ଆମ ଦେଶରେ ପ୍ରତିବର୍ଷ ନଭେମ୍ବର ୨୬ ତାରିଖରେ ସମ୍ବିଧାନ ପ୍ରଣୟନ ଦିବସ (ଜାତୀୟ ଆଇନ ଦିବସ) ପାଳନ କରାଯାଇଥାଏ। ଭାରତୀୟ ସମ୍ବିଧାନ ୧୯୫୦ ଜାନୁଆରୀ ୨୬ ତାରିଖରୁ ଦେଶରେ ଲାଗୁ ହୋଇଥିଲା। ଚଳିତ ବର୍ଷ ଭାରତର ସମ୍ବିଧାନକୁ ୭୦ ବର୍ଷ ପୂରଣ ହେଉଥିବାରୁ ଏହି ଉପଲକ୍ଷେ ସ୍ବତନ୍ତ୍ର ଉତ୍ସବ ଆୟୋଜନ କରାଯାଇଛି।
ଏହି ଅବସରରେ, ଇଟିଭି ଭାରତ ପକ୍ଷରୁ ସମ୍ବିଧାନ ବିଶେଷଜ୍ଞ ସୁବାଷ ଚନ୍ଦ୍ର କାଶ୍ୟପଙ୍କ ସହିତ ସମ୍ବିଧାନ ସମ୍ପର୍କରେ ଆଲୋଚନା କରାଯାଇଛି। ଆମ ସମ୍ବିଧାନକୁ ବିଶିଷ୍ଟ ଓ ସ୍ବତନ୍ତ୍ର କରିବାରେ କଣ ରହିଛି ସେ ସମ୍ପର୍କରେ ସୁବାଷ ଚନ୍ଦ୍ର କାଶ୍ୟପ ବର୍ଣ୍ଣନା କରିଛନ୍ତି। କାଶ୍ୟପ ୭ମ ଲୋକସଭା, ୮ମ ଲୋକସଭା ଓ ୯ମ ଲୋକସଭାର ମହାସଚିବ ଦାୟିତ୍ବରେ ଥିଲେ।
ସୁବାଷ ଚନ୍ଦ୍ର କାଶ୍ୟପଙ୍କ ସହିତ ସାକ୍ଷାତକାରର କିଛି ଅଂଶ ନିମ୍ନରେ ପ୍ରଦାନ କରାଗଲା:
ପ୍ରଶ୍ନ-୧ : ଆମ ସମ୍ବିଧାନ ୭୦ ବର୍ଷ ପୂରଣ କରିସାରିଲାଣି। ସମ୍ବିଧାନ ସମ୍ପର୍କରେ ଆପଣଙ୍କର ବହୁତ ଅନୁଭବ ରହିଛି। ଭାରତର ଏହି ଯାତ୍ରା ସମ୍ପର୍କରେ ଆପଣ କ’ଣ ଅନୁଭବ କରୁଛନ୍ତି?
ସୁବାଷ ଚନ୍ଦ୍ର କାଶ୍ୟପ: ଆମ ସମ୍ବିଧାନ ଏକ ଉତ୍କୃଷ୍ଟ ଓ ଅଦ୍ବିତୀୟ ସନନ୍ଦ। ଏହି ସମ୍ବିଧାନରେ ଆମ ଦେଶର ଭବିଷ୍ୟତ ଓ ଆକାଂକ୍ଷାକୁ ଚିନ୍ତା କରାଯାଇ ମହାନ ବିଚାର ସବୁକୁ ଏକତ୍ରୀତ କରାଯାଇଛି। ଭାରତୀୟ ଗଣତନ୍ତ୍ରର ପ୍ରତିଷ୍ଠାରେ ଅନେକ ଦେଶଭକ୍ତ, ବିଦ୍ବାନ ସାମିଲ ଥିଲେ । ଏହି ଦେଶଭକ୍ତ ଓ ବିଦ୍ବାନ ତିନି ବର୍ଷ ମଧ୍ୟରେ ସମ୍ବିଧାନର ସ୍ବରୂପକୁ ପ୍ରସ୍ତୁତ କରିଥିଲେ, ଯାହାକି ଏହା ଏକ ବଡ଼ ସଫଳତା ଥିଲା। ଦ୍ବିତୀୟ ବିଶ୍ବଯୁଦ୍ଧ ପରେ ଯେତେଗୁଡ଼ିଏ ସମ୍ବିଧାନ ପ୍ରଣୟନ ହୋଇଛି ତା’ ମଧ୍ୟରୁ ଭାରତୀୟ ସମ୍ବିଧାନ ସମୟକ୍ରମେ ବିଭିନ୍ନ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ପାରିଛି। ଅନେକ ଦେଶର ସମ୍ବିଧାନ, ଯିଏକି ନିଜକୁ ରାଷ୍ଟ୍ରୀୟ ଏକୀକରଣର ଶକ୍ତି ବୋଲି ପ୍ରମାଣିତ କରୁଥିଲା ସେଗୁଡ଼ିକୁ ରଦ୍ଦ କିମ୍ବା ପରିବର୍ତ୍ତନ କରାଯାଇଛି। ଆମ ସମ୍ବିଧାନରେ ବିଭିନ୍ନ ପ୍ରକାରର ତତ୍ତ୍ବ ରହିଛି। ସମ୍ବିଧାନ ସମ୍ପର୍କରେ ଲୋକଙ୍କ ଧାରଣା ନଥିବାରୁ ଅନେକ ସମୟରେ ଏଥିପ୍ରତି କାହାର ଦୃଷ୍ଟି ପଡ଼ିନାହିଁ। ସମ୍ବିଧାନ ଅନୁସାରେ ଆମେ ଆମର ଅଧିକାର ଦାବି କରୁଥିବାବେଳେ ନିଜର କର୍ତ୍ତବ୍ୟକୁ ପାଳନ କରିବାରେ ବିଫଳ ହୋଇଛୁ।
ପ୍ରଶ୍ନ-୨ : ବିଭିନ୍ନ ସମୟରେ ଆମ ସମ୍ବିଧାନରେ ଅନେକ ସଂଶୋଧନ ହୋଇଛି। ଏହି ସମୟବଦ୍ଧ ସଂଶୋଧନ କେତେ ଗୁରୁତ୍ତ୍ବପୂର୍ଣ୍ଣ ବୋଲି ଆପଣ ଭାବୁଛନ୍ତି?
ସୁବାଷ ଚନ୍ଦ୍ର କାଶ୍ୟପ : କୌଣସି ସମ୍ବିଧାନ ତାର ସ୍ବଭାବରେ ବହୁତ କଠୋର ହେବା ଉଚିତ ନୁହେଁ। ସମୟର ଆବଶ୍ୟକତା ଅନୁସାରେ ଏହାର ପୁନର୍ବିଚାର, ସଂଶୋଧନ ଓ ପରିବର୍ତ୍ତନର ବ୍ୟବସ୍ଥା ରହିବା ଆବଶ୍ୟକ। ଭାରତୀୟ ସମ୍ବିଧାନକୁ ବିଭିନ୍ନ ସମୟରେ ସମୟର ଆବଶ୍ୟକତା ଅନୁସାରେ ସଂଶୋଧନ କରାଯାଇଛି। ଭାରତୀୟ ସମ୍ବିଧାନର ଭାଗ XX (ଅନୁଚ୍ଛେଦ ୩୬୮) ଅନୁସାରେ ସମ୍ବିଧାନରେ ସଂଶୋଧନ ପ୍ରକ୍ରିୟା ଅନୁସାରେ ଏହାର ଆବଶ୍ୟକତା ଥିଲା। ୧୯୫୦ ପରଠୁ ବର୍ତ୍ତମାନ ସୁଦ୍ଧା ୧୦୩ ଥର ସମ୍ବିଧାନ ସଂଶୋଧନ କରାଯାଇ ସାରିଲାଣି। ଧାରା ୩୭୦କୁ ନେଇ ଗତ ଅଗଷ୍ଟ ମାସରେ ହୋଇଥିବା ସମ୍ବିଧାନ ସଂଶୋଧନ ବହୁତ ଚର୍ଚ୍ଚାରେ ଥିଲା। ସମ୍ବିଧାନର ଏହି ସଂଶୋଧନ ଆବଶ୍ୟକତା ନଥିଲା, କାରଣ ଏହି ଧାରାରେ ‘ସ୍ବ-କ୍ଷରଣ’ ବ୍ୟବସ୍ଥା ଥିଲା। ଏହି ବ୍ୟବସ୍ଥାକୁ ରଦ୍ଦ କରାନଯାଇ ସଂଶୋଧିତ କରାଯାଇଛି।
ପ୍ରଶ୍ନ-୩ : ବିରୋଧି ଦଳଙ୍କ ଅଭିଯୋଗ ଅନୁସାରେ ସରକାର ଏ ପ୍ରସଙ୍ଗରେ ସଂସଦରେ ଠିକଣା ଭାବେ ବିତର୍କ ଓ ଆଲୋଚନା ନକରି ତରବରିଆ ଭାବେ ଏଥିରେ ପରିବର୍ତ୍ତନ କରିବା ସହିତ ଏହାକୁ ଲାଗୁ କରଛନ୍ତି। ଏବେ ବିରୋଧିମାନେ ସିଏଏକୁ ବିରୋଧ କରିବା ସହିତ ଆମ ସମ୍ବିଧାନ ବିପଦରେ ପଡ଼ିଛି ବୋଲି ସମଗ୍ର ଦେଶରେ ପ୍ରଚାର କରୁଛନ୍ତି। ନିକଟରେ ଘଟିଥିବା ଏହି ଘଟଣାକ୍ରମ ସମ୍ପର୍କରେ ଆପଣ କ’ଣ କହିବେ?
