ହାଇଦ୍ରାବାଦ: ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ଭାରତର ପ୍ରଥମ ସ୍ବାସ୍ଥ୍ୟମନ୍ତ୍ରୀ ତଥା ସ୍ବାଧିନତା ସଂଗ୍ରାମୀ ରାଜକୁମାରୀ ଅମୃତ କୌରଙ୍କୁ ସମ୍ମାନିତ କରିଛି ଟାଇମ୍ ମାଗାଜିନ । ଅମୃତ କୌରଙ୍କୁ ଟାଇମ୍ ମାଗାଜିନର ୧୦୦ ପ୍ରଭାବଶାଳୀ ମହିଳାଙ୍କ ତାଲିକାରେ ସାମିଲ କରାଯାଇଛି । ୧୯୪୭ ପାଇଁ ଅମୃତ କୌରଙ୍କୁ 'ଓମେନ ଅଫ୍ ଦ ଇୟର' ଦର୍ଶାଇ ଏକ ବିଶେଷ ସଂସ୍କରଣ ପ୍ରକାଶ କରିଛି ମାଗାଜିନ୍ ।

1880 ମସିହାରେ ପଞ୍ଜାବର ରାଜ ପରିବାରରେ ଜନ୍ମଗ୍ରହଣ କରିଥିବା ରାଜକୁମାରୀ କୌର ଅକ୍ସଫୋର୍ଡ ବିଶ୍ବବିଦ୍ୟାଳୟରେ ଶିକ୍ଷାଲାଭ କରିଥିଲେ । ଭାରତ ଫେରିବା ପରେ ମହାତ୍ମା ଗାନ୍ଧୀଙ୍କ ନୀତି ଏବଂ ଆଦର୍ଶ ଦ୍ବାରା ଅନୁପ୍ରାଣିତ ହୋଇ 1930 ମସିହାରେ ନିଜର ବିଳାସପୂର୍ଣ୍ଣ ଜୀବନଜାପନ ଛାଡି ଗାନ୍ଧୀଙ୍କ ସଚିବ ହୋଇଥିଲେ । ଏହାପରେ ସ୍ବାଧୀନ ଭାରତର ପ୍ରଥମ ସ୍ବାସ୍ଥ୍ୟମନ୍ତ୍ରୀ ଭାବରେ ଦାୟିତ୍ବ ସମ୍ଭାଳିଥିଲେ କୌର ।
ମନ୍ତ୍ରୀ ଭାବରେ ଅଲ ଇଣ୍ଡିଆ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସ (AIIMS)ର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ ସେ । ଏହା ବ୍ୟତୀତ ଶିଶୁ କଲ୍ୟାଣ ପାଇଁ ଭାରତୀୟ ପରିଷଦ ପ୍ରତିଷ୍ଠା କରିଥିଲେ ଏବଂ ଦେଶରେ ମ୍ୟାଲେରିଆ ରୋକିବା ପାଇଁ ବ୍ୟାପକ ପ୍ରଚାର କରିଥିଲେ ।
ଦେବଦାସୀ ଏବଂ ପୁରଦା ପ୍ରଥା ଭଳି ସମସ୍ୟାର ସମାଧାନ କରିଥିଲେ ଅମୃତ କୌର । ମହିଳାଙ୍କୁ ଶିକ୍ଷା, ଭୋଟ୍ ଦେବାର ଅଧିକାର ଏବଂ ଛାଡପତ୍ର ପାଇଁ ପ୍ରୋତ୍ସାହନ ଦେଇଥିଲେ । ସମାନତାରେ ବିଶ୍ବାସ ରଖୁଥିବା କୌର କିନ୍ତୁ ମହିଳାଙ୍କ ସଂରକ୍ଷଣ ସପକ୍ଷରେ ନଥିଲେ ।
1950 ମସିହାରେ ସେ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ(WHO)ର ସଭାପତି ଭାବରେ ନିର୍ବାଚିତ ହୋଇଥିଲେ । ପ୍ରଥମ ଏସୀୟ ଭାବରେ ଏହି ପଦବୀରେ ରହି ଦାୟିତ୍ବ ତୁଲାଇଥିଲେ କୌର । 1964 ମସିହାରେ 75 ବର୍ଷ ବୟସରେ କୌର ଶେଷ ନିଶ୍ବାସ ତ୍ୟାଗ କରିଥିଲେ ।
@IANS