ହାଇଦ୍ରାବାଦ: ସଭ୍ୟତା ବିକାଶ ପାଇଁ ମଣିଷ ପ୍ରକୃତି ଉପରେ ଓ ପ୍ରକୃତି ମଣିଷ ଉପରେ ସିଧାସଳଖ ନିର୍ଭରଶୀଳ । ଅନ୍ୟ ଶବ୍ଦରେ କହିବାକୁ ଗଲେ ସଭ୍ୟତା ବିକାଶର ଏକ ପ୍ରମୁଖ ମାଧ୍ୟମ ହେଉଛି ଜୈବ ବିବିଧତା । ପ୍ରାୟ 3 ବିଲିୟନ ଲୋକଙ୍କୁ ମାଛ ଦ୍ବାରା 20 ପ୍ରତିଶତ ପ୍ରୋଟିନ ମିଳୁଥିବା ବେଳେ ଗଛ ଓ ସବୁଜିମା ଦ୍ବାରା ମିଳିଥାଏ 80 ପ୍ରତିଶତ ପ୍ରୋଟିନ । ସେହିପରି ବିକଶିତ ରାଷ୍ଟ୍ରର ଗ୍ରାମୀଣ ଅଞ୍ଚଳରେ ରହୁଥିବା ଲୋକଙ୍କ ପାଇଁ ପାରମ୍ପରିକ ବୃକ୍ଷ ଔଷଧୀ ଏବେ ବି ସାଧାରଣ ସ୍ବାସ୍ଥ୍ୟସେବାର ମାଧ୍ୟମ ।
ପ୍ରତିବର୍ଷ ମେ’ ମାସ 22 ତାରିଖରେ ଅନ୍ତର୍ଜାତୀୟ ଜୈବ ବିବିଧତା ଦିବସ ପାଳନ ହେଉଥିବା ବେଳେ ଏହି ଦିନ ବିଶ୍ବସ୍ତରରେ ପରିବେଶକୁ ରକ୍ଷା କରୁଥିବା ଜୈବିକ ସମ୍ବଳର ସୁରକ୍ଷାକୁ ନେଇ ସଚେତନତା ବାର୍ତ୍ତା ବଣ୍ଟାଯାଇଥାଏ । ସାଧାରଣତଃ ଜୈବ ବିବିଧତାକୁ ବୁଝିବା ପାଇଁ ଗଛ ଲତା, ପଶୁ ପକ୍ଷୀ ଓ ମାଇକ୍ରୋ ଅର୍ଗାନିଜମର ସହାୟତା ନେବାକୁ ହୁଏ । ହେଲେ ଏଥିରେ ବିଭିନ୍ନ ପ୍ରଜାତି ମଧ୍ୟରେ ବଂଶଗତ ଭେଦଭାବ ମଧ୍ୟ ସାମିଲ ରହିଛି ।
ଉଦାହରଣ ସ୍ବରୂପ ଜୀବନ ଧାରଣ ପାଇଁ ଖାଦ୍ୟ ଶସ୍ୟ ଓ ପାଉଁରୁଟି ଜାତୀୟ ଖାଦ୍ୟ ମଧ୍ୟରେ ଥିବା ତଫାତ୍ ଓ ସମାନ ଭାବେ ଇକୋସିଷ୍ଟମ ବା ପ୍ରକୃତିରେ ନଦୀ, ହ୍ରଦ, ଜଙ୍ଗଲ, ମରୁଭୂମି, କୃଷିକ୍ଷେତ୍ର ମଧ୍ୟରେ ତଫାତ୍ ଆଧାରରେ ଏହା ସହ ଜଡିତ ମଣିଷ, ପଶୁ ପକ୍ଷୀ ଓ ଗଛ ଲତାଙ୍କ ସମ୍ପର୍କକୁ ବୁଝାଯାଇପାରେ ।
2020ର ବିଷୟବସ୍ତୁ: ଆମ ପ୍ରଶ୍ନର ଉତ୍ତର ପ୍ରକୃତିରେ ସାମିଲ