ସୁବାଷ ଚନ୍ଦ୍ର କାଶ୍ୟପ : ମୋ ବିଚାରରେ, ଆମ ଦେଶରେ ବର୍ତ୍ତମାନ ଯାହା କିଛି ହେଉଛି ତାହା ଆମ ସମ୍ବିଧାନ ପରିବର୍ତ୍ତେ ରାଜନୀତିକୁ ଦୃଷ୍ଟିରେ ରଖି କରାଯାଉଛି। ଯଦି ରାଜନୈତିକ ଲାଭକୁ ଅଲଗା ନିର୍ଦ୍ଧାରିତ କରାଯାଇ ସମ୍ବିଧାନକୁ ସଚ୍ଚୋଟ ଭାବରେ ଲାଗୁ କରାଯାଏ ତେବେ ଏଭଳି ଅସହମତି ସୃଷ୍ଟି ହେବ ନାହିଁ। କାରଣ ଆମ ସମ୍ବିଧାନରେ ସବୁକିଛି ସ୍ପଷ୍ଟ ଭାବରେ କୁହାଯାଇଛି। କେନ୍ଦ୍ର ଓ ରାଜ୍ୟମାନଙ୍କର ବୈଧାନିକ କ୍ଷମତା ସମ୍ପର୍କରେ ସମ୍ବିଧାନରେ ବିସ୍ତୃତ ଭାବରେ ବର୍ଣ୍ଣନା କରାଯାଇଛି। ଏହି କ୍ଷମତାକୁ ସଂଘ, ରାଜ୍ୟ ଓ ସଂଯୁକ୍ତ ତାଲିକାରେ ବିଭକ୍ତ କରାଯାଇଛି। ରାଜନୈତିକ କାରଣ ହେତୁ କେନ୍ଦ୍ର ସରକାରଙ୍କୁ ଲଗାତର ଭାବେ ସମାଲୋଚନା କରାଯାଉଛି। ପ୍ରତ୍ୟେକ ରାଜନୈତିକ ଦଳକୁ ଏହି ‘ବିରୋଧି’ ସଂସ୍କୃତି ପାଇଁ ଦୋଷୀ ବୋଲି ବଦନାମ କରାଯାଉଛି।
ପ୍ରଶ୍ନ-୪ : ସିଏଏ ବିରୋଧରେ ଲୋକେ ଏବେ ରାସ୍ତା ଉପରେ। ଏହି ବିରୋଧ ରାଜନୀତି କାରଣରୁ ନା ନାଗରିକଙ୍କ ମଧ୍ୟରେ ସଚେତନତା ଅଭାବରୁ ହେଉଛି?
ସୁବାଷ ଚନ୍ଦ୍ର କାଶ୍ୟପ : ଲୋକଙ୍କ ସଚେତନତାର ଅଭାବ ଓ ଅଜ୍ଞନତା ଯୋଗୁଁ ଏହି ଆନ୍ଦୋଳନ ହେଉଛି। ଲୋକେ ସେମାନଙ୍କର ଆନ୍ଦୋଳନକୁ ହିଂସା ରାସ୍ତାରେ ପ୍ରଦର୍ଶିତ କରୁଛନ୍ତି। ଏହି ପ୍ରକ୍ରିୟାରେ ଆନ୍ଦୋଳନକାରୀ ସାର୍ବଜନିକ ସମ୍ପତ୍ତି ନଷ୍ଟ କରିବାରେ ଲାଗିଛି। ଦୁର୍ଭାଗ୍ୟପୂର୍ଣ୍ଣ କଥା ହେଉଛି ଯେ, ଲୋକେ ଅସନ୍ତୋଷ ପ୍ରଦର୍ଶିତ କରିବା ପାଇଁ ଗୁଣ୍ଡାଗର୍ଦିରେ ଲିପ୍ତ ହୋଇଛନ୍ତି।
ପ୍ରଶ୍ନ-୫ : କେତେକ ରାଜ୍ୟ ସିଏଏକୁ ଲାଗୁ କରିବା ପାଇଁ ମନା କରିବା ସହିତ ଏହାର ସାମ୍ବିଧାନକ ବୈଧତାକୁ ଆହ୍ବାନ ଦେଇଛନ୍ତି। ସେମାନଙ୍କର ବିରୋଧ ନ୍ୟାୟସଙ୍ଗତ କି?
