ନୂଆଦିଲ୍ଲୀ: କୋରୋନାକୁ ନେଇ ସାରା ବିଶ୍ବ ଚିନ୍ତିତ । ବିଶ୍ବରେ ଆତଙ୍କ ଖେଳାଇଛି ଏହି ମହାମାରୀ କୋରୋନା ଭାଇରସ । ତେବେ କୋରୋନା ବିରୁଦ୍ଧରେ ଲଢେଇ ପାଇଁ ସାରା ବିଶ୍ବ ଏକଜୁଟ ହୋଇଛି । କୋରୋନା ସତର୍କତା ପାଇଁ ଚୀନ ପକ୍ଷରୁ ଏକ ଭିଡିଓ କନଫରେନ୍ସର ଆୟୋଜନ କରାଯାଇଛି । ଏହି ଭିଡିଓ କନଫରେନ୍ସରେ ସାମିଲ ହେବ ଭାରତ । ଏହା ବ୍ୟତୀତ ୟୁରେସିଆ ଓ ଦକ୍ଷିଣ ଏସିଆର 10ଟି ଦେଶ ଚୀନ ଦ୍ବାରା ଆୟୋଜିତ ଭିଡିଓ କନଫରେନ୍ସରେ ଯୋଗ ଦେବେ । ପ୍ରତିକୂଳ ପରିସ୍ଥିତି ମଧ୍ୟରେ ଚୀନ ନିଜର ବନ୍ଧୁତ୍ବପୂର୍ଣ୍ଣ ପଡ଼ୋଶୀମାନଙ୍କୁ ସମର୍ଥନ କରିବା ସହ ସହଯୋଗର ହାତ ବଢାଇବା ନେଇ ଆଶ୍ବାସନ ଦେଇଛି ।
କୋଭିଡ 19 ସହ ମୁକାବିଲା ପାଇଁ ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ ସାର୍କ ରାଷ୍ଟ୍ରସମୂହଙ୍କୁ ନେଇ ଏକ ଭିଡିଓ କନଫରେନ୍ସ କରିଥିଲେ । ନିଜ ନିଜ ଦେଶର ନାଗରିକଙ୍କୁ କିପରି ସୁରକ୍ଷା ଦେଇ ହେବ ଏବଂ କୋରୋନା ଠୁ ବଞ୍ଚିବା ନେଇ ଆବଶ୍ୟକୀୟ ସତର୍କତା ପଦକ୍ଷେପ ଉପରେ ଏହି ଭିଡିଓ କନଫରେନ୍ସରେ ଆଲୋଚନା ହୋଇଥିଲା ।
କୋରୋନା ଯୋଗୁଁ ଭାରତରେ 5 ଜଣଙ୍କର ମୃତ୍ୟୁ ହୋଇସାରିଲାଣି । ଏହାସହ ବର୍ତ୍ତମାନ ସୁଦ୍ଧା ଦେଶରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା 200 ଛୁଇଁଛି । ଅନ୍ୟପକ୍ଷେ ସାରା ବିଶ୍ବରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିଚାଲିଥିବା ବେଳେ ଅନେକଙ୍କ ଜୀବନ ଯାଇସାରିଲାଣି ।