ମୁମ୍ବାଇ: ବର୍ତ୍ତମାନ କୋରୋନା ଯୋଗୁଁ ସମସ୍ତେ ଭର୍ଚୁଆଲ ବୈଠକ, ଭର୍ଚୁଆଲ ରାଲି ତଥା ଅନଲାଇନ ମାଧ୍ୟମରେ ସମସ୍ତ କାର୍ଯ୍ୟ କରୁଛନ୍ତି । ପାଠପଢା ଠାରୁ ଆରମ୍ଭ କରି ମାର୍କେଟିଂରେ ମଧ୍ୟ ଅନଲାଇନକୁ ଗୁରୁତ୍ବ ଦିଆଯାଉଛି । ବର୍ତ୍ତମାନ ଏହି ପଦ୍ଧତିକୁ ଆପଣେଇଛି ମହାରାଷ୍ଟ୍ର ଜେଲ ବିଭାଗ । ଉକ୍ତ ଜେଲ ବିଭାଗ ବମ୍ବେ ହାଇକୋର୍ଟକୁ ସୂଚନା ଦେଇଛି ଯେ ଜେଲର ଅନ୍ତେବାସୀମାନେ ବର୍ତ୍ତମାନ ସେମାନଙ୍କ ଓକିଲଙ୍କ ସହ ଇମେଲ ମାଧ୍ୟମରେ ଯୋଗାଯୋଗ କରିପାରିବେ ।
ବିଭାଗ ଆହୁରି ମଧ୍ୟ କହିଛି ଯେ କଏଦୀମାନଙ୍କ ନିକଟକୁ ଡାକ ଚିଠି ମଧ୍ୟ ପହଞ୍ଚିବ, କିନ୍ତୁ ଯେଉଁ ଅଞ୍ଚଳଟି କଣ୍ଟେନମେଣ୍ଟ ଜୋନରେ ନଥିବ । ସେହି ଅଞ୍ଚଳରେ ଡାକସେବା ପୁନଃ ଆରମ୍ଭ ହୋଇଥିବା ନେଇ ମହାରାଷ୍ଟ୍ର ଜେଲ ବିଭାଗ ସୂଚନା ଦେଇଛି । ସେହିପରି ଅନ୍ତେବାସୀଙ୍କର ଯଦି COVID-19 ଟେଷ୍ଟ ପଜିଟିଭ ଆସେ ତେବେ ସେମାନଙ୍କର ସମ୍ପର୍କୀୟଙ୍କୁ 48 ଘଣ୍ଟା ମଧ୍ୟରେ ସୂଚନା ଦିଆଯିବ |