାହୁଁ ତେବେ ଏହାର ସାମାଜିକ ଆବଶ୍ୟକତା ଏବଂ ଭୂମିକାକୁ ଗୁରୁତର ସହ ଗ୍ରହଣ କରିବାକୁ ପଡ଼ିବ।