ସୁବାଷ ଚନ୍ଦ୍ର କାଶ୍ୟପ : ସିଏଏ ଆଇନ ନାଗରିକତା ଛଡ଼ାଇ ନେବ ନାହିଁ ବରଂ ପ୍ରଦାନ କରିବ ବୋଲି ଆମ ପ୍ରଧାନମନ୍ତ୍ରୀ ଓ ସ୍ବରାଷ୍ଟ୍ର ମନ୍ତ୍ରୀ ପ୍ରଥମରୁ ସ୍ପଷ୍ଟ କରିଦେଇଛନ୍ତି। ନାଗରିକତା ସଂଶୋଧନ ବ୍ୟବସ୍ଥା ସଂଘ ସୂଚୀ ବା ସୂଚୀ-୧ରେ ଆସୁଛି ବୋଲି ଆମ ସମ୍ବିଧାନରେ ସ୍ପଷ୍ଟ ଭାବରେ ଉଲ୍ଲେଖ କରାଯାଇଛି। ଏଭଳି ଆଇନ ପ୍ରଣୟନ କରିବା ପାଇଁ ରାଜ୍ୟଙ୍କ ପାଖରେ ବିଶେଷ କ୍ଷମତା ନାହିଁ। ଭାରତରେ ପ୍ରଚଳିତ ଏକକ ନାଗରିକ ବ୍ୟବସ୍ଥାକୁ ସଂସଦ ଦ୍ବାରା ସ୍ଥିର କରାଯାଇଥାଏ। ଏବେ ଆଇନ ପ୍ରଣୟନ ହୋଇଯିବା ପରେ ଏହି ଧାରାକୁ ଆହ୍ବାନ ଦେବା ପାଇଁ ଦୁଇଟି ରାସ୍ତା ରହିଛି। ପ୍ରଥମ ହେଉଛି ଏହି ଆଇନ ଉପରେ ସଂସଦରେ ପୁଣି ଥରେ ଆଲୋଚନା କରି ପ୍ରଚଳିତ ବ୍ୟବସ୍ଥାକୁ ସଂଶୋଧନ କରିବା, ଦ୍ବିତୀୟତଃ ସୁପ୍ରିମକୋର୍ଟର୍ରେ ଏହି ଆଇନ ବିରୋଧରେ ମାମଲା ରୁଜୁ କରାଯାଇପାରେ। ବିରୋଧ କରିବା ବ୍ୟକ୍ତିର ଅଧିକାର ହୋଇପାରେ କିନ୍ତୁ ଆନ୍ଦୋଳନକୁ ଦେଖାଇବା ପାଇଁ ସାର୍ବଜନିକ ସମ୍ପତ୍ତିକୁ ନଷ୍ଟ କରିବା ଉଚିତ ନୁହେଁ।
ପ୍ରଶ୍ନ-୬ : ନାଗରିକ ସଂଶୋଧନ ଅଧିନିୟମ (ସିଏଏ) ସମ୍ପର୍କରେ ଆପଣଙ୍କ ବ୍ୟକ୍ତିଗତ ମତ କ’ଣ?
ସୁବାଷ ଚନ୍ଦ୍ର କାଶ୍ୟପ : ମୁଁ ପ୍ରଥମରୁ କହିଛି, ଧାର୍ମିକ ଉତ୍ପୀଡ଼ନ ପାଇଁ ଯେଉଁମାନେ ପାକିସ୍ତାନ, ବାଂଲାଦେଶ ଓ ଆଫଗାନିସ୍ଥାନରୁ ଆସିଛନ୍ତି, ଏହି ସଂଶୋଧିତ ଆଇନ ସେମାନଙ୍କୁ ନାଗରିକତା ପ୍ରଦାନ କରିବ। ଏହି ଆଇନ ଏବେ ବିବାଦୀୟ ହୋଇପଡ଼ିଛି। କାରଣ ଏଥିରେ କିଛି ସମ୍ପ୍ରଦାୟକୁ ନିର୍ଦ୍ଧିଷ୍ଟ କରାଯାଇଛି ସେମାନଙ୍କୁ ବାଦ ଦିଆଯାଇ ପାରିଥାନ୍ତା। ହେଲେ ନାଗରିକ ହେବା ପାଇଁ କିଏ ଯୋଗ୍ୟ କିଏ ଅଯୋଗ୍ୟ, ତାଙ୍କ ଧର୍ମ ଯାହା ହୋଇଥାଉ ନା କାହିଁକି ଏହା ସ୍ଥିର କରିବାକୁ ପ୍ରତ୍ୟେକ ଦେଶର ସାର୍ବଭୌମ କ୍ଷମତା ରହିଛି।
ସୁଭାଷ କାଶ୍ୟପ (ସମ୍ବିଧାନ ବିଶେଷଜ୍ଞ)