ନୂଆଦିଲ୍ଲୀ : ଭାରତ-ଚୀନ ସୀମା ବିବାଦ ଏବଂ ଅହମ୍ମଦ ପଟେଲଙ୍କ ଇଡି ଜେରାକୁ ନେଇ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଛନ୍ତି କଂଗ୍ରେସ ନେତା ମନୀଷ ତିୱାରୀ । ଏନେଇ ସେ ମୋଦି ସରକାରଙ୍କୁ କଡା ନିନ୍ଦା କରିଛନ୍ତି ।
କଂଗ୍ରେସ ନେତା ମନୀଷ ତିୱାରୀ ରବିବାର କେନ୍ଦ୍ର ସରକାରଙ୍କୁ ନିନ୍ଦା କରି କହିଛନ୍ତି, ସୀମା ବିବାଦକୁ ନେଇ କେନ୍ଦ୍ର ସରକାର ଚୀନକୁ ଟାର୍ଗେଟ କରିବା ପରିବର୍ତ୍ତେ ବାରମ୍ବାର କଂଗ୍ରେସକୁ ଟାର୍ଗେଟ କରୁଛନ୍ତି । ଏହା ସହିତ ସରକାର ଇଡି ମାଧ୍ୟମରେ କଂଗ୍ରେସ ନେତା ଅହମ୍ମଦ ପଟେଲଙ୍କୁ ନିରନ୍ତର ନିର୍ଯାତନା ଦେଉଛନ୍ତି । ଯାହା ଅତ୍ୟନ୍ତ ନିନ୍ଦନୀୟ ବୋଲି ମନୀଷ ତିୱାରୀ କହିଛନ୍ତି ।
ସୂଚନାଯୋଗ୍ୟ ଯେ, ଅର୍ଥ ହେରଫେର ମାମଲାରେ ଗତ ଗୁରୁବାର ଇଡିର ଏକ ଟିମ୍ ପଟେଲଙ୍କୁ ଆଠ ଘଣ୍ଟାରୁ ଅଧିକ ସମୟ ଧରି ଜେରା କରିଥିଲା । ବ୍ୟାଙ୍କ ଠକେଇ ମାମଲାରେ ସନ୍ଦେସରା ଗ୍ରୁପ ଅଫ କମ୍ପାନୀ ବିରୋଧରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଯାଞ୍ଚ କରୁଛି । ଏହି ଯାଞ୍ଚ ବେଳେ କଂଗ୍ରେସ ନେତା ପଟେଲଙ୍କ ନାମ ସାମ୍ନାକୁ ଆସିଥିବା ଅଭିଯୋଗ କରିଛି ଇଡି । କେବଳ ଅହମ୍ମଦ ପଟେଲ ନୁହଁନ୍ତି, ବରଂ ତାଙ୍କ ପୁଅ ଫୈସଲ ପଟେଲ ଏବଂ ତାଙ୍କ ପୁତୁରା ଇରଫାନ ସିଦ୍ଦିକିଙ୍କ ନାମ ମଧ୍ୟ ସାମ୍ନାକୁ ଆସିଛି । ତେଣୁ ମନି ଲଣ୍ଡ୍ରିଂ ମାମଲାରେ ଇଡି ତାଙ୍କୁ ପଚରାଉଚରା କରୁଛି।
ଇଡି ଅନୁସନ୍ଧାନରୁ ଜଣାପଡିଛି ଯେ, ଷ୍ଟର୍ଲିଂ ବାୟୋଟେକ୍ ଲିମିଟେଡ୍ (ଏସବିଏଲ୍) ସନ୍ଦେସରା ଗ୍ରୁପ୍ ଏବଂ ଏହାର ମୁଖ୍ୟ ପ୍ରୋତ୍ସାହକ ନିତିନ ସନ୍ଦେସରା, ଚେତନ ସନ୍ଦେସରା ଏବଂ ଦୀପ୍ତି ସନ୍ଦେସରା 14,500 କୋଟିରୁ ଅଧିକ ଟଙ୍କା ଠକେଇ କରିଛନ୍ତି ।