ହାଇଦ୍ରାବାଦ: ଭାରତର ଅନେକ ସ୍ଥାନରେ ଏବେବି ଝିଅ ଜନ୍ମ ହେଲେ ତାକୁ ମାରିଦିଆଯାଏ । ପ୍ରତ୍ୟେକ ପର୍ଯ୍ୟାୟରେ ଭେଦଭାବ, ଅପମାନ ଏବଂ ଅତ୍ୟାଚାରର ସମ୍ମୁଖୀନ ହୋଇଥାଏ ଝିଅଟିଏ । ସ୍ବାସ୍ଥ୍ୟସେବା, ଶିକ୍ଷା ଏବଂ ଅଭିବୃଦ୍ଧି ସୁଯୋଗ ଆଦି କ୍ଷେତ୍ରରେ କନ୍ୟାଶିଶୁଟି ସବୁବେଳେ ଭେଦଭାବର ସମ୍ମୁଖୀନ ହୁଏ । କେତେକ ବଞ୍ଚିବାରେ ସଫଳ ହେଲେ ବି ପରିବାରର ଚାପରେ ପ୍ରତିଦିନ ମୃତ୍ୟୁବରଣ କରିଥାନ୍ତି । ଦେଶରେ ଲିଙ୍ଗଗତ ଅସମାନତା ଏବଂ ପିତୃପୁରୁଷଙ୍କ ବିଚାରଧାରା ଥିବା ଏହି ଦେଶରେ ଶିଶୁ କନ୍ୟାଟି ଆଗକୁ ଯିବା ପ୍ରାୟତଃ ସମ୍ଭବପର ହୋଇନଥାଏ । ଦୁର୍ବ୍ୟବହାର, ଶୋଷଣ କାରଣରୁ ସେମାନଙ୍କୁ ଘରେ ରହିବାକୁ ବାଧ୍ୟ କରାଯାଏ । ବାଲ୍ୟ ବିବାହ ଆଉ ଏକ ଅମାନବିକ କାର୍ଯ୍ୟ, ଏହି କାରଣରୁ ଅନେକ ବିଦ୍ୟାଳୟ ଯାଇପାରନ୍ତି ନାହିଁ ।
1995 ରେ ବେଜିଂ ଦେଶରେ ମହିଳାମାନଙ୍କ ଉପରେ ହୋଇଥିବା ବିଶ୍ବ ସମ୍ମିଳନୀରେ ସର୍ବସମ୍ମତି କ୍ରମେ ବେଜିଂ ଘୋଷଣା ଓ ପ୍ଲାଟଫର୍ମ ଫର୍ ଆକ୍ସନ୍ ପ୍ଲାନକୁ ଗ୍ରହଣ କରାଯାଇଥିଲା। ବେଜିଂ ଘୋଷଣାନାମା ପ୍ରଥମେ ଝିଅମାନଙ୍କର ଅଧିକାରକୁ ଆହ୍ବାନ ଦେଇଥିଲା । ଡିସେମ୍ବର 19, 2011 ରେ ମିଳିତ ଜାତିସଂଘର ସାଧାରଣ ସଭା 66/170 ରିଜୋଲୁସନ ଗ୍ରହଣ କରି ଅକ୍ଟୋବର 11 କୁ ‘କନ୍ୟା ଶିଶୁ ଦିବସ’ ଭାବରେ ଘୋଷଣା କରାଗଲା । ବାଳିକାମାନଙ୍କର ଅଧିକାର ତଥା ସମଗ୍ର ବିଶ୍ବରେ ସେମାନେ ସମ୍ମୁଖୀନ ହେଉଥିବା ଅନନ୍ୟ ସମସ୍ୟାକୁ ଦୃଷ୍ଟି ଆକର୍ଷଣ କଲା ।
ଯଦି ଛୋଟବେଳୁ ସେମାନଙ୍କୁ ଉଚିତ୍ ଶିକ୍ଷା ଦିଆଯିବ ଓ ଦେଶ ଗଠନରେ ସେମାନଙ୍କୁ ପ୍ରୋତ୍ସାହିତ କରାଯିବ ତେବେ ସେମାନେ ବଡ ହୋଇ ନିଶ୍ଚିତ ସମାଜ ଆଗରେ ଏକ ଲୋକପ୍ରିୟ ଚେହେରା ହୋଇପାରିବେ । ତେବେ ଏହି ଦିବସ ସେହି ଶିଶୁ ମାନଙ୍କୁ ପ୍ରୋତ୍ସାହିତ କରେ, ଯେଉଁମାନଙ୍କୁ ପରିବାର ପକ୍ଷରୁ କୌଣସି ସମର୍ଥନ ମିଳି ନଥାଏ । ସେମାନଙ୍କୁ ସଶକ୍ତ କରିବା ଏହି ଦିବସର ମୂଳ ଲକ୍ଷ୍ୟ । ଆଗକୁ ସେମାନେ, ମା, ରାଜନେତ୍ରୀ, ଉଦ୍ୟୋଗୀ, ପରାମର୍ଶଦାତା, ଘରର ମୁଖ୍ୟ ଭାବରେ ଉଭା ହୋଇପାରିବେ । ଜାତିସଂଘର ତଥ୍ୟ ଅନୁଯାୟୀ, ବିକାଶଶୀଳ ଦେଶମାନଙ୍କରେ ତିନି ଜଣ ଝିଅଙ୍କ ମଧ୍ୟରୁ ଜଣେ ବୋଧହୁଏ 18 ବର୍ଷ ବୟସ ପୂର୍ବରୁ ବିବାହ କରନ୍ତି । 9 ଜଣ ଝିଅଙ୍କ ମଧ୍ୟରୁ ଜଣେ ସେମାନଙ୍କର 15 ତମ ଜନ୍ମଦିନ ପୂର୍ବରୁ ବିବାହ କରନ୍ତି । ଏମାନେ ଅଧିକାଂଶ ଗରିବ, କମ୍ ଶିକ୍ଷିତ ଏବଂ ଗ୍ରାମାଞ୍ଚଳରେ ବାସ କରନ୍ତି ।
2010 ରେ 67 ମିଲିୟନରୁ ଅଧିକ 20-24 ବର୍ଷ ବୟସରେ ବିବାହ କରିଥିଲେ । ପରବର୍ତ୍ତୀ ଦଶନ୍ଧିରେ 18 ବର୍ଷରୁ କମ୍ 14.2 ନିୟୁତ ବାଳିକା ପ୍ରତିବର୍ଷ ବିବାହ କରିବେ । ଯଦି ବର୍ତ୍ତମାନର ଧାରା ଅବ୍ୟାହତ ରହେ ତେବେ 2021 ରୁ 2030 ଝିଅଙ୍କ ବିବାହ ବୃଦ୍ଧି ପାଇବ । ଅନ୍ୟପକ୍ଷେ 15 ବର୍ଷରୁ କମ୍ ଝିଅଙ୍କ ମଧ୍ୟରେ ବାଲ୍ୟ ବିବାହ ହ୍ରାସ ପାଇଛି ।
ଯେଉଁଠି 10 ଜଣ ପୁଅ ଶିକ୍ଷିତ ରହିଥାନ୍ତି ସେଠି ଜଣେ ଝିଅ ଶିକ୍ଷିତ ହେବାକୁ ସୁଯୋଗ ପାଏ । ପ୍ରାୟ 60 ପ୍ରତିଶତ ଦେଶ ଝିଅମାନଙ୍କୁ ଅଣଦେଖା କରନ୍ତି । ସାରା ବିଶ୍ବରେ ପ୍ରାୟ 132 ନିୟୁତ ଝିଅ ପାଠ ଛାଡୁଛନ୍ତି। ସେମାନଙ୍କ ମଧ୍ୟରେ 34.3 ନିୟୁତ ପ୍ରାଥମିକ ବିଦ୍ୟାଳୟ ଯାଇପାରନ୍ତି ନାହିଁ । 15-49 ବର୍ଷ ବୟସରେ ଅତି କମରେ 200 ନିୟୁତ ମହିଳା ଏବଂ ଝିଅ 30 ଟି ଦେଶରେ ଯୌନ ଶୋଷଣର ଶିକାର ହୋଇଛନ୍ତି। ବିଶ୍ବର ପ୍ରାୟ 15 ନିୟୁତ ବାଳିକା (15 ରୁ 19 ବର୍ଷ) ସେମାନଙ୍କ ଜୀବନର କିଛି ସମୟରେ ବାଧ୍ୟତାମୂଳକ ଯୌନ ସମ୍ପର୍କ ରଖିଥାନ୍ତି। ୟୁରୋପୀୟ ୟୁନିଅନର 10 ଜଣ ମହିଳାଙ୍କ ମଧ୍ୟରୁ ଜଣେ 15 ବର୍ଷ ବୟସରୁ ସାଇବର-ନିର୍ଯ୍ୟାତନା ଅନୁଭବ କରନ୍ତି ।
ଭାରତରେ ଶିଶୁ କନ୍ୟାଙ୍କ ଉପରେ ଅତ୍ୟାଚାର-
NCRB 2019 ତଥ୍ୟ ଦର୍ଶାଇଛି ଯେ, 2018 ରେ ପ୍ରାୟ 21,605 ଶିଶୁ ଦୁଷ୍କର୍ମ ରେକର୍ଡ କରାଯାଇଥିଲା ଯେଉଁଥିରେ 21,401 ବାଳିକା ଏବଂ 204 ବାଳକ ଅନ୍ତର୍ଭୁକ୍ତ ଥିଲେ ।
ଜାତୀୟ ପରିବାର ସ୍ବାସ୍ଥ୍ୟ ସର୍ବେକ୍ଷଣ (NFHS) ତଥ୍ୟ ଦର୍ଶାଉଛି ଯେ 1970 ଦଶକରେ 58 ପ୍ରତିଶତରୁ 2015-16 ରେ 21ପ୍ରତିଶତକୁ ହ୍ରାସ ପାଇଛି ବାଲ୍ୟ ବିବାହ । ପ୍ରାୟ 40 ପ୍ରତିଶତ ମହିଳା ଅଶିକ୍ଷିତ । ଅର୍ଥନୈତିକ ସ୍ଥିତି ଦୃଷ୍ଟିରୁ ଗରିବ ପରିବାରର ମହିଳାଙ୍କୁ ଶୀଘ୍ର ବିବାହ କରିବାକୁ ପଡିଥାଏ।
ମହିଳାଙ୍କ ସୁରକ୍ଷା ପାଇଁ ଆମ ଦେଶର ସରକାର ଅନେକ ଯୋଜନା କରିଛନ୍ତି । ସେ ବେଟି ବଚାଓ ବେଟି ପଢାଓ ହେଉ କିମ୍ବା ସୁକନ୍ୟା ସମୃଦ୍ଧି ଯୋଜନା , ସବୁଥିରେ ସରକାରୀ କାଗଜ କଲମ ଅନୁସାରେ ଲକ୍ଷ ଲକ୍ଷ ଟଙ୍କା ବିନିଯୋଗ ହେଉଛି ମାତ୍ର ଫଳ କେତେ ମିଳୁଛି, ସେ ନେଇ କୌଣସି ହିସାବ ନାହିଁ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