ଆମେରିକୀୟ ବାୟୋଲୋଜିଷ୍ଟ ତଥା ପ୍ରକୃତିପ୍ରେମୀ ଓ ଲେଖକ ଇ.ଓ. ୱିଲସନ କୁହନ୍ତି କି ଲକ୍ଷ ଲକ୍ଷ ବର୍ଷ ଧରି ଜୀବନବିନ୍ଦୁର ସମାହାରରେ ବଦଳି ଚାଲିଛି ପରିବେଶ ଓ ପ୍ରକୃତିର ପରିଭାଷା । ଏହା ନା ଯେ କେବଳ ସମୟରେ ପରିବର୍ତ୍ତନ ଦେଖିଛି ବରଂ ଏହା କେତେ ଝଡ ତୋଫାନ ଓ କେତେ ଜୀବନ ମରଣ ଦେଖି ବିଶ୍ବକୁ ଜୀବିତ ରଖିପାରିଛି । ଏହା ସୃଷ୍ଟିକୁ ଏକ ସ୍ଥିର ରୂପ ଦେଇପାରିଛି ନିଶ୍ଚୟ ।
ଚଳିତ ବର୍ଷର ବିଷୟ ବସ୍ତୁ ଏହା ଦର୍ଶାଏ ଯେ ମଣିଷ ପ୍ରକୃତିର ଏକ ଅଂଶ ମାତ୍ର । ହେଲେ ପ୍ରକୃତିରୁ ଅଲଗା ନୁହେଁ । ଏହା ଆଶା, ବିଶ୍ବାସ, ଏକତା ଓ ସାମୂହିକ କାର୍ଯ୍ୟର ଗଭୀରତା ଓ ଆବଶ୍ୟକତାକୁ ବିଭିନ୍ନ ପର୍ଯ୍ୟାୟରେ ବୁଝି ପ୍ରକୃତି ସହ ସାମଞ୍ଜସ୍ୟ ରଖିବା ସହ ଜୀବନର ଭବିଷ୍ୟତ ଗଢିପାରିଛି । ଏହି କଥାକୁ ଅଗ୍ରାହ୍ୟ କରାଯାଇନପାରେ କି ବର୍ତ୍ତମାନ ସମୟରେ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ବିକଶିତ ହୋଇଥିଲେ ହେଁ ମଣିଷ ଏବେ ବି ବଞ୍ଚିବା ସହ ଖାଦ୍ୟ, ବସ୍ତ୍ର, ବାସଗୃହ, ଜଳ, ଔଷଧ, ଜାଳେଣି ଓ ଶକ୍ତି ପାଇଁ ଏକ ସୁସ୍ଥ ଓ ସ୍ବଚ୍ଛ ପରିବେଶ ଉପରେ ନିର୍ଭରଶୀଳ ।
ତେବେ ଆମେରିକାର ପ୍ରାୟ 44 ଟ୍ରିଲିୟନ ଡଲାର ଆର୍ଥିକ ମୂଲ୍ୟବୋଧ, ଯାହା ସାରା ବିଶ୍ବର ଅର୍ଦ୍ଧାଧିକ ଜିଡିପିକୁ ସୂଚାଏ, ସେ ମଧ୍ୟ ପ୍ରକୃତି ଉପରେ ନିର୍ଭରଶୀଳ । ଦୈନନ୍ଦିନ ଜୀବନର ଜରୁରୀ ଅଙ୍ଗ ପାଲଟିଥିବା ନିର୍ମାଣ କାର୍ଯ୍ୟ, କୃଷି ଓ ଖାଦ୍ୟ ବ୍ୟବସାୟ ମୁଖ୍ୟତଃ ପ୍ରକୃତି ଉପରେ ହିଁ ନିର୍ଭରଶୀଳ । ସେପଟେ ଗରିବୀରେ ଦିନ କାଟୁଥିବା କୋଟି କୋଟି ଲୋକଙ୍କ ମଧ୍ୟରୁ 70 ପ୍ରତିଶତ ଲୋକେ ଜୀବିକା ପାଇଁ ଚାଷ କାର୍ଯ୍ୟ, ପଶୁ ପାଳନ, ଜଙ୍ଗଲ ସୃଷ୍ଟି ଓ ଅନ୍ୟାନ୍ୟ ପ୍ରକୃତି ଉପରେ ନିର୍ଭରଶୀଳ କାର୍ଯ୍ୟରେ ନିୟୋଜିତ ।
