ଭୋପାଳ: ମଧ୍ୟପ୍ରଦେଶର ଇନ୍ଦୋରରେ କୋରୋନା ସଂକ୍ରମିତ ଯାଞ୍ଚ ପାଇଁ ପହଞ୍ଚିଥିବା ଡାକ୍ତରୀ ଦଳଙ୍କୁ ପଥର ମାଡ କରାଯାଇଥିଲା । ଏହି ଘଟଣା କେବଳ ଇନ୍ଦୋରକୁ ନୁହେଁ ବରଂ ସମସ୍ତ ମୁସଲିମ୍ ସମୁଦାୟ ଲୋକଙ୍କ ପାଇଁ ଲଜ୍ଜାର ବିଷୟ । ଏଥିପାଇଁ ଇନ୍ଦୋରର ପ୍ରମୁଖ ମୁସଲିମ ସଂଗଠନ ନିଜ ତରଫରୁ ଏକ ସ୍ଥାନୀୟ ଖବର କାଗଜରେ କ୍ଷମାପତ୍ର ଲେଖି ବିଜ୍ଞାପନ ଦେଇଛନ୍ତି ।
ସାର୍ବଜନିକ ଭାବରେ ଡାକ୍ତର ଓ ନର୍ସ ସହ ସମସ୍ତ ଲୋକଙ୍କୁ କ୍ଷମା ମାଗୁଛୁ ବୋଲି ସେଥିରେ ଉଲ୍ଲେଖ ରହିଛି । ବିଜ୍ଞାପନରେ ଲେଖାଯାଇଛି, ‘ ଡ଼ଃ ତୃପ୍ତି କଟ୍ଟାରୀୟା, ଡ଼ଃ ଜାକିୟା ସୈୟଦ ସମେତ ସମସ୍ତ ଡାକ୍ତର, ନର୍ସ, ମେଡିକାଲ୍ ଟିମ୍, ପ୍ରଶାସନ, ଅଧିକାରୀ, ସମସ୍ତ ପୋଲିସକର୍ମଚାରୀ, ସମସ୍ତ ଆଶାକର୍ମୀ କୋରୋନା ମୁକାବିଲା ପାଇଁ ଦିନରାତି ଲାଗିଛନ୍ତି । ଆମ ପାଖରେ ଶବ୍ଦ ନାହିଁ, ଆପଣଙ୍କୁ କ୍ଷମା ମାଗିବାରେ । ଆମକୁ କ୍ଷମା କରିଦିଅନ୍ତୁ ।’
ସେ ଏହା ମଧ୍ୟ ଲେଖିଛନ୍ତି,‘ ଆମର ଅସୁବିଧା ସମୟରେ ଆପଣମାନେ ସବୁବେଳେ ଆମ ପାଖରେ ଠିଆ ହୋଇଛନ୍ତି । ସେଥିପାଇଁ ଆଜି ଆମେ କ୍ଷମା ମାଗୁଛୁ । ଏହି ଭୁଲକୁ ଆଉ ସୁଧାରି ପାରିବୁନି କିନ୍ତୁ ଭବିଷ୍ୟତରେ ଏପରି ନ ହେବା ପାଇଁ ଚେଷ୍ଟା କରିବୁ ।’