ନୂଆଦିଲ୍ଲୀ: ଏବେ କେବଳ ଭୂମିରେ ନୁହେଁ ପାଣି ତଳେ ଗଡିବ ଟ୍ରେନ । ପ୍ରଥମ ଥର ଦେଶରେ ଚାଲୁହେବ ଅଣ୍ଡର ୱାଟର ଟ୍ରେନ । ହଁ ସାକାର ହୋଇଛି ମୋଦି ସରକାର ଏହି ଅଣ୍ଡରୱାଟର ଟ୍ରେନ ସ୍ବପ୍ନ । କୋଲକତାର ହୁଗୁଳି ନଦୀ ତଳେ ଯିବ ଏହି ଟ୍ରେନ । ଏ ନେଇ ଚୂଡାନ୍ତରେ ସମସ୍ତ ପ୍ରସ୍ତୁତି ।
ନଦୀ ତଳେ ତିଆରି ହୋଇଥିବା ଏହି ସୁଡଙ୍ଗର ଲମ୍ବ 520 ମିଟରର ରହିଥିଲା ବେଳେ ଗଭୀର 30 ମିଟର ରହିଛି । ଏହା ମଧ୍ୟ ଦେଇ ମେଟ୍ରୋକୁ ପାର ହେବାକୁ ପ୍ରାୟ 60 ସେକେଣ୍ଡ ସମୟ ଲାଗିବ । ରେଳ ମନ୍ତ୍ରୀ ପୀୟୁଷ ଗୋୟଲ ଏ ସମ୍ବନ୍ଧରେ ଏକ ଭିଡିଓ ଟ୍ବିଟ କରିଛନ୍ତି ।
ଟ୍ବିଟ କରି ଗୋୟଲ ଲେଖିଛନ୍ତି, ‘ଭାରତର ପ୍ରଥମ ଅଣ୍ଡର ୱାଟର ଟ୍ରେନ ଶୀଘ୍ର କୋଲକତାର ହୁଗୁଳୀ ନଦୀ ତଳେ ଗଡିବ । ଉତ୍କୃଷ୍ଟ ଇଞ୍ଜିନିୟରିଂର ଉଦାହରଣ ଏହି ଟ୍ରେନ । ଦେଶର ନିରନ୍ତର ରେଲୱେ ପ୍ରଗତିର ଏହା ପ୍ରତୀକ । ଏହା ଦ୍ବାରା କୋଲକତାବାସୀ ବିଶେଷ ସୁବିଧା ପାଇବେ ଏବଂ ଦେଶ ଗୌରବାନ୍ବିତ ହେବ ।
ଜାରି ହୋଇଥିବା ଭିଡିଓରେ କୁହାଯାଇଛି କି, ପ୍ରଥମ ଅଣ୍ଡର ୱାଟର କୋଲକତା ମେଟ୍ରୋ ଲେକ ସେକ୍ଟର 5ରୁ ହାଓ୍ବଡା ମୈଦାନ ପର୍ଯ୍ୟନ୍ତ ଯାତ୍ରା ପାଇଁ ପୂରା ପ୍ରସ୍ତୁତ । 2 ଭାଗରେ ବିଭକ୍ତ ହୋଇଥିବା ଏହି ଟ୍ରେନ ଲାଇନର ପ୍ରଥମଟି ଶୀଘ୍ର ସାଧାରଣ ଲୋକଙ୍କ ପାଇଁ କାର୍ଯ୍ୟକାରୀ ହେବ । ବିଶେଷ କରି କୋଲକତାବାସୀଙ୍କୁ ଏହା ଖୁବ ଆଶ୍ବସ୍ତି ପ୍ରଦାନ କରିବ ।
ଏହି ଅଣ୍ଡରୱାଟର ଟ୍ରେନକୁ ପାଣିରୁ ସୁରକ୍ଷିତ ରଖିବାକୁ 4ଟି ଉଚ୍ଚସ୍ତରୀୟ ସୁରକ୍ଷା କବଚ ଲଗାଯାଇଛି । ଏହା 520 ମିଟର ଲମ୍ବ ବିଶିଷ୍ଟ ସୁଡଙ୍ଗ । ଯେଉଁଥିରୁ ଗୋଟିଏ ପୂର୍ବ ଆଡକୁ ଓ ଅନ୍ୟଟି ପଶ୍ଚିମ ଦିଗରେ ଯିବ । ଏହାର ନିର୍ମାଣ ନଦୀ ତଳରୁ ପାଖାପାଖୀ 30 ମିଟର ଗଭୀରରେ ହୋଇଛି ।