ନୂଆଦିଲ୍ଲୀ: ଚଳିତ ବର୍ଷ ଫେବୃଆରୀ 26 ତାରିଖରେ ପାକିସ୍ତାନର ବାଲାକୋଟରେ ହୋଇଥିବା ଏୟାରଷ୍ଟ୍ରାଇକ ସମ୍ପର୍କିତ ପ୍ରମଶନାଲ ଭିଡିଓ ଜାରି କରିଛି ଭାରତୀୟ ବାୟୁସେନା । ଏ ସମ୍ପର୍କରେ ଜଣାଇଛନ୍ତି ବାୟୁସେନା ମୁଖ୍ୟ ରାକେଶ ଭଦୋରିଆ । ଶୁକ୍ରବାର ବାୟୁସେନା ପକ୍ଷରୁ ଏୟାର ଷ୍ଟ୍ରାଇକ ସମ୍ପର୍କିତ ଭିଡିଓ ଜାରି ବାବଦରେ ଗଣମାଧ୍ୟମରେ ସୂଚନା ଦିଆଯାଇଛି ।
ଗତ ଫେବୃଆରୀ 14 ତାରିଖରେ କାଶ୍ମୀରର ପୁଲଓ୍ବାମା ଠାରେ ସୁରକ୍ଷାବଳଙ୍କ ଉପରେ ଆକ୍ରମଣ ହୋଇଥିଲା । ଏହାର ଜବାବ ଦେବାକୁ ଯାଇ ଭାରତୀୟ ବାୟୁସେନା ପିଓକେରେ ପ୍ରବେଶ କରି ଜୈସ ଏ ମହମ୍ମଦର ଆତଙ୍କବାଦୀଙ୍କ କ୍ୟାମ୍ପ ଉପରେ ଏୟାରଷ୍ଟ୍ରାଇକ କରିଥିଲା । ଭାରତୀୟ ବାୟୁସେନା ବିଶ୍ବରେ ସର୍ବୋତ୍କୃଷ୍ଟ ବୋଲି ଏହାର ମୁଖ୍ୟ ରାକେଶ ଭଦୋରିଆ ସାମ୍ବାଦିକ ସମ୍ମିଳନୀରେ ଜଣାଇଛନ୍ତି । ଆଗକୁ ଯେକୌଣସି ଧରଣର ଅପରେସେନ ପାଇଁ ବାୟୁସେନା ପ୍ରସ୍ତୁତ ଥିବା ସେ କହିଛନ୍ତି ।
ଅନ୍ୟପକ୍ଷରେ କାଶ୍ମୀରର ବଡଗାମରେ ହୋଇଥିବା ଏମଆଇ ବିମାନ ଦୁର୍ଘଟଣାଗ୍ରସ୍ତ ହେବା ଘଟଣା ବାୟୁସେନାର ଭୁଲରୁ ହୋଇଥିବା ସ୍ବୀକାର କରିଛନ୍ତି । ଏମଆଇ-17 ହେଲିକପ୍ଟର ବାୟୁସେନାର ମିସାଇଲ ସହ ମାଡ ହେବା ପରେ ଦୁର୍ଘଟଣାର ଶିକାର ହୋଇଥିଲା ବୋଲି ବାୟୁସେନା ମୁଖ୍ୟ କହିଛନ୍ତି । ଏ ଦୁର୍ଘଟଣାରେ ଜଡିତ ଥିବା ବାୟୁସେନାର ଦୁଇ ଅଧିକାରୀଙ୍କ ବିରୋଧରେ ଅନୁଶାସନମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ବୋଲି ସେ ସୂଚନା ଦେଇଛନ୍ତି ।