କେବଳ ସେତିକି ନୁହେଁ ବର୍ତ୍ତମାନ ବିଶ୍ବରେ ମହାମାରୀ ଭାବେ ପ୍ରଳୟ ସୃଷ୍ଟି କରିଥିବା କୋରୋନା ଭୂତାଣୁ ମଧ୍ୟ ଏବେ ମଣିଷକୁ ପ୍ରକୃତିର ସୁରକ୍ଷା କଥା ଭାବିବାରେ ବାଧ୍ୟ କରିଛି । କାରଣ କେବଳ ଆଜି ନୁହେଁ ଆଗକୁ ମଧ୍ୟ ମଣିଷ ସମାଜକୁ ବିଭିନ୍ନ ରୋଗବ୍ୟାଧୀରୁ ବଞ୍ଚାଇବା ପାଇଁ ପ୍ରକୃତିର ବଡ ଅବଦାନ ରହିବ । ଆଗରୁ ମଧ୍ୟ ଏହାର ନଜିର ରହିଛି କି ଯେବେ ବି ପ୍ରକୃତିରେ କ୍ଷତି ହୋଇଛି ସେବେ ପଶୁ ପକ୍ଷୀଙ୍କଠାରୁ ବିଭିନ୍ନ ରୋଗବ୍ୟାଧିରେ ମଣିଷ ପୀଡିତ ହୋଇଛି ଓ ପ୍ରଳୟ ହୋଇଛି ।
ବର୍ତ୍ତମାନ ସମୟରେ 70 ପ୍ରତିଶତ ସଂକ୍ରମଣ ଏହି କାରଣରୁ ହେଉଥିବା ବେଳେ ଯେଉଁ ପ୍ରଜାତି ଦ୍ବାରା ରୋଗ ଜୀବାଣୁ ବ୍ୟାପୁଛି ତାହାକୁ ମଣିଷ ବିନାଶ କରିବାରେ ଲାଗିଛି । ଫଳ ସ୍ବରୂପ ମଣିଷ ଅଜାଣତରେ ପ୍ରକୃତିର ବିନାଶ କରିବା ସହ ଅନ୍ୟ ନୂଆ ରୋଗ ଜୀବାଣୁକୁ ଆମନ୍ତ୍ରଣ ଦେବାରେ ଲାଗିଛି । ଏହାକୁ ନଜରରେ ରଖି ବର୍ତ୍ତମାନ ପରିସ୍ଥିତିରେ ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ ଆଗକୁ ଆସିବାକୁ ଥିବା ଭୟଙ୍କର ପରିସ୍ଥିତି ପାଇଁ ଚେତାଇ ଦେଇଛି । ସେପଟେ ବୈଜ୍ଞାନିକମାନେ ପୃଥିବୀ ପୃଷ୍ଠକୁ ସ୍ଥିର ରଖିବା ସହ ମଣିଷ ସମାଜର ଭଲ ପାଇଁ ସୁସ୍ଥ ପରିବେଶ ସୃଷ୍ଟି କରିବାକୁ ଆହ୍ବାନ ଦେଇଛନ୍ତି ।
ପରିବେଶରେ ପରିବର୍ତ୍ତନ, ଜୈବ ବିବିଧତା ପ୍ରତି ସୃଷ୍ଟି କରିଛି ନୂଆ ବିପଦ:
ବିଶ୍ବରେ ଜୈବ ବିବିଧତାରେ ପୂର୍ଣ୍ଣ ଦେଶମାନଙ୍କରେ ମଧ୍ୟରେ ଭାରତ ଶ୍ରେଷ୍ଠ 17ଟି ଦେଶ ମଧ୍ୟରେ ନିଜ ସ୍ଥାନ ବଜାୟ ରଖିବା ସହ 7ରୁ 8 ପ୍ରତିଶତ ପ୍ରଜାତିକୁ ସୁରକ୍ଷିତ ରଖିବାରେ ଦେଶ ରେକର୍ଡ ସୃଷ୍ଟି କରିଛି ।
ମୁଖ୍ୟତଃ ହିମାଳୟ, ଆଣ୍ଡାମାନ ନିକୋବର ଦ୍ବୀପପୁଞ୍ଜ ଓ ପଶ୍ଚିମ ଘାଟର କେତେକ ଅଞ୍ଚଳରେ ଜୈବ ବିବିଧତାର ଶ୍ରେଷ୍ଠ ଉଦାହରଣ ଦେଖିବାକୁ ମିଳେ । ହେଲେ ଗତ କିଛି ଦଶନ୍ଧି ହେବ ନଷ୍ଟ ହେବାରେ ଲାଗିଛି ସମ୍ପୃକ୍ତ ଅଞ୍ଚଳର ଅର୍ଦ୍ଧାଧିକ ଜଙ୍ଗଲ । 70 ପ୍ରତିଶତ ଜଳରାଶି ପ୍ରଦୂଷିତ ହୋଇଥିବା ବେଳେ ନିର୍ମାଣକାର୍ଯ୍ୟ ପାଇଁ ନଷ୍ଟ ହୋଇଛି ସବୁଜିମା । ସେପଟେ ଚିତା ଓ ଗୋଲାପୀ ମୁଣ୍ଡ ଥିବା ବତକର ପ୍ରଜାତି ବର୍ତ୍ତମାନ ନଷ୍ଟ ହେବାକୁ ବସିଥିବା ପ୍ରଜାତି ମଧ୍ୟରେ ଅନ୍ୟତମ ।
ତେବେ ବିଶ୍ବରେ ଏପରି ଅନେକ ପ୍ରଜାତି ରହିଛନ୍ତି ଯାହା କେତେକ ଅପରିବର୍ତ୍ତନୀୟ ପରିଣାମ ଭୋଗିସାରିଛନ୍ତି କିମ୍ବା ଭୋଗିବାକୁ ଯାଉଛନ୍ତି ।
- ପ୍ରତି ଘଣ୍ଟାରେ ତିନୋଟି ପ୍ରଜାତି ମୂଳପୋଛ ହେଉଛି ।
- 100ରୁ 150 ପ୍ରଜାତି ପ୍ରତିଦିନ ନଷ୍ଟ ହେଉଛନ୍ତି ।
- ପ୍ରାୟ 15,000ରୁ 18,000 ପ୍ରଜାତି ପ୍ରତିବର୍ଷ ଅଦୃଶ୍ୟ ହେଉଛନ୍ତି ।
- ପରିବେଶରେ ପରିବର୍ତ୍ତନ ପାଇଁ କାନାଡାରେ ଗତ 30 ବର୍ଷ ମଧ୍ୟରେ 22 ପ୍ରତିଶତ ଧଳା ଭାଲୁ ଉଭାନ ହୋଇସାରିଛନ୍ତି । ବଢୁଥିବା ତାପମାତ୍ରା ଯୋଗୁଁ ମେରୁ ଅଞ୍ଚଳରେ ଗ୍ଲେସିୟର ଓ ବରଫ ତରଳୁଥିବାରୁ ଏହି ପ୍ରଜାତି ଖାଦ୍ୟ ଅନ୍ବେଷଣର ବାଧା ଓ ଅଧିକ ବାଟ ପହଁରି ନପାରି ପ୍ରାଣ ହରାଉଛନ୍ତି ।
- ପ୍ରାୟ 74 ପ୍ରଜାତିର ମେଘ ଜଙ୍ଗଲୀ ବେଙ୍ଗ ବର୍ତ୍ତମାନ ସୁଦ୍ଧା ନଷ୍ଟ ହୋଇସାରିଛନ୍ତି । ଏଥିପାଇଁ ଗ୍ଲୋବାଲ ୱାର୍ମିଂ ମୁଖ୍ୟ ଦାୟୀ ।
- ଆଣ୍ଟାର୍କଟିକାରେ ଗତ 20 ବର୍ଷ ମଧ୍ୟରେ 320 ଯୋଡାରୁ ଏବେ ମାତ୍ର 54 ଯୋଡା ଆଡେଲି ପେଙ୍ଗୁଇନ ଜୀବିତ ଅଛନ୍ତି ।
- ସେହିପରି ନେଦରଲାଣ୍ଡରେ ଦେଖାଯାଉଥିବା ପ୍ଲାଏକ୍ୟାଚର ପ୍ରଜାତିର ପକ୍ଷୀ ବର୍ତ୍ତମାନ 90 ପ୍ରତିଶତ ନଷ୍ଟ ହୋଇସାରିଛନ୍ତି । ଗତ କିଛି ଦଶନ୍ଧି ମଧ୍ୟରେ ଏହି ବିନାଶ ହୋଇଥିବା ଦେଖାଯାଇଛି । ଏଠାରେ ମଧ୍ୟ ମୁଖ୍ୟ ଦାୟୀ ପରିବେଶରେ ପରିବର୍ତ୍ତନ